ଭୁବନେଶ୍ୱର: ଦୁଇ ବର୍ଷ ଧରି କରୋନା ମାଡ଼ । ଆଉ ଏବେ ଡିଜେଲ ଅମୂଲ ମୂଲ । ଶତକ ଛୁଆଁ ଡିଜେଲ୍ ଖାଲି ଯେ ଶହ ଶହ ବୋଟ୍ ଓ ଟ୍ରଲର ଚଳାଚାଳରେ ବେଡି ପକାଇଛି ତା ନୁହେଁ, ସମୁଦ୍ରରେ ମାଛ ଧରି ଜୀବିକା ଅର୍ଜନ କରୁଥିବା ଧୀବର ଓ ସେମାନଙ୍କ ପରିବାର ଲୋକଙ୍କ ମୁହଁରୁ ବି ସିଧା ଦାନା ଛଡ଼ାଇ ନେଇଛି ।
ବାଲେଶ୍ୱର ଜିଲ୍ଲା ବଳରାମଗଡ଼ିରେ ଡିଜେଲ ଦର ୬୦ରୁ ୭୦ ଟଙ୍କା ଥିଲାବେଳେ ସରକାରଙ୍କଠୁ ରିହାତି ଦାବି କରୁଥିଲା ନିଖିଳ ଓଡ଼ିଶା ମତ୍ସ୍ୟ ଉତ୍ପାଦକ ସଂଘ । ଏବେ ତ ସ୍ଥିତି ପୁରା ସାଂଘାତିକ, ଡିଜେଲ ସାଙ୍ଗକୁ ଜାଲ, ବରଫ ଓ ବୋଟ୍ ଯନ୍ତ୍ରାଂଶ ବି ଆକାଶଛୁଆଁ ଦର ହେଲାଣି । ଡିଜେଲ ଦର ନକମିଲେ କିମ୍ବା ଭାଟ୍ ଛାଡ଼ ନହେଲେ ଆଗକୁ ଆନ୍ଦୋଳନକୁ ଓହ୍ଲାଇବାକୁ ସଂଘ ଧମକ ଦେଲାଣି ।
Also Read
ସେପଟେ ସାମୁଦ୍ରିକ ମତ୍ସ୍ୟ ବିଭାଗ ଉପ ନିର୍ଦ୍ଦେଶକ କହିଛନ୍ତି, ୨୦୦୬ ମସିହା ପରଠୁ ସରକାର ଡିଜେଲ ଉପରେ ରିହାତି ଦେବା ବନ୍ଦ କରିଛନ୍ତି । ବୋଟ୍ ମାଲିକମାନେ ସଠିକ୍ ଫୋରମରେ ଦାବି କଲେ ନିଷ୍ପତ୍ତିର ପୁର୍ନବିଚାର ହୋଇପାରେ ।
ନିଇତି ଦୌଡୁଛି ତୈଳଦର । ଆଜି ପୁଣି ପେଟ୍ରୋଲ ଲିଟର ପିଛା ୩୦ ପଇସା, ଡିଜେଲ ୩୫ ପଇସା ବଢିଛି । କାଲିମେଳାରେ ପେଟ୍ରୋଲ ୧୧୦ଟଙ୍କା ଛୁଇଁଛି । ତୈଳ ଦର ବୃଦ୍ଧିକୁ ନେଇ ଥମୁନି ରାଜନୀତି । ପେଟ୍ରୋଲକୁ କେନ୍ଦ୍ର ସରକାର ପଲିଟିକାଲ ଟୁଲ ଭାବେ ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି ରାଜ୍ୟ ଖାଦ୍ୟ ଓ ଯୋଗାଣମନ୍ତ୍ରୀ । ଜବାବରେ ବିଜେପି କହିଛି, ତୈଳରୁ ଆଦାୟ ରାଜସ୍ୱରେ କରୋନା ମୁକାବିଲା କରାଯାଉଛି । ରାଜ୍ୟ ସରକାର ନିଜସ୍ୱ ଟିକସ କମାଇ ଲୋକଙ୍କୁ ଆଶ୍ୱସ୍ତି ଦିଅନ୍ତୁ ।