• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଜଳବାୟୁ ପରିବର୍ତ୍ତନର ପ୍ରଭାବ ପଡିଛି ସାମୁଦ୍ରିକ ଅଭୟାରଣ୍ୟ ଗହିରମଥାରେ । ବିଳମ୍ବ ହୋଇଛି ବିରଳ ଅଲିଭ୍ ରିଡଲେ କଇଁଛଙ୍କ ସାମୁହିକ ଅଣ୍ଡାଦାନ ପ୍ରକିୟା । ଚଳିତ ମାସ ୨ ତାରିଖରୁ ଗହିରମଥାର ବାବୁବାଲି ଓ ନାଶୀ -୨ରେ ସମୁହ ଅଣ୍ଡା ଦାନ କରିଛନ୍ତି ।

ସାଧାରଣତଃ ଫେବୃୟାରୀ ଶେଷ ସପ୍ତାହ କିମ୍ବା ମାର୍ଚ୍ଚ ମାସ ପ୍ରଥମ ସପ୍ତାହରେ ଅଣ୍ଡାଦାନ ପ୍ରକିୟା ଆରମ୍ଭ ହେବା କଥା କିନ୍ତୁ ଏବେ ବିଳମ୍ବ ହୋଇ ଏପ୍ରିଲ ପ୍ରଥମ ସପ୍ତାହରେ ଆରମ୍ଭ ହୋଇଛି । ଯାହା ପରିବେଶବିତଙ୍କ ଚିନ୍ତାର କାରଣ ପାଲଟିଛି । ଓଡିଶାର ଏକ ମାତ୍ର ସାମୁଦ୍ରିକ ଅଭୟାରଣ୍ୟ ଗହିରମଥା ।

ଏହା ବିରଳ ଅଲିଭ୍ ରିଡେଲ କଇଁଛମାନଙ୍କର ଏନ୍ତୁଡିଶାଳ ଭାବେ ସମଗ୍ର ବିଶ୍ୱରେ ପରିଚିତ ଲାଭ କରିଛି । ଚଳିତ ବର୍ଷର ପ୍ରାରମ୍ଭିକ ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୬୬ ହଜାର ୬୮୪ଟି ବିରଳ ଅଲିଭ୍ ରିଡେଲ କଇଁଛ ସମୁହ ଅଣ୍ଡାଦାନ କରିଛନ୍ତି । ଯାହା ଗତ ବର୍ଷ ତୁଳନାରେ ବହୁତ କମ । ଯାହାକୁ ନେଇ ପରିବେଶବିତ୍ ଓ ପ୍ରାଣୀବିଜ୍ଞାନୀମାନେ ଚିନ୍ତା ବ୍ୟକ୍ତ କରିଛନ୍ତି ।

ଏହି ବିରଳ କଇଁଛମାନଙ୍କ ଆଗମନକୁ ନଜରରେ ରଖି ୧୯୯୭ ମସିହାରେ କେନ୍ଦ୍ର ସରକାର ଗହିରମଥାକୁ ସାମୁଦ୍ରିକ ଅଭୟାରଣ୍ୟର ମାନ୍ୟତା ପ୍ରଦାନ କରିଥିଲେ । ପ୍ରତିବର୍ଷ ନଭେମ୍ବର ୧ ରୁ ୭ ମାସ ପର୍ଯ୍ୟନ୍ତ ଗହିରମଥାରେ ମାଛ ମାରିବା ଓ ଯନ୍ତ୍ର ଚାଳିତ ଡଙ୍ଗା ଉପରେ କଟକଣା ଜାରି କରାଯାଏ ।

ଏହି ସମୟରେ କଇଁଛମାନେ ଅଷ୍ଟ୍ରେଲିଆ, ଶ୍ରୀଲଙ୍କା ଆଦି ପ୍ରଶାନ୍ତ ମହାସାଗରରୁ ହଜାର ହଜାର ସଂଖ୍ୟାରେ ସାମୁଦ୍ରିକ ନଟିକାଲ ମାଇଲି ପଥ ଅତିକ୍ରମ କରି ଗହିରମଥା ଉପକୂଳକୁ ସୁରକ୍ଷିତ ମନେ କରି ଆସିଥାନ୍ତି ବଂଶ ବିସ୍ଥାର କରିବା ପାଇଁ । ଅଣ୍ଡା ଦେବାର ୪୫ ଦିନ ପରେ ଅଣ୍ଡାରୁ ଛୁଆ ଫୁଟି ଗଭିର ସମୁଦ୍ରକୁ ସେମାନେ ଚାଲି ଯାଇଥାନ୍ତି ।

ଚଳିତ ବର୍ଷ ପ୍ରତିକୁଳ ପାଗ ସତ୍ତ୍ୱେ କେତେ ସଂଖ୍ୟକ କଇଁଛ ଅଣ୍ଡାଦାନ କରୁଛନ୍ତି ଓ ଅଣ୍ଡାରୁ ଛୁଆ ଫୁଟି କେତେ ସୁରକ୍ଷିତ ସମୁଦ୍ରକୁ ଫେରୁଛନ୍ତି ତାହା ଦେଖିବାର କଥା ।

  • Reported by:
  • PRABIR KUMAR NAYAK