• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନିଜ ପତ୍ନୀଙ୍କୁ ଦ୍ୱିତୀୟ ଥର ପାଇଁ ବିବାହ କଲେ ସ୍ୱାମୀ । ହେଲେ କାହିଁକି ? ଏଭଳି ପ୍ରଶ୍ନ ସମସ୍ତଙ୍କ ମନରେ ଆସିବା ସ୍ୱାଭାବିକ୍‌ । କାରଣ ଏଇ କଥାଟା ଟିକେ ଅଡ଼ୁଆ ଲାଗୁଛି । ଜଣେ ସ୍ୱାମୀ ନିଜ ପତ୍ନୀଙ୍କୁ କାହିଁକି ବା ଦ୍ୱିତୀୟ ଥର ପାଇଁ ବିବାହ କରିବ । ଆଜ୍ଞା ହଁ ଘଟଣା ସତ । ରୀତିନୀତି ଓ ବନ୍ଧୁ ବାନ୍ଧବ ବା କୂଳ କୁଟୁମ୍ବଙ୍କ ଉପସ୍ଥିତିରେ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ଦ୍ୱିତୀୟ ଥର ପାଇଁ ବିବାହ କରିଛନ୍ତି ।

ତେବେ ଘଟଣାଟି ଏମିତି ଥିଲା ଯେ, ହଠାତ୍‌ ଦୁଇ ବର୍ଷ ହେବ ମୃତ ସ୍ୱାମୀ ଜୀବନ୍ତ ଫେରିଥିଲେ । ଗାଁ ଲୋକ ଏହା ଦେଖି ହତବାକ୍‌ ହୋଇଯାଇଥିଲେ । ସେପଟେ ସ୍ୱାମୀଙ୍କ ମୃତ୍ୟୁ ଖବର ପାଇ ପତ୍ନୀ ଦୁଇ ବର୍ଷ ହେବ ବିଧବା ଭାବେ ଗାଁରେ ଚଳୁଥିଲେ । ରୀତିନୀତି ଅନୁସାରେ ସ୍ୱାମୀଙ୍କ ଶୁଦ୍ଧକ୍ରୀୟା କରାଯାଇ ପତ୍ନୀଙ୍କ ଶଙ୍ଖା ସିନ୍ଦୁର ପୋଛି ଦିଆଯାଇଥିଲା । ହେଲେ ହଠାତ୍‌ ସ୍ୱାମୀ (ଘାସି ଅମାନାତ୍ୟ) ପହଞ୍ଚିବା ପରେ ପୁଣିଥରେ ବିଧବା ପତ୍ନୀ (ସୁବର୍ଣ୍ଣ)ଙ୍କୁ ବିବାହ କରିଛନ୍ତି । 

ଏଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ବିସିଂହପୁର ପଞ୍ଚାୟତ ଅନ୍ତର୍ଗତ ପୋଡାପଦର ଗାଁରେ । ଗତ ଦୁଇ ବର୍ଷ ପୂର୍ବେ ଘାସି ସେହି ଗାଁର କିଛି ଲୋକଙ୍କ ସହିତ ଦାଦନ ଖଟିବା ପାଇଁ ପଡୋଶୀ ରାଜ୍ୟ ଆନ୍ଧ୍ରକୁ ଯାଇଥିଲେ । କିଛି ମାସ ମଧ୍ୟରେ ଆନ୍ଧ୍ରରେ ବାଟ ବଣା ହୋଇ ନିଖୋଜ ହୋଇଯାଇଥିଲେ ।

 

ସାଙ୍ଗ ମାନେ ବହୁ ଦିନ ଧରି ଖୋଜାଖୋଜି କରିଥିଲେ ବି ଘାସିଙ୍କ କୌଣସି ଖବର ପାଇନଥିଲେ । ନିଖୋଜର ଆଠ ମାସ ପରେ ଘାସିଙ୍କ ମୃତ୍ୟୁ ହୋଇଥିବା ଘର ଲୋକ ଖବର ପାଇଲେ । ହେଲେ ଘାସିଙ୍କ ମୃତଦେହ ପାଇ ନଥିଲେ । ହେଲେ ଗାଁ ଲୋକଙ୍କଠାରୁ ଘାସିଙ୍କ ମୃତ୍ୟୁ ଖବର ଶୁଣି କୁଳ କୁଟୁମ୍ବ ଏକାଠି ହୋଇ ଶୁଦ୍ଧିକ୍ରିୟା ସମ୍ପର୍ଣ୍ଣ କରିଥିଲେ ।

ଅନ୍ୟପଟେ ପରମ୍ପରା ଅନୁସାରେ ମୃତ୍ୟୁ ପରେ ସମସ୍ତ କାର୍ଯ୍ୟ ସାରି ବିଧବା ଭାବେ ଗାଁରେ ବସବାସ କରିଥିଲେ ସୁବର୍ଣ୍ଣ । ଘରୁ ଯିବାର ଦୁଇ ବର୍ଷ ପରେ ଅର୍ଥାତ ଗତ ଦୁଇ ମାସ ତଳେ ନିଜ ଗାଁରେ ଘାସି ହାଜର ହୋଇଗଲେ । ଆଉ ନିଜର ଦୁଃଖ କାହାଣୀ ସମସ୍ତଙ୍କୁ ଜଣାଇଥିଲେ । କୁଳ ସମାଜର ସଭାପତିଙ୍କ ଉପସ୍ଥିତିରେ ଏକ ବୈଠକ ବସିଲା ଏବଂ ପରମ୍ପରା ଅନୁଯାୟୀ ପୁଣି ସ୍ୱାମୀ - ସ୍ତ୍ରୀଙ୍କୁ ବିବାହ କରିବା ପାଇଁ ନିଷ୍ପତ୍ତି ହେଲା । ପରେ ଗାଁର ଶିବ ମନ୍ଦିର ଠାରେ ବ୍ରାହ୍ମଣଙ୍କ ଉପସ୍ଥିତିରେ ବିବାହ ସମ୍ପର୍ଣ୍ଣ ହୋଇଛି ।