/odishatv-khabar/media/post_attachments/uploadimage/library/16_9/16_9_0/IMAGE_1637115852.jpg)
baba dhabaleswar
ରାଜ୍ୟର ଏକ ପ୍ରମୁଖ ଶୈବପୀଠ କଟକ ନିକଟସ୍ଥ ଧବଳେଶ୍ୱର ପୀଠ। ମହାନଦୀ ଭିତରେ ଥିବା ଏହି ଦ୍ୱୀପଟିର ମହିମା କାହିଁ କେତେ କାଳରୁ ରହିଆସିଛି। ବାବାଙ୍କ ଆକର୍ଷଣରେ କେଉଁଠୁ କେଉଁଠୁ ଟାଣି ହୋଇ ଆସନ୍ତି କେତେ କେତେ ଭକ୍ତ। ଆଜି ଆସନ୍ତୁ ଜାଣି ପ୍ରଭୁ ଧବଳେଶ୍ୱରଙ୍କର ମହିମା ବିଷୟରେ। ଜାଣିବା କାହିଁକି ବାବାଙ୍କ ନାଁ ହେଲା ଧବଳେଶ୍ୱର। ଏହା ପଛରେ ଥିଲା କି ଘଟଣାକ୍ରମ।
‘ଧବଳେଶ୍ୱର’ ଶବ୍ଦର ଅର୍ଥ ହେଉଛି ଧବଳ ଈଶ୍ୱର। ଅର୍ଥାତ ଧଳା ରଙ୍ଗର ଭଗବାନ। ବାବା ଧବଳେଶ୍ୱରଙ୍କୁ ନେଇ ରହିଛି ଏକ ରୋଚକ ଲୋକକଥା। ବିଶ୍ୱାସ କରାଯାଏ, ବାବା ଧବଳେଶ୍ୱର କାଳେ ଏକ କଳା ବଳଦକୁ ଧଳା କରି ଦେଇଥିଲେ। ଏହି କିମ୍ବଦନ୍ତୀ ଅନୁସାରେ, ଏହି ଘଟଣା ପରେ ସେ ଧବଳେଶ୍ୱର ନାମରେ ଖ୍ୟାତ ହେବାରେ ଲାଗିଥିଲେ। ଆସନ୍ତୁ ଜାଣିବା ଏହି ପୂରା କାହାଣୀ।
ଲୋକକଥା ଅନୁଯାୟୀ, ଥରେ ଜଣେ ଚୋର ଗୋଟିଏ କଳା ବଳଦ ଚୋରି କରି ଆଣିଥିଲା। ଏ କଥା ଜାଣି ପାରିଲେ ଲୋକମାନେ। ତା ପରେ ଚୋରଟିକୁ ଲୋକେ ଗୋଡେଇବା ଆରମ୍ଭ କରିଦେଇଥିଲେ। ଚୋରଟି ବା ଆଉ କଣ କରିପାରିବ। ଧରାପଡ଼ି ମାଡ଼ କାଇବା ଭୟରେ ସେ ଲୁଚି ଯାଇଥିଲା ମହାନଦୀର ପାଣି ଘେରି ରହିଥିବା ଏହି ଦ୍ୱୀପ ସଦୃଶ ସ୍ଥାନରେ।
ଏହି ସ୍ଥାନଟି ସେତେବେଳେ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା। ଲୋକମାନେ ଚୋରକୁ ଜଗି ରହିଥିଲେ। ଧରା ପଡିଗଲେ ଲୋକଙ୍କ ହାତରେ ଜୀବନ ଯିବାର ଭୟ ଚୋରକୁ ଘାରୁଥିଲା। ସେ ଭଗବାନ ଶିବଙ୍କୁ ପ୍ରାର୍ଥନା କରିବାକୁ ଲାଗିଲା। ଚୋର ତା’ର ଜୀବନ ବଞ୍ଚାଇ ଦେବାକୁ ଭଗବାନଙ୍କୁ ଡାକୁଥାଏ। ଏହି ସମୟରେ ଭଗବାନ ଶିବ ଜଣେ ସନ୍ୟାସୀ ବେଶରେ ତା ଲୋକଙ୍କ ଆଗରେ ଉଭା ହେଲେ। ଲୋକମାନଙ୍କୁ ସେ ସେମାନଙ୍କ ରାଗିବାର କାରଣ ପଚାରିଲେ। ଲୋକମାନେ କହିଲେ, ଆମର ଗୋଟିଏ କଳା ବଳଦ ଚୋରି ହୋଇଯାଇଛି। ଚୋର ଏଇଠି କୋଉଠି ଲୁଚିଛି, ଆମେ ତାକୁ ଜଗି ରହିଛୁ।
ଏ କଥା ଶୁଣି ସନ୍ୟାସୀ ରୂପରେ ଥିବା ଭଗବାନ ଶିବ କହିଲେ, ଏଠି ତ କଳା ବଳଦ ନାହିଁ। ଦୂରରେ ଚରୁଥିବା ବଳଦ ତ ଧଳା। ଲୋକମାନେ ମଧ୍ୟ ଦେଖିଲେ, ସତରେ କିଛି ଦୂରରେ ଗୋଟିଏ ଧଳା ବଳଦ ଚରୁଥିଲା। ଏହାପରେ ଲୋକମାନେ ବୁଝିଗଲେ। ଚୋରି ହୋଇଥିବା ବଳଦ ଏହା ନୁହେଁ। ଚୋର ବି ବାହାରି ଆସିଲା। ସେଠାରୁ ସନ୍ୟାସୀ ଜଣକ କେଉଁଆଡେ ଅନ୍ତର୍ଦ୍ଧାନ ହୋଇଗଲେ। ଚୋର ଭୟରେ କିନ୍ତୁ ଥରୁଥାଏ। ସାହସ ଜୁଟାଇ ଚୋର ଲୋକଙ୍କୁ ସବୁ କଥା କହିଲା। ଚୋର କହିଲା ଯେ, ସେ କଳା ବଳଦ ଚୋରି କରି ଆଣିଥିଲା। କିନ୍ତୁ ଭଗବାନ ଶିବ ତା’ର ଆକୁଳ ନିବେଦନ ଶୁଣି କଳା ବଳଦକୁ ଧଳା କରିଦେଇଛନ୍ତି।
ମନ୍ଦିରର ଜଣେ ପୂଜକଙ୍କ କହିବା ଅନୁଯାୟୀ, ସେହିଦିନଠାରୁ ଲୋକମାନେ ଏହି ପୀଠରେ ଭଗବାନ ଶିବଙ୍କୁ ବାବା ଧବଳେଶ୍ୱର ଭାବେ ପୂଜା କଲେ। ଆଉ ପୀଠଟି ଧବଳେଶ୍ୱର ପୀଠ ନାମରେ ଖ୍ୟାତ ହେଲା। ସବୁଆଡ଼େ ପ୍ରଚାରିତ ହେବାକୁ ଲାଗିଲା ବାବା ଧବଳେଶ୍ୱରଙ୍କ ମହିମା।
ପ୍ରତିବର୍ଷ କାର୍ତ୍ତିକ ମାସ ପଞ୍ଚୁକରେ ଏହି ପୀଠକୁ ଲୋକଙ୍କର ସୁଅ ଛୁଟିଲା। ପଞ୍ଚୁକ ତ୍ରୟୋଦଶୀ ତିଥିରେ ବଡ଼ ଧୁମଧାମରେ ଏଠି ପାଳନ ହୁଏ ବଡଓଷା। ସବୁ ଓଷା ଭିତରେ ଏହା ବଡ ବୋଲି କୁହାଯାଏ। ଏହି ଓଷାରେ ଗଜଭୋଗ ଠାକୁରଙ୍କୁ ଅର୍ପଣ କରାଯାଏ। ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀ ତିଥିର ମଧ୍ୟରାତ୍ରରେ ଏହି ଭୋଗ ଲାଗି ହୁଏ। ଚତୁର୍ଦ୍ଦଶୀ ତିଥିର ସକାଳେ ଭକ୍ତମାନେ ଗଜଭୋଗ ପାଆନ୍ତି। ଏହି ଭୋଗର ମଧ୍ୟ ସ୍ୱାତନ୍ତ୍ର୍ୟ ରହିଛି। ଠାକୁର କଳା ବଳଦକୁ ଧଳା କରିଥିବାରୁ ଗଜ ଭୋଗର ଭିତର କଳା ଓ ବାହାର ଧଳା ହୋଇଥାଏ।
ଧଳା ରଙ୍ଗର ଚାଉଳ ଚୁନାରେ ତିଆରି ହୋଇଥିବାରୁ ଏହା ଧଳା ଦେଖାଯାଏ। କିନ୍ତୁ ଭିତରେ ମୁଗ ଓ ଗୁଡ଼ରେ ତିଆରି ପୁର ଦିଆଯାଇଥାଏ। ତେଣୁ ଭିତର କଳା ଦିଶେ। ଗଜଭୋଗ ହେଉଛି ଏକ ସ୍ୱତନ୍ତ୍ର ପ୍ରକାରର ପିଠା। ଏହାର ଉପରି ଭାଗ ବଳଦର ଶିଙ୍ଗ ପରି ଗୋଜିଆ ହୋଇଥାଏ। ଏହା ହେଉଛି ଲୋକକଥା। କଟକ ଓ ଆଠଗଡ଼ ଅଞ୍ଚଳର ଅଧିକାଂଶ ଲୋକଙ୍କର ଏହା ହେଉଛି ବିଶ୍ୱାସ। ଏହି ପୀଠ ଲୋକଙ୍କ ଆଧ୍ୟାତ୍ମିକ ଭାବଧାରା ସହ ଜଡ଼ିତ।
ଯାହା ବି ହେଉ ଏହି ସ୍ଥାନ ରାଜ୍ୟର ଏକ ପ୍ରମୁଖ ଦର୍ଶନୀୟ ସ୍ଥାନ। କଟକ ସହରର ବିଡାନାସୀର ଅପର ପାର୍ଶ୍ୱରେ ଏହାର ଅବସ୍ଥିତି। ନଦୀ ମଝିରେ ଥିବା ଏହି ସ୍ଥାନକୁ ଏକ ଝୁଲା ପୋଲ ସଂଯୋଗ କରୁଛି। ପୂର୍ବରୁ ଏଠାକୁ ଡଙ୍ଗାରେ ଯିବାକୁ ପଡୁଥିଲା। ବର୍ତ୍ତମାନର ମନ୍ଦିରଟି ଷୋଡ଼ଶ ଶତାବ୍ଦୀରେ ତିଆରି ହୋଇଥିବାର ଅନୁମାନ କରାଯାଏ। ଏହି ପୀଠରେ ଶିବରାତ୍ରୀ ମଧ୍ୟ ଜାକଜମକରେ ପାଳିତ ହୁଏ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)