• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସୋନପୁର ବଡ଼ବାହାଲି ଛକ ଦୁର୍ଘଟଣା ପାଇଁ ମାରୁତି ଏର୍ଟିଗା ଦାୟୀ । ଦୁର୍ଘଟଣାକୁ ନେଇ SP ଅମରେଶ ପଣ୍ଡା ନିଜର ପ୍ରତିକ୍ରିୟା ରଖିଛନ୍ତି । ଭୁଲ ଦିଗରୁ ଯାଇ ମାରୁତି ଏର୍ଟିଗା ଦୁର୍ଘଟଣା ଘଟାଇଛି । ଦୁର୍ଘଟଣା ଘଟାଇଥିବା ଗାଡ଼ିର ଓନର ହେଉଛନ୍ତି ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା । ଗାଡ଼ିରେ ସ୍ନିଗ୍ଧାରାଣୀ ଥିବାବେଳେ ଡ୍ରାଇଭର ଗାଡ଼ି ଚଳାଉଥିଲେ । ଦୁର୍ଘଟଣା ପରେ ଉଭୟେ ଫେରାର ମାରିଛନ୍ତି ।

ତେବେ ସୋନପୁର-ବଲାଙ୍ଗିର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି । ଘଟଣାକୁ ନେଇ ଲୋକେ ରାସ୍ତାରୋକ କରିଛନ୍ତି । ରାସ୍ତାରୋକ ଯୋଗୁଁ ବଲାଙ୍ଗିର-ସୋନପୁର ଯାତାୟାତ ଠପ୍ ହୋଇଯାଇଛି । କ୍ଷତିପୂରଣ ଦାବିରେ ଶବ ଉଠାଇବାକୁ ଦେଉ ନାହାନ୍ତି ଉତ୍ତ୍ୟକ୍ତ ଲୋକେ ।

ଦୁର୍ଘଟଣା ଘଟାଇଥିବା କାରରେ ଇନ୍ସପେକ୍ଟର ଥିବାରୁ ତାଙ୍କୁ ଗିରଫ ଦାବି କରିଛନ୍ତି । ଘଟଣାସ୍ଥଳରେ ସୋନପୁର ଏସପି ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି । ସେପଟେ ଦୁର୍ଘଟଣା ଘଟାଇଥିବା କାରରେ ଇନ୍ସପେକ୍ଟର  ସ୍ନିଗ୍ଧାରାଣୀ ସୁନା ଥିଲେ ବୋଲି ସୋନପୁର SDPO ସୂଚନା ଦେଇଛନ୍ତି । ସେ ସୁନ୍ଦରଗଡ ଜିଲ୍ଲାରେ କାମ କରୁଛନ୍ତି । ତେବେ ସ୍ନିଗ୍ଧାରାଣୀ ପୁରୀରେ ରଥ ଡ୍ୟୁଟି ସାରି କାର୍ ଯୋଗେ ବଲାଙ୍ଗିର ସ୍ଥିତ ଘରକୁ ଫେରୁଥିଲେ । ତେବେ ତାଙ୍କର ଅବସ୍ଥା କିପରି ରହିଛି ଯୋଗାଯୋଗ ହୋଇପାରିନଥିବା ଏସଡିପିଓ କହିଛନ୍ତି ।

ସେହିପରି ଦୁର୍ଘଟଣା ପରଠାରୁ ସ୍ନିଗ୍ଧାରାଣୀଙ୍କ ମୋବାଇଲ ସ୍ୱିଚ୍ ଅଫ ଥିବା ଜଣାପଡ଼ିଛି । ଆଜି ଭୋରରେ ସୋନପୁର ପଟରୁ ବଲାଙ୍ଗିର ଯାଉଥିବା ଏକ କାର ବଡବାହାଲି ଛକରେ ରାସ୍ତାରେ ଛିଡା ହୋଇଥିବା ଏକ ଅଟୋ ଓ ବାଇକକୁ ପିଟିଦେଇଥିଲା । ଦୁର୍ଘଟଣାସ୍ଥଳରେ ହିଁ ଜଣେ ମହିଳାଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତକମାନଙ୍କ ଘର ବଲାଙ୍ଗିର ରାଘବପାଲି ଅଂଚଳରେ ବୋଲି ଜଣାପଡିଛି ।

ସେମାନେ ଅଟୋରେ ପନିପରିବା ବିକ୍ରି କରିବାକୁ ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ଏଥିସହ ୫ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।