/odishatv-khabar/media/post_attachments/uploadimage/library/16_9/16_9_0/IMAGE_1676651383.jpg)
Tallest Shiv
ପୂରା ବିଶ୍ୱ ଦେଖିବ ସବୁଠାରୁ ଉଚ୍ଚ ଶିବମୂର୍ତ୍ତି। ତାହା ପୁଣି ମହାଦେବଙ୍କ ଧ୍ୟାନମୁଦ୍ରା। କଥାଟା ଶୁଣିବା ପରେ ଟିକିଏ ଆଶ୍ଚର୍ଯ୍ୟ ଲାଗୁଥିବ। ଆଉ ପ୍ରଶ୍ନ ଆସୁଥିବ ଏତେ ବଡ଼ ଶିବ ମୂର୍ତ୍ତି କିଏ, କେଉଁଠି ନିର୍ମାଣ କରୁଛନ୍ତି?
ଶୈବକ୍ଷେତ୍ର, ବିରଜା କ୍ଷେତ୍ର, ବରାହ କ୍ଷେତ୍ର ନାଁରେ ପୂରା ବିଶ୍ୱରେ ଖ୍ୟାତି ଅର୍ଜନ କରିଛି ଓଡିଶାର ପୂରାତନ ରାଜଧାନୀ ଯାଜପୁର । ସହର କୋଣଅନୁକୋଣରେ ଶହଶହ ଶିବଲିଙ୍ଗ ରହିଥିବା ବେଳେ ବୈତରଣୀ କୂଳରେ ବରାହ ମନ୍ଦିରକୁ ଲାଗି ଏବେ ଶିବମୂର୍ତ୍ତିର ନିର୍ମାଣ ଚାଲିଛି। ଯାହାକି ବିଶ୍ୱର ଉଚ୍ଚତମ ମୂର୍ତ୍ତି ବୋଲି କୁହାଯାଉଛି।
୧୮୩ ଫୁଟ୍ ଉଚ୍ଚର ଏଇ ମୂର୍ତ୍ତିକୁ ନେଇ ଏବେ ଭାରି ଚର୍ଚ୍ଚା। ଧ୍ୟାନମୁଦ୍ରାରେ ବସିଥିବା ମହାଦେବଙ୍କର ଜୋରଦାର ଚାଲିଛି ନିର୍ମାଣ କାମ। କାମ ପୂରା ସରିନଥିବା ବେଳେ ଏବେଠୁ ମହାଦେବଙ୍କ ଦର୍ଶନ କରିବାକୁ ଭକ୍ତଙ୍କର ଲାଗୁଛି ଭିଡ। ଦେଶର ଅନେକ ସ୍ଥାନରେ ମହାଦେବଙ୍କର ବଡବଡ ମୂର୍ତ୍ତି ପୂଜା ପାଉଥିବା ବେଳେ ଯାଜପୁରରେ ତିଆରି ହେଉଥିବା ମୂର୍ତ୍ତିର ଉଚ୍ଚତା ବହୁ ଅଧିକ ବୋଲି କୁହାଯାଉଛି।
କୁହାଯାଉଛି, ମୂର୍ତ୍ତି ଏତେ ଉଚ୍ଚତା ଯେ ପୂରା ମୁହଁର ସାମ୍ନା ଦର୍ଶନ କରିବାକୁ ଲିଫ୍ଟର ବ୍ୟବସ୍ଥା କରାଯିବ। ଯାହାକୁ ନେଇ ଶ୍ରଦ୍ଧାଳୁଙ୍କ ମନରେ ଏବେଠୁ ବଢିଲାଣି ଉତ୍କଣ୍ଠା। ପୂରାଣ ଆଉ ଇତିହାସ କହେ ଯାଜପୁର ପ୍ରଥମେ ଶୈବକ୍ଷେତ୍ର ତାହା ପରେ ଶକ୍ତିପୀଠ ବିରଜା କ୍ଷେତ୍ର ଭାବରେ ପ୍ରସିଦ୍ଧି ଲାଭ କରିଛି । ପ୍ରଭୁ ପରମେଶ୍ୱର ଏଠାରେ ଦେବତ୍ୱ ପ୍ରାପ୍ତି ପାଇଥିବାରୁ ସମସ୍ତ ଶିବ ଲିଙ୍ଗ କେବଳ ଯାଜପୁରରେ ଇଶ୍ୱର ଭାବେ ପୂଜା ପାଆନ୍ତି । ଯେଉଁଥି ପାଇଁ ବିରଜା ମନ୍ଦିର ବେଢାରେ ୧୦୮ ଲିଙ୍ଗ ପୂଜା ବି ପାଆନ୍ତି। ପବିତ୍ର ଜାଗର ପରି ଦିନରେ କେବଳ ବିରଜା ମନ୍ଦିରରେ ହିଁ ଏକାସାଙ୍ଗରେ ୧୦୮ ଲିଙ୍ଗଙ୍କ ଦର୍ଶନ କରିବାର ସୌଭାଗ୍ୟ ପାଆନ୍ତି ଭକ୍ତ।
ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବୈତରଣୀକୁ ପୁରାଣରେ ଦ୍ୱିତୀୟ ଗଙ୍ଗା ଭାବରେ ବର୍ଣ୍ଣନା କରାଯାଇଛି। ଏବେ ସେହି ପବିତ୍ର ନଦୀ କୂଳରେ ଦେଶର ଉଚ୍ଚତମ ଶିବମୂର୍ତ୍ତି ସ୍ଥାପନ କରାଯାଉଥିବାରୁ କେବଳ ଯାଜପୁର ନୁହେଁ ବରଂ ଭାରତବର୍ଷରେ ଏହାକୁ ନେଇ ଚର୍ଚ୍ଚା ଚାଲିଛି।
(ଯାଜପୁରରୁ ସଂଜୀବ ନାୟକଙ୍କ ରିପୋର୍ଟ)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)