• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ଖାଲ । ଗାଡି ପଡିଗଲେ ବାହାରିବା କଷ୍ଟକର । ସପ୍ତାହେ କି ଦୁଇ ସପ୍ତାହ ନୁହେଁ ବରଂ ମାସମାସ ଧରି ଏମିତି ଅବସ୍ଥାରେ ଯାଉଛନ୍ତି ଲୋକେ । ଯଦି ଅନ୍ୟମନସ୍କରେ କେବେ କାହାର ଗାଡି ସେଥିରେ ପଡିଗଲା, ଗାଡି ଭାଙ୍ଗିବା ସହିତ ଖଣ୍ଡିଆ ଖାବର ହେବା ଥୟ ।

ପ୍ରଥମେ ରାସ୍ତା ପ୍ରଶସ୍ତୀକରଣ ନାଁରେ ଖୋଳି ଦେଲେ, ପରେ ନିମ୍ନମାନର କାମ ନେଇ ସ୍ଥାନୀୟ ଲୋକେ ଅଭିଯୋଗ କଲେ । ତେଣୁ ରାସ୍ତା କାମ ବନ୍ଦ କରିଦେଲେ ଠିକାଦାର । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ତେଜିବା ସହିତ ତୁରନ୍ତ କାମ ସାରିବାକୁ ଜୋର ଧରିଛି ଦାବି ।

ତାଳଚେର ବ୍ଲକ ଅନ୍ତର୍ଗତ ଘଣ୍ଟପଡ଼ା ଗାଁରେ ଏବେ ରାସ୍ତା ସମସ୍ୟା ମୁଖ୍ୟ ସମସ୍ୟା ଭାବରେ ଉଭା ହୋଇଛି । ପୂର୍ବରୁ ଗାଁର ମୁଖ୍ୟ ରାସ୍ତାଟି ଅତି ସଂକୀର୍ଣ୍ଣ ରହିଥିଲା । ଯେହେତୁ ଏହି ରାସ୍ତାଟି ମୁଖ୍ୟ ରାସ୍ତାକୁ ସଂଯୋଗ କରେ ତେଣୁ ପ୍ରତିଦିନ ହଜାର ହଜାର ଲୋକ ଏହା ଉପରେ ନିର୍ଭର କରନ୍ତି । କିନ୍ତୁ ଅଣଓସାରିଆ ରାସ୍ତା ପାଇଁ ଅନେକ ସମୟରେ ଦୁର୍ଘଟଣାର ସାମ୍ନା କରନ୍ତି ଲୋକେ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଗାଁଟି ତାଳଚେର mcl ର ଜଗନ୍ନାଥ ମହାପ୍ରବନ୍ଧକଙ୍କ କାର୍ଯ୍ୟାଳୟ ପାଖରେ ରହିଛି ତେଣୁ ଏହାର ଉନ୍ନତିକରଣ ଏମସିଏଲ ହିଁ କରିଥାଏ ।

ଅନେକ ଦିନ ହେଲାଣି ରାସ୍ତା ମରାମତି ନହେବା କାରଣରୁ ଏମସିଏଲ କର୍ତ୍ତୃପକ୍ଷଙ୍କୁ ଭେଟି ରାସ୍ତା ମରାମତି କରିବାକୁ କହିଥିଲେ । ଆଉ ଲୋକଙ୍କ ଦାବି ଖୁବଶୀଘ୍ର ପୂରଣ ହେବ ବୋଲି ପ୍ରତିଶ୍ରୁତି ମିଳିଥିଲା । ଆଉ ପ୍ରତିଶ୍ରୁତି ପାଳନ କରି କର୍ତ୍ତୃପକ୍ଷ ରାସ୍ତା ନିର୍ମାଣ ଟେଣ୍ଡର କରିଥିଲେ, ଅର୍ଥରାଶି ବି ବ୍ୟୟବରାଦ କରିଥିଲେ । ସୁଶୀଲ ନାଥ ନାମକ ଠିକାଦାରଙ୍କୁ ମୋଟ 61,21,379 ଲକ୍ଷ ଟଙ୍କାର ଟେଣ୍ଡର ବି ମିଳିଥିଲା । ହେଲେ କାମ ନିମ୍ନମାନର ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ରାସ୍ତା କାମ ଅତି ନିମ୍ନମାନର ହେଉଥିବା ନେଇ ଅଭିଯୋଗ ପରେ ଠିକାଦାରଙ୍କୁ ରାସ୍ତା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏମସିଏଲର ମହାପ୍ରବନ୍ଧକ । ଏବେ କାମ ବନ୍ଦ ହେବାରୁ ଅଧପନ୍ତରିଆ ଅବସ୍ଥାରେ ରହିଛି ରାସ୍ତା । ଖରା ଦିନରେ ଯାହା ଯେମିତି ଚଳିଯାଉଥିଲା ହେଲେ ବର୍ଷା ଦିନରେ ସ୍ଥିତି ପୂରା ସଙ୍ଗୀନ ହେଉଛି । ତେଣୁ ତୁରନ୍ତ ରାସ୍ତା ମରାମତି କରିବାକୁ ଜୋର ଧରିଛି ଦାବି ।

 

  • Reported by:
  • MANIL MOHARANA