• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଓଡ଼ିଆ ଘରେ ରସୁଣର ବ୍ୟବହାର ପ୍ରାୟ ସବୁଦିନ ହୁଏ । ପଖାଳ ସହ ରସୁଣ, ଲୁଣ, ଲଙ୍କା ସହ ପିଆଜ ଟିକେ ଖାଇ ଦେଇ କାମରେ ବାହାରି ଯାଆନ୍ତି ଓଡ଼ିଆ ଲୋକେ । ପ୍ରତ୍ୟେକ ବ୍ୟଞ୍ଜନ ସହ ରସୁଣ, ଲଙ୍କା ଟିକେ ପାଗ ନକଲେ ପାଟିକୁ ଭାତ ରୁଚେନି । ପାଖୁଡ଼ାଏ ରସୁଣ ପାଗ କରିଦେଲେ ପେଟର ଭୋକ ମରିଯାଏ ।

କିନ୍ତୁ ଏବେ ସେହି ରସୁଣ ପାଲଟିଛି ଦୁର୍ଲଭ । କିଣିବାକୁ ଅସମର୍ଥ ହେଉଛନ୍ତି ଗରିବ ଓ ମଧ୍ୟବିତ୍ତ ପରିବାର । ପିଆଜ କାଟିଲେ ସିନା ଆଖୁରୁ ପାଣି ବାହାରେ, ଏବେ କିନ୍ତୁ ରସୁଣ କିଣିଲେ ମଧ୍ୟ ରକ୍ତ ଶୁଖିଯାଉଛି । ଦୈନନ୍ଦିନ ଜୀବନରେ ଅତି ଆବଶ୍ୟକ ଥିବା ରସୁଣ ବର୍ତ୍ତମାନ ଅମୂଲମୂଲ । କିଣିବା ପୂର୍ବରୁ ଖାଉଟିକୁ ବାରମ୍ବାର ଭାବିବାକୁ ପଡ଼ୁଛି ।

ଗ୍ରାହକଙ୍କୁ କନ୍ଦାଉଛି ରସୁଣ । ସବୁ ରୋଷେଇରେ ଛୁଙ୍କ ଦେଉଥିବା ରସୁଣ କେଜି ଏବେ ୪୦୦ ଟଙ୍କା । ଶହେ ଗ୍ରାମ୍ କିଣିଲେ ୫୦ ଟଙ୍କା ନେଉଛନ୍ତି ବ୍ୟବସାୟୀ । ରସୁଣର ଏଭଳି ଅହେତୁକ ଦରବୃଦ୍ଧି ପୂର୍ବରୁ କେବେ ହୋଇନଥିଲା । କଟକ ଛତ୍ର ବଜାରରେ ରସୁଣର ହୋଲସେଲ ଦର ୩୫୦ରୁ ୩୭୦ ଟଙ୍କା ଥିବାବେଳେ, ଖୁଚୁରା ଦୋକାନରେ ଏବେ ୪୦୦ରୁ ଉର୍ଦ୍ଧ ଟଙ୍କାରେ ବିକ୍ରି ହେଉଛି ରସୁଣ ।

ସାଧାରଣତଃ ଓଡ଼ିଶାକୁ ଇନ୍ଦୋର ଓ ଉତ୍ତରପ୍ରଦେଶରୁ ରସୁଣ ଆସିଥାଏ । ହେଲେ ସେଠାରେ ଏବେ ରସୁଣ ଉତ୍ପାଦନ କମ ଥିବାରୁ ଦର ବୃଦ୍ଧି ପାଉଛି ବୋଲି କହିଛନ୍ତି ବ୍ୟବସାୟୀ । ଯଦିଓ ଏବେ ବଜାରକୁ ନୂଆ ରସୁଣ ଆସିଲାଣି କିନ୍ତୁ ତାହା ସମୁଦ୍ରକୁ ଶଙ୍ଖେ । ତେବେ ଦର ନିୟନ୍ତ୍ରଣକୁ ଆସିବା ପାଇଁ ଆହୁରି ୧୦ରୁ ୧୫ ଦିନ ଲାଗିପାରେ ବୋଲି କହିଛନ୍ତି ଛତ୍ର ବଜାର ବ୍ୟବସାୟୀ ସଂଘ ସମ୍ପାଦକ ।