Advertisment

ସିଙ୍ଗଲ ପ୍ୟାରେଣ୍ଟ୍ କନକଲତା ସଂଘର୍ଷ କରି କେମିତି ବନିଲେ ଉଦ୍ୟୋଗୀ

ସମୟଚକ୍ରରେ ପେସି ହୋଇଚାଲିଛି ଏ ମଣିଷ। କେତେବେଳେ ସେ ଭାଙ୍ଗି ଚୁର୍‌ମାର୍ ହୋଇଯାଉଛି ତ କେବେ ସମୟ ଦେଖାଉଛି ନୂଆ ଆଶା ଓ ସମ୍ଭାବନା। ଏମିତି ଏକ ସମୟଚକ୍ରରେ ଘାଣ୍ଟିହୋଇ ଆଗକୁ ବଢିଛନ୍ତି କନକଲତା ଭଞ୍ଜ। ତେବେ କ’ଣ ଥିଲା ତାଙ୍କର ସ୍ୱପ୍ନ? ଏବେ କେଉଁ ମୋଡରେ ପହଞ୍ଚିଛି ତାଙ୍କ ଜୀବନ? ସେହି ଅକୁହା କଥା କହିଛନ୍ତି କନକଲତା।

author-image
Pramod Behera
ଅଦ୍ୟତନ ହୋଇଛି
Successful life of Kanakalata Bhanja after a great struggle

Successful life of Kanakalata Bhanja after a great struggle

ଈଶ୍ୱରଙ୍କ ଅନବଦ୍ୟ ସୃଷ୍ଟି ହେଉଛି ନାରୀ। ସେ ପ୍ରେରଣାଦାୟୀ, ହାସ୍ୟମୟୀ, ଲାସ୍ୟମୟୀ, ଶକ୍ତି ପ୍ରଦାୟିନୀ। ନିଜେ ଦୁଃଖ ସହି ଅନ୍ୟକୁ ସୁଖ ଦେବା ତା’ର ସହଜାତ ଗୁଣ, କିନ୍ତୁ ପରିବର୍ତ୍ତିତ ପରିସ୍ଥିତିରେ ସେ ଆଉ ରୋଷେଇ ଘରେ ସୀମିତ ହୋଇ ରହିନାହିଁ। ପ୍ରଗତିର ସ୍ରୋତରେ ସେ ଆଗକୁ ବଢିଛି ନିଜର ପ୍ରଚଣ୍ଡ ଇଛାଶକ୍ତି ବଳରେ। ଏହି ବିଶାଳ ପୃଥିବୀରେ ସେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିସାରିଛି। ସେହି ନାରୀମାନେ ଆମ ସମାଜ ପାଇଁ ଜଣେ ଜଣେ ପ୍ରେରଣା।

Advertisment

ସମୟଚକ୍ରରେ ପେସି ହୋଇଚାଲିଛି ଏ ମଣିଷ। କେତେବେଳେ ସେ ଭାଙ୍ଗି ଚୁର୍‌ମାର୍ ହୋଇଯାଉଛି ତ କେବେ ସମୟ ଦେଖାଉଛି ନୂଆ ଆଶା ଓ ସମ୍ଭାବନା। ଏମିତି ଏକ ସମୟଚକ୍ରରେ ଘାଣ୍ଟିହୋଇ ଆଗକୁ ବଢିଛନ୍ତି କନକଲତା ଭଞ୍ଜ। ତେବେ କ’ଣ ଥିଲା ତାଙ୍କର ସ୍ୱପ୍ନ? ଏବେ କେଉଁ ମୋଡରେ ପହଞ୍ଚିଛି ତାଙ୍କ ଜୀବନ? ସେହି ଅକୁହା କଥା କହିଛନ୍ତି କନକଲତା।

କନକଲତାଙ୍କ ଘର ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ ଅନ୍ତର୍ଗତ ଚାପୁଆ ଗାଁରେ। ସବୁ ପିଲାଙ୍କ ଭଳି ସେ ବି ଦିନେ ଦେଖିଥିଲେ ସ୍ୱପ୍ନ। ତାଙ୍କର ସ୍ୱପ୍ନ ଥିଲା ସେ ବଡ ହେଇ ସମାଜସେବା କରିବେ, ଦୁର୍ନୀତି ବିରୋଧରେ ଲଢିବେ ଆଉ ଏ ସମାଜକୁ ସୁଧାରିବେ। କିନ୍ତୁ ଜୀବନର ପ୍ରଥମ ସୋପାନରେ ତାଙ୍କ ପାଇଁ ବିଧିର ବିଧାନ ଥିଲା ଭିନ୍ନ। ତାଙ୍କର ଏହି ସ୍ୱପ୍ନ ଭାଙ୍ଗି ଚୂର୍‌ମାର୍ ହୋଇଯାଇଥିଲା। କିନ୍ତୁ ତାଙ୍କର ଏହି ଭଙ୍ଗା ସ୍ୱପ୍ନରୁ ସେ ବାଛି ନେଇଥିଲେ।

Advertisment

ସ୍ୱାମୀ ଛାଡି ଚାଲିଗଲା ପରେ ସେ ବାପ ଘରକୁ ଚାଲିଆସିଥିଲେ। କିନ୍ତୁ ବାପ ଘରର ଆର୍ଥିକ ସମସ୍ୟାକୁ ଦେଖି ସେଠୁ ଛାଡି ବିବାହିତ ଭଉଣୀଙ୍କ ଘରେ ଆଶ୍ରୟ ନେଇଥିଲେ କନକଲତା। କିନ୍ତୁ ଏତିକିରେ ସରିଯାଏନି ତାଙ୍କ ଦୁଃଖ। ପରେ ପୁଣି ଫେରିଆସନ୍ତି ସ୍ୱାମୀ। ମିଠା ମିଠା କଥା କହି ତାଙ୍କୁ ପୁଣି ଭୁଲାନ୍ତି। ଏଥର ସରଳ ବିଶ୍ୱାସୀ କନକଲତାଙ୍କ ପଛରେ ସ୍ୱାମୀଙ୍କ ଷଡଯନ୍ତ୍ର ଥିଲା ଆହୁରି ଭୟଙ୍କର। ସେ ତାଙ୍କୁ ଜୀବନରୁ ମାରିଦେବାରେ ଯୋଜନାରେ ଥିଲେ। କିନ୍ତୁ ‌ଈଶ୍ୱରଙ୍କ ଇଛା ଥିଲା ଅଲଗା। ସେ ଏଥିରୁ ବଞ୍ଚିଗଲେ।

ବାରମ୍ବାର ସ୍ୱାମୀଙ୍କ ଷଡଯନ୍ତ୍ର ପରେ ବି କନକଲତାଙ୍କ ସ୍ୱାମୀ ଭକ୍ତି କମି ନଥିଲା। ପୁଣି ସ୍ୱାମୀର ଷଡଯନ୍ତ୍ରର ଶିକାର୍ ହୋଇଥିଲେ ସେ। ସ୍ୱାମୀର ମିଛ ନେହୁରା ପରେ ସେ ତାଙ୍କ ପାଖରେ ରହିଥିଲେ। ଏହାରି ଭିତରେ ତାଙ୍କର ହୋଇଯାଇଥାଏ ଆଉ ଏକ ପିଲା।

ଏତିକିରେ ସରେ ନାହିଁ କନକଲତାଙ୍କ ସଂଘର୍ଷର କାହାଣୀ। ମାସକୁ ମାତ୍ର ୧୫ଶହ ଟଙ୍କାରେ ସେ କେମିତି ଚଳିବେ ଏବଂ ଦୁଇ ପିଲାଙ୍କର ଖର୍ଚ୍ଚ କେମିତି ତୁଲାଇବେ, ତାହାହିଁ ସେ ସମୟରେ ତାଙ୍କ ପାଇଁ ଥିଲା ଏକ ଚ୍ୟାଲେଞ୍ଜ୍। ତେଣୁ ଅଧିକ କିଛି ରୋଜଗାର ଆଶାରେ ନିଜର ଏକ ହଷ୍ଟେଲ ଗଢିବାକୁ ସେ ନିଷ୍ପତି ନନେଲେ। ହେଲେ ସେଥିପାଇଁ ବାଧକ ସାଜିଥିଲା ଅର୍ଥ। ତେବେ ସେହି ଅର୍ଥର କିଛି ଭାଗ ନିଜର କାନଫୁଲ ବିକ୍ରିକରି ଯୋଗାଡ କରିଥିଲେ କନକଲତା।

ସେ ନାରୀ। ତା’ ପାଖରେ ରହିଛି ଅସୀମ ଧୈର୍ଯ୍ୟ ଓ ଶକ୍ତି। ଅନ୍ୟର ଦୟାରେ ସେ ବଂଚିବାକୁ ଚାହେଁନା କି ବିଶ୍ୱାସଘାତକତାକୁ ପ୍ରଶ୍ରୟ ଦିଏନା। ନିଜର ସମ୍ମାନ ପାଇଁ ଲଢିପାରେ ନାରୀ। ଜୀବନ ଜୀବିକା ପାଇଁ ସେ ସଂଘର୍ଷ କରିଥାଏ, ଆଉ ନିଜ ଇଛାରେ ତୋଳିଥାଏ ତା’ର ଘର ସଂସାର। ଜୀବନଯୁଦ୍ଧରେ ସେ ଝୁଣ୍ଟିଥାଏ ସତ କିନ୍ତୁ ହାରି ନଥାଏ। ସେମିତି ଏକ ସଂଘର୍ଷରୁ ନିଜ ଜୀବନକାହାଣୀ ଲେଖିଛନ୍ତି କନକଲତା।

ଏହା କେବଳ କନକଲତାଙ୍କ କାହାଣୀ ନୁହେଁ। ଆମ ସମାଜରେ ଏମିତି ଅନେକ ନାରୀ ଅଛନ୍ତି ଯେଉଁମାନେ କି ବିଭିନ୍ନ ସମସ୍ୟା ଦେଇ ଗତିକରିଥାନ୍ତି। ବେଳେବେଳେ ପରିସ୍ଥିତିର ଚାପରେ ସେମାନେ ନିଜକୁ ଅସହାୟ ଏବଂ ଅସୁରକ୍ଷିତ ମନେକରିଥାନ୍ତି। ଏମିତିକି ଜୀବନ ହାରିବାକୁ ନିଷ୍ପତି ବି ନେଇଥାନ୍ତି କିନ୍ତୁ ସବୁ ପରିସ୍ଥିତି ସହିତ ଜୁଝିବାର ଶକ୍ତି ଜୁଟାଇଥାଏ ନାରୀ। ସେଥିପାଇଁ ତ ସେ ଅପରାଜିତା। ଆଜି ସେମିତି ଏକ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି କନକଲତା।

ଜଟିଳ ପରିସ୍ଥିତିରେ ସଠିକ୍ ନିଷ୍ପତି ହିଁ ବଦଳେଇ ଦେଇଛି ତାଙ୍କ ଭାଗ୍ୟ। କନକଲତାଙ୍କ ସଂଘର୍ଷର ଗୋଟିଏ ଗୋଟିଏ ଫର୍ଦ ଆଜିବି ସେମିତି ତାଜା ହୋଇ ରହିଛି। ସିଙ୍ଗଲ୍ ପ୍ୟାରେଣ୍ଟ୍ ହେବାର ଦୁଃଖ ତାଙ୍କୁ ମର୍ମାହତ କରିଛି ସତ, କିନ୍ତୁ ପରିସ୍ଥିତି ଆଗରେ ସେ କେବେବି ମୁଣ୍ଡ ନୁଆଇଁ ନାହାନ୍ତି କି ହାରିଯାଇ ନାହାନ୍ତି ବରଂ ଜଟିଳ ପରିସ୍ଥିତିରେ ନିଜକୁ ଅଧିକ ସଶକ୍ତ କରିଛନ୍ତି, ନିଜ ମନୋବଳକୁ ମଜବୁତ୍ କରିଛନ୍ତି ଆଉ ସଫଳତା ବି ପାଇଛନ୍ତି।

ସମ୍ମାନର ସହ ବଂଚିବାର ଏ ଲଢେଇ ଏମିତି ଜାରି ରହିବ ସମୟ ବଦଳିବା ସହିତ ନାରୀକୁ ନିଜ ନିଷ୍ପତି ନେବାକୁ ପଡିବ। ପରିସ୍ଥିତି ଯେତେ ଖରାପ ଥାଉନା କାହିଁକି, ଘର କୋଣରେ ବସି ଗୁମୁରିଗୁମୁରି କାନ୍ଦିବା ବଦଳରେ ତାକୁ ପ୍ରମାଣିତ କରିବାକୁ ପଡିବ ଯେ ସେ ନାରୀ ଅବଳା କି ଦୁର୍ବଳା ନୁହେଁ, ସେ ବି ଆଣିପାରେ ସମାଜର ପରିବର୍ତ୍ତନ। ସେ ଅନ୍ୟମାନଙ୍କ ପାଇଁ ବନିପାରେ ପ୍ରେରଣା।

Inspirational Story
Advertisment
Advertisment