• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭଦ୍ରକ(ପାର୍ଥସାରଥୀ ନାୟକ) : ଆଜିକାଲି ଦୁନିଆରେ ଯୁବପୀଢ଼ିଙ୍କୁ ଚାଷ କଥା କହିଲେ ମୁହଁ ମୋଡ଼ି ଦେଉଛନ୍ତି । କିନ୍ତୁ ଭଦ୍ରକ ଜିଲ୍ଲା ବସନ୍ତିଆ ଅଞ୍ଚଳର ଜଣେ ଏପରି ଯୁବ ସଫଳ ଚାଷୀ ଅଛନ୍ତି, ଯାହାଙ୍କ କାହାଣୀ ସମସ୍ତଙ୍କୁ ପ୍ରେରଣା ଯୋଗାଇବ । ସେ ଜଣେ ମେକାନିକାଲ୍ ଇଞ୍ଜିନିୟର । ପରିସ୍ଥିତିର ଚାପରେ କିମ୍ବା ଅଭାବ ଯୋଗୁ ଚାଷ କାମକୁ ‌ଆଦରି ନେଇଛନ୍ତି ତାନୁହେଁ, ବରଂ ନିଜ ଇଚ୍ଛାରେ ଜମିରେ ଭଳି କି ଭଳି ଫସଲ ଫଳାଇ ଅନେକ ପରିବାର ପାଇଁ ପାଲଟି ଯାଇଛନ୍ତି ଅନ୍ନଦାତା ।

ଭଦ୍ରକ ବନ୍ତ ବ୍ଳକ ଅଧିନସ୍ତ ବସନ୍ତିଆ ପଞ୍ଚାୟତ ସିଲନ୍ଦୀ ଗାଁର ଉଦୟନାଥ କର । ପେଶାରେ ମେକାନିକାଲ ଇଞ୍ଜିନିଅର, ନିଶା ଚାଷ । ତାହା ପୁଣି ଭଳିକି ଭଳି ଚାଷ । ଜମିରେ ଗଛ ତ ଲଗାଇଛନ୍ତି । ତାସହ ମାଛଚାଷ, କୁକୁଡ଼ା ଚାଷ, ଜିଆ ଚାଷ, ଧଳା ଘୁଷୁରୀ, ଠେକୁଆ ଚାଷ କରିଛନ୍ତି । ଏପରିକି ଗୋପାଳନ ସହ ଦୁଗ୍ଧ ଚାଷ କରି ବେଶ୍ ଦୁଇ ପଇସା ଉପାର୍ଜନ କରୁଛନ୍ତି ଉଦୟନାଥ । ନିଜର ବୁଦ୍ଧି ଖଟାଇ କଶ୍ମିରୀ ସେଓ, ପିଜୁଳି, ଘାସ, ମୁକ୍ତା, ହଂସ, କୁକୁର ଏବଂ ବତକ ଆଦି ଚାଷ ବ କରିଛନ୍ତି । ଅବଶ୍ୟ ଏଥିପାଇଁ ସେ ତାଲିମ ନେଇଛନ୍ତି ।

ଇଞ୍ଜିନିୟରିଂ ପାଠପଢା ପରେ ଏକ କମ୍ପାନୀରେ ଯୋଗଦେଇଥିଲେ ଉଦୟନାଥ । କିନ୍ତୁ ହଠାତ୍ ଚାକିରୀରେ ଯୋଗଦେବାର ମାତ୍ର ଦିନକ ପରେ ଇସ୍ତଫା ଦେଇଥିଲେ । ଆଉ ତାପରେ ଗାଁକୁ ଫେରି ଆସି ନିଷ୍ପତ୍ତି ନେଲେ ଉନ୍ନତ ମାନର ଚାଷ କରିବେ । ତାହା ହିଁ ହେଲା । ୨୨ ଏକର ଜମିରେ ଏବେ ପଶୁ ପାଳନଠୁ ଆରମ୍ଭ କରି ଭଳି କି ଭଳି ଫସଲ ଫଳାଇ ଏବେ ସ୍ୱାଭିମାନର ସହ ସ୍ୱାବଲମ୍ବୀ ହୋଇଛନ୍ତି ଉଦୟନାଥ ।

କରୋନା ଭଳି ପ୍ରତିକୂଳ ସମୟରେ ଉଦୟନାଥ ୨୦ରୁ ୩୦ଜଣଙ୍କୁ ରୋଜଗାର ଦେଇଛନ୍ତି । ପ୍ରାୟ ୧୫ଟି ପରିବାର ଏବେ ନିର୍ଭରଶୀଳ ଉଦୟନାଥଙ୍କ ଉପରେ । ଆଧୁନିକ ଯୁଗରେ ଚାଷ ପ୍ରତି ବିମୁଖ ହେଉଥିବା ଲୋକଙ୍କୁ ନୂଆ ବାର୍ତ୍ତା ଦେଉଥିବା ଉଦୟନାଥ ଏବେ ସଫଳ ଚାଷୀ । ଏଥିପାଇଁ ବିଭିନ୍ନ ମହଲରୁ ପୁରସ୍କୃତ ବି ହୋଇଛନ୍ତି ।