• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

କାନ୍ଥ ଫାଟି ଆଁ କଲାଣି...ଠାଏ ଠାଏ ରଡ୍‌ ଦେଖାଗଲାଣି । ଜୋରରେ ବର୍ଷା ହେଲେ ପାଣି ବି ପଡୁଛି । ଆଉ ଏମିତି ପରିସ୍ଥିତିରେ ପିଲାଏ ପଢୁଛନ୍ତି ପାଠ । ଖାଲି ଛାତ ଫାଟି ଆଁ କରିଛି କି ରଡ୍‌ ଦେଖାଯାଉଛି ତାହା ନୁହେଁ ବରଂ ବେଳେବେଳେ ଛାତରୁ ଖଣ୍ଡେ ଖଣ୍ଡେ ସ୍ଲାବ୍‌ ବି ଖସିପଡୁଛି । ତେଣୁ ଛାତ୍ରଛାତ୍ରୀମାନେ କେମିତି ପାଠ ପଢିବେ? ଯଦି କିଛି ଅଘଟଣ ହୁଏ ତାହାଲେ ଦାୟୀ ହେବ କିଏ?

ଯାଜପୁର କୋରେଇ ବ୍ଲକ ଅନ୍ତର୍ଗତ ରଙ୍ଗରଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ସାମ୍ନାକୁ ଆସିଛି ଏମିତି ଦୃଶ୍ୟ । ସ୍କୁଲର ସମସ୍ୟା ଆଜିକି କାଲିର ନୁହେଁ ବରଂ ଦୀର୍ଘ ଦିନରୁ ଏମିତି ପ୍ରତିକୂଳ ପରିସ୍ଥିତିରେ ପିଲାଏ ପଢୁଛନ୍ତି ପାଠ । ଶ୍ରେଣୀଗୃହ ଓ ଶିକ୍ଷକଙ୍କ ଅଭାବ ସହିତ ବିପଦ ସଂକୁଳ ଅବସ୍ଥାରେ ପାଠ ପଡୁଛନ୍ତି ଛାତ୍ରଛାତ୍ରୀ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ପିଲା ସ୍କୁଲ ଆସିବା ପରେ ଚିନ୍ତାରେ ରୁହନ୍ତି ଅଭିଭାବକ । କାରଣ ମଝିରେ ମଝିରେ ସ୍କୁଲ ଛାତରୁ ସିମେଣ୍ଟ ଖଣ୍ଡ ଖସୁଛି l ଏପଟେ କାନ୍ଥ ଫାଟି ଆଁ କରିଛି । ତେଣୁ ଅଘଟଣର ଆଶଙ୍କା କରୁଛନ୍ତି ଅଭିଭାବକ ।

ସ୍କୁଲ ସମସ୍ୟା ସମ୍ପର୍କରେ ପ୍ରଶାସନଠୁ ଆରମ୍ଭ କରି ରାଜନେତାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଭେଟି ଗୁହାରି କରିଛନ୍ତି ଅବିଭାବକ । ହେଲେ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ବି ହୋଇଛି । ଅଭିଯୋଗ ଏତିକିରେ ସରିନି ବରଂ ବ୍ଲକ୍‌ରେ ଅଧିକାଂଶ ସ୍କୁଲର ଅବସ୍ଥା ଏମିତି ବୋଲି ସ୍ଥାନୀୟ ଅଂଚଳବାସୀ କହିଛନ୍ତି । ତେଣୁ ତୁରନ୍ତ ସ୍କୁଲ ସମସ୍ୟାର ସମାଧାନ ନକଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବାର ଚେତାବନୀ ଦେଇଛନ୍ତି ଅଭିଭାବକ ।

ଶିକ୍ଷାବ୍ୟବସ୍ଥାକୁ ସର୍ବାଧିକ ଗୁରୁତ୍ୱ ଦେଉଥିବା ବାରମ୍ବାର କହୁଛନ୍ତି ରାଜ୍ୟ ସରକାର । ହେଲେ ପ୍ରକୃତରେ କେମିତି ଓ କେଉଁ ପରିସ୍ଥିତିରେ ପିଲାଏ ପାଠ ପଢୁଛନ୍ତି ତାହା ଏହି ଘଟଣା ହିଁ ବୟାନ କରୁଛି । ଜାଣି ଆଶ୍ଚର୍ଯ୍ୟ ହେବେ, ଏହି ପ୍ରାଥମିକ ବିଦ୍ୟାଳୟରେ ୧୫୦ ଛାତ୍ରଛାତ୍ରୀଙ୍କ ପାଇଁ ରହିଛି ୪ଟି ଶ୍ରେଣୀ ଗୃହ । ହେଲେ ଦୁଇଟି ଶ୍ରେଣୀ ଗୃହ ଅତ୍ୟନ୍ତ ବିପଦ ସଂକୁଳ ଅବସ୍ଥାରେ ରହିଛି । ତେଣୁ ଅନ୍ୟ ଦୁଇ ଗୃହରେ ପ୍ରଥମରୁ ୭ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଏ ପଢୁଛନ୍ତି ପାଠ । ତେଣୁ କେମିତି ପାଠ ପଢା ହେଉଛି ଥରେ ଅନୁମାନ କରନ୍ତୁ । ସ୍କୁଲ ସମସ୍ୟା ସମ୍ପର୍କରେ ବାରମ୍ବାର ଅଭିଯୋଗ ହେବା ପରେ ବି ପ୍ରଶାସନ କୌଣସି ପଦକ୍ଷେପ ନେଉନି । ତେଣୁ ଆଗାମୀ ଦିନରେ ପ୍ରଶାସନ କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

 

  • Reported by:
  • JANMEJAY DASH