• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା ରାସ୍ତା । ସଂପ୍ରସାରଣ କାମ ଅଧପନ୍ତରିଆ ହୋଇପଡ଼ିଥିବା ବେଳେ ପ୍ରତିଦିନ ଦୁର୍ଘଟଣାରେ ଅନେକ ଜୀବନ ଯାଉଛି । କଟକରୁ ଅନୁଗୁଳ ଦେଇ ସମ୍ବଲପୁର ପର୍ଯ୍ୟନ୍ତ ପ୍ରାୟ ୨୬୫ କିମି ଜାତୀୟ ରାଜପଥର କାମ ନିର୍ଦ୍ଧାରିତ ସମୟ ଭିତରେ ସରିପାରିନଥିବା ବେଳେ ସାଧାରଣ ଲୋକେ ଦୁର୍ଦ୍ଦଶା ଭୋଗୁଛନ୍ତି । ଗତ ୩ ବର୍ଷ ଭିତରେ ୫ ଶହରୁ ଅଧିକ ଦୁର୍ଘଟଣା ଘଟି ୨୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଅକର୍ମଣ୍ୟ ହୋଇଛନ୍ତି । ଏଭଳି ସ୍ଥିତିରେ ଏହି ରାସ୍ତା ଦେଇ ଯିବାକୁ ବି ଡରିଲେଣି ଲୋକେ ।

ଅନୁଗୁଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥର କଟକ ମଙ୍ଗୁଳିରୁ ସମ୍ବଲପୁରକୁ ସଂଯୋଗ କରୁଥିବା ରାସ୍ତାରେ ଦୈନିକ ହଜାର ହଜାର ଗାଡ଼ିମୋଟର ଯାଆ ଆସ କରୁଛନ୍ତି । ମାତ୍ର ରାସ୍ତାର ଦୁରାବସ୍ଥା କହିଲେ ନସରେ ବର୍ଷ ବର୍ଷରୁ ରାସ୍ତା କାମ ଚାଲିଥିବା ବେଳେ ଏଯାଏଁ ସରିପାରୁନି । ଫଳରେ ଦୈନିକ ଛୋଟବଡ଼ ଦୁର୍ଘଟଣା ଘଟିବା ସହ ଅକାରଣରେ ଲୋକଙ୍କ ଜୀବନ ଯାଉଛି ।

ରାସ୍ତା ନିର୍ମାଣକାରୀ ଠିକା ସଂସ୍ଥା ନିଜକୁ ଦେବାଳିଆ ଘୋଷଣା କରି ନର୍ମାଣ କାମରୁ ଓହରି ଯାଇଛି । ଜାତୀୟ ରାଜପଥ ପ୍ରାଧିକରଣ ଏବେ ସବ୍‌କଣ୍ଟ୍ରାକ୍ଟ ଜରିଆରେ ଅନ୍ୟ ଏକ ଠିକା ସଂସ୍ଥାକୁ କାର୍ଯ୍ୟାଦେଶ ଦେଇ ରାସ୍ତାର ମରାମତି ପାଇଁ ଯୋଜନା ରଖିଛି । କାମ ଅଧପନ୍ତରିଆ ହୋଇପଡ଼ି ରହିଥିବାରୁ ଯାତାୟାତ ବେଳେ ଲୋକେ ଧୂଳି ଧୁଆଁରେ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି ।

ତେବେ ରାସ୍ତା କାମ ଶୀଘ୍ର ନସରିଲେ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛି ଅନୁଗୁଳ ଜିଲ୍ଲା ଜନ ଜୀବନ ସୁରକ୍ଷା କମିଟି । ଅନ୍ୟପଟେ ଲୋକଙ୍କ ଅସୁବିଧାକୁ ନଜରରେ ରଖି ଜିଲ୍ଲା ଖଣିଜ ପାଣ୍ଠିରୁ ଅନୁଗୁଳ ଜିଲ୍ଲାପାଳ ଟଙ୍କା ମଞ୍ଜୁର କରିବା ସହ ଏହି ଅର୍ଥରେ ରାସ୍ତା ମରାମତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।