• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭଙ୍ଗାଘରେ ଜୀବନ । ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡେ ନ ଥିବାରୁ ଭଙ୍ଗା ଦଦରା ଘର ସାଜିଛି ଆଶ୍ରୟ ସ୍ଥଳୀ l ସେହି ଭଙ୍ଗା ଘରେ ହିଁ ଦୀର୍ଘଦିନ ହେବ ରହିଆସୁଛନ୍ତି ଜଣେ ବୃଦ୍ଧା ଏବଂ ତାଙ୍କ ସ୍ୱାମୀ, ପୁଅ-ଝିଅ କହିଲେ କେହି ନାହାନ୍ତି l ସ୍ୱାମୀ ଦିବ୍ୟାଙ୍ଗ, ସେ ଘରେ ରହନ୍ତି ନାହିଁ l ନିଅଣ୍ଟ ପେଟ ପାଇଁ ପଞ୍ଜାବ ଯାଇ ଭିକ୍ଷା ବୃତ୍ତି କରନ୍ତି l ତିନିମାସ, ଛଅମାସରେ ଥରେ ଘରକୁ ଆସନ୍ତି l ବର୍ତ୍ତମାନ ସ୍ୱାମୀ ଘରେ ନାହାନ୍ତି l ବୁଢ଼ୀ ମାଉସୀ ଚାତକ ପକ୍ଷୀ ଭଳି ନିଜ ସ୍ୱାମୀର ଆସିବା ବାଟକୁ ଅପେକ୍ଷା କରିଛନ୍ତି l ରହୁଥିବା ଘର ଭାଙ୍ଗିଯିବାରୁ ବାଧ୍ୟ ହୋଇ ଭଙ୍ଗା ଦଦରା ଛାତ ନଥିବା ଘରେ ମୁଣ୍ଡ ଗୁଞ୍ଜୁଛନ୍ତି ମାଉସୀ l ଆମେ କହୁଛୁ ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ରାନିମୁଣ୍ଡା ଗ୍ରାମ ପଞ୍ଚାୟତର କୋଟାମାଲ ଗାଁର ଜ୍ୟୋତି ରଣା ଓ ତାଙ୍କ ସ୍ୱାମୀ ମଧୁଆ ରଣାଙ୍କ କଥା ।

ସ୍ୱାମୀଙ୍କ ଅପେକ୍ଷାରେ ଚାହିଁ ରହିଛନ୍ତି ଜ୍ୟୋତି । ପ୍ରତି ଦୁଇ ତିନି ମାସରେ ଜ୍ୟୋତିଙ୍କ ସ୍ୱାମୀ ମଧୁଆ ପଞ୍ଜାବରୁ ଫେରନ୍ତି । ମାଗି ଯାଚି ଯାହା ଆଣିଥାନ୍ତି ସେତିକିରେ କିଛିଦିନ ଚଳିଯାଇ ପୁଣି ପଞ୍ଜାବ ଫେରିଯାଆନ୍ତି । ଜ୍ୟୋତିଙ୍କୁ ପିଏଚଏଚ କାର୍ଡରେ ଚାଉଳ ଦଶ କିଲୋଗ୍ରାମ ଓ ବାର୍ଦ୍ଧକ୍ୟ ଭତ୍ତା ମିଳେ । ସେଥିରେ ଚଳିବା ଅସମ୍ଭବ, ଏଣୁ ମାଗିଯାଚି ଚଳିବାକୁ ପଡ଼େ । ସ୍ୱାମୀ ମଧୁଆ ପଞ୍ଜାବ ଯାଇ ଭିକ ମାଗୁଛନ୍ତି । ବିଭିନ୍ନ ଗୁରୁଦ୍ୱାରରେ ଖାଇବାକୁ ମିଳିଯାଏ । ଏଣୁ ଭିକ ମାଗିଥିବା ଟଙ୍କା ଆଣି ଘରକୁ ଆସନ୍ତି । ସେଇ ଟଙ୍କାରେ କିଛିଦିନ ଚଳିଲା ପରେ ପୁଣି ପଞ୍ଜାବ ଚାଲିଯାନ୍ତି । ଘରଖଣ୍ଡେ ନ ଥିବାରୁ ଅନେକ ବାର ଆବାସ ଯୋଜନାରେ ଆବେଦନ କରିଛନ୍ତି ଜ୍ୟୋତି, ହେଲେ କେହି ଶୁଣୁନାହାନ୍ତି l ଶେଷରେ ଛାତ ନ ଥିବା ଭଙ୍ଗାଘରେ ମୁଣ୍ଡ ଗୁଞ୍ଜୁଛନ୍ତି l

ଜ୍ୟୋତିଙ୍କ ନିଜର କହିଲେ କେବଳ ସ୍ୱାମୀ l ଜମିବାଡ଼ି କିଛି ନାହିଁ, ଏମାନଙ୍କର ନା ଅଛି ଘର ନା ପେଟ ଚାଖଣ୍ଡ ପାଇଁ କିଛି ସୁବିଧା l ସରକାରଙ୍କ ସୁବିଧା କହିଲେ କେବଳ ଭତ୍ତା ଗଣ୍ଡିକ ମିଳୁଛି l ଅଭାବୀ ଲୋକଙ୍କ ପାଇଁ ସରକାରୀ ଯୋଜନାର ଅଭାବ ନାହିଁ, ପ୍ରଶାସନିକ ଅଧିକାରୀଙ୍କ ତ୍ରୁଟି ଯୋଗୁଁ ହନ୍ତସନ୍ତ ହେଉଛନ୍ତି ଜ୍ୟୋତି ଭଳି ଅନେକ ଗରିବ ଅସହାୟ l ଜ୍ୟୋତିଙ୍କ ବିଷୟରେ ଖଡ଼ିଆଳ ବିଡ଼ିଓ ନାରାୟଣ ସାହୁଙ୍କୁ ଯୋଗାଯୋଗ କରାଯିବାରୁ ତଦନ୍ତକରି ସୁବିଧା କରାଯିବ ବୋଲି କହିଥିଲେ l

ଆଶା କରୁଛୁ ବିଡିଓ ମହାଶୟ ତାଙ୍କ ପ୍ରତିଶୃତି ରକ୍ଷା କରିବେ । ତେବେ ଖାଲି ସରକାର କାହିଁକି ? ଆପଣମାନେ ମଧ୍ୟ ଚାଁହିଲେ ଜ୍ୟୋତିଙ୍କୁ ସାହାଯ୍ୟ କରିପାରିବେ । ଜ୍ୟୋତିଙ୍କୁ ସାହାଯ୍ୟ କରିବା ପାଇଁ ଲେଖିରଖନ୍ତୁ ତାଙ୍କ ଠିକଣା ।

ନାମ- ଜ୍ୟୋତି ରଣା, ସ୍ୱାମୀ- ମଧୁଆ ରଣା

ଗ୍ରାମ- କୋଟାମାଲ, ପୋଷ୍ଟ- ରାଣୀମୁଣ୍ଡା, ଭାୟା- ଖଡ଼ିଆଳ, ଜିଲ୍ଲା- ନୂଆପଡ଼ା, ପିନ ନମ୍ବର- ୭୬୬୧୧୮

ପଡୋଶୀଙ୍କ ମୋବାଇଲ ନମ୍ବର- ୯୫୫୬୦୯୭୫୫୮ ।