Advertisment

ଶ୍ରୀମନ୍ଦିରରେ ଆଜିର ସ୍ଥିତି ଦେଖି ଶୀଘ୍ର ଚାରିଦ୍ୱାର ଖୋଲିବାକୁ ଉଠିଲା ଦାବି

ଦର୍ଶନ ଆତୁର ଭକ୍ତଙ୍କ ଧୈର୍ଯ୍ୟଚ୍ୟୁତିର ଚରମ ଚିତ୍ର । ସିଂହଦ୍ୱାର ସମ୍ମୁଖ ବ୍ୟାରିକେଡ୍ ଭାଙ୍ଗିଲେ । ଶ୍ରୀମନ୍ଦିର ଭିତରକୁ ଧସେଇ ପଶିଲେ ଭକ୍ତ । ପୁରା ଦଳାଚକଟା ଭଳି ସ୍ଥିତି ପୋଲିସ୍ କି ସେବାୟତ ସମସ୍ତେ ଅସହାୟ । ଚାହିଁଲେ ବି କେହି ଅଟକାଇ ପାରୁନାହାନ୍ତି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
undefined

Shri Jagannath Temple

ଶ୍ରୀମନ୍ଦିର ସମ୍ମୁଖରେ ଦଳାଚକଟା ସ୍ଥିତି । ବ୍ୟାରିକେଡ୍ ଭାଙ୍ଗି ଧସେଇ ପଶିଲେ ଭକ୍ତ । ଆଜି ଦୋଳ ପୂର୍ଣ୍ଣମୀରେ ଶ୍ରୀଜିଉଙ୍କ ସୁନାବେଶ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା । ସିଂହଦ୍ୱାର ଆଗରେ ଟାଣ ଖରାରେ ଦୀର୍ଘ ସମୟ ଧରି ଅପେକ୍ଷାରତ ଭକ୍ତଙ୍କ ଧୈର୍ଯ୍ୟର ବନ୍ଧ ଭାଙ୍ଗିବା ପରେ ଶେଷରେ ବ୍ୟାରିକେଡ୍ ଭାଙ୍ଗି ମନ୍ଦିରକୁ ପଶିଥିଲେ । ଠାକୁରଙ୍କ ନୀତି ବିଳମ୍ବରୁ ବାହାରେ ଅସମ୍ଭବ ଭିଡ଼ ଲାଗିଥିବା ଅଭିଯୋଗ ହୋଇଥିବାବେଳେ ଭକ୍ତଙ୍କ ଲାଗି ଚାରିଦ୍ୱାର ଖୋଲାଯାଉ ନଥିବାରୁ ଏଭଳି ସ୍ଥିତି ଉପୁଜିଲା ବୋଲି କହିଛନ୍ତି ସେବାୟତ । ତେବେ ଶୀଘ୍ର ସ୍ଥିତି ନିୟନ୍ତ୍ରଣ ହେବାରୁ ବଡ଼ ଅଘଟଣ ଟଳିଗଲା ।

Advertisment

ଦର୍ଶନ ଆତୁର ଭକ୍ତଙ୍କ ଧୈର୍ଯ୍ୟଚ୍ୟୁତିର ଚରମ ଚିତ୍ର । ସିଂହଦ୍ୱାର ସମ୍ମୁଖ ବ୍ୟାରିକେଡ୍ ଭାଙ୍ଗିଲେ । ଶ୍ରୀମନ୍ଦିର ଭିତରକୁ ଧସେଇ ପଶିଲେ ଭକ୍ତ । ପୁରା ଦଳାଚକଟା ଭଳି ସ୍ଥିତି ପୋଲିସ୍ କି ସେବାୟତ ସମସ୍ତେ ଅସହାୟ । ଚାହିଁଲେ ବି କେହି ଅଟକାଇ ପାରୁନାହାନ୍ତି । କେବଳ ଠେଲାପେଲାରେ ତଳେ ପଡ଼ିଯାଉଥିବା ଦର୍ଶନାର୍ଥୀ ଯାହା ଦୟନୀୟ ଅବସ୍ଥାରେ ଉଠାଇ ଆଣିବାରେ ସମର୍ଥ ହେଉଛନ୍ତି ।

ଆଜି ଶ୍ରୀମନ୍ଦିର ସମ୍ମୁଖରେ ଏଭଳି ଘଟଣା ପୁଣି ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାର ବିଶୃଙ୍ଖଳିତ ସ୍ଥିତିକୁ ପଦାରେ ପକାଇଛି । ଏଠି ପ୍ରଶ୍ନ ଯେ କାହିଁକି ସୃଷ୍ଟି ହେଲା ଦଳାଚକଟା ଭଳି ପରିସ୍ଥିତି ? ଜଣେ ପ୍ରତ୍ୟକ୍ଷଦର୍ଶୀ ସେବାୟତଙ୍କ କହିବାନୁସାରେ ଆଜି ଦୋଳପୂର୍ଣ୍ଣମୀ ଅବସରରେ ଶ୍ରୀଜିଉଙ୍କ ସୁନାବେଶ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିଲା । ମୁଖ୍ୟ ବ୍ୟାରିକେଡ୍ ଭର୍ତ୍ତି ହୋଇ ଲମ୍ବା ଲାଇନ୍ ମାର୍କେଟ୍ ଛକ ଯାଏଁ ଲମ୍ବିଥିଲା । ସକାଳେ ଠାକୁରଙ୍କ ଖଇକୋରା ଭୋଗ ନୀତି ପାଇଁ ପ୍ରାୟ ଘଣ୍ଟାଏ ଦର୍ଶନ ବନ୍ଦ ରହିଥିଲା । ସେତେବେଳେ ହଜାର ହଜାର ଭକ୍ତ ଖରାରେ ଛିଡ଼ା ହୋଇ କଲବଲ ହେଉଥିଲେ । ଏହି ସମୟରେ ସିଂହଦ୍ୱାର ସମ୍ମୁଖରେ ସେବାୟତ ଓ ଭିଆଇପିଙ୍କ ଯାଆସ ପାଇଁ ଥିବା ଛୋଟ ବ୍ୟାରିକେଡ୍ ଭାଙ୍ଗି ଭକ୍ତମାନେ ଧସେଇ ପଶିଥିଲେ । ଯାହାକୁ ରୋକିବା ସେତେବେଳେ ଅତ୍ୟନ୍ତ କାଠିକର ହୋଇ ପଡ଼ିଥିଲା ବଡ଼ କଷ୍ଟରେ ବ୍ୟାରିକେଡ୍ ବନ୍ଦ କରିଥିଲା ପୋଲିସ୍ ।

Advertisment

ଦୋଳପୂର୍ଣ୍ଣମୀ ସାଙ୍ଗକୁ ସୁନାବେଶ । ଶ୍ରୀମନ୍ଦିର ବାହାରେ ଭକ୍ତ ସମୁଦ୍ର ତ ସିଂହଦ୍ୱାର ସମ୍ମୁଖରେ ଦଳାଚକଟା ଭଳି ସ୍ଥିତି କିଏ ଏଥିପାଇଁ ଦାୟୀ ? ଶ୍ରୀମନ୍ଦିର ପ୍ରଶାସନ ନା ପୁରୀ ପୋଲିସ୍? କୋଭିଡ୍ କଟକଣାରେ ଜର୍ଜରିତ ଭକ୍ତ ଦୀର୍ଘ ୨ବର୍ଷ ପରେ ଶ୍ରୀଜୀଉଙ୍କ ସୁନାବେଶ ଦର୍ଶନ ପାଇଁ ଉତ୍କଣ୍ଠାରେ ରହିବା ସ୍ୱାଭାବିକ, ହେଲେ ଏତେ ସଂଖ୍ୟକ ଭକ୍ତଙ୍କ ସମାଗମ ସମ୍ପର୍କରେ କଣ ଆଗୁଆ ଅନୁମାନ ଲଗାଇ ପାରିଲାନି କି ଜିଲ୍ଲା ପ୍ରଶାସନ ? ଭକ୍ତଙ୍କୁ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରାଇବାରେ ରହିଗଲା କି ତ୍ରୁଟି ?

ଏଥିସହ ଆଜି ଦୋଳପୂର୍ଣ୍ଣମୀରେ ଠାକୁରଙ୍କ ନୀତିକାନ୍ତିରେ ପ୍ରାୟ ଦୁଇରୁ ଅଢ଼େଇ ଘଣ୍ଟା ବିଳମ୍ବ ଯୋଗୁଁ ଦର୍ଶନ ପାଇଁ ଅପେକ୍ଷାରତ ଭକ୍ତଙ୍କ ଧୈର୍ଯ୍ୟଚ୍ୟୁତି ପ୍ରମୁଖ କାରଣ ବୋଲି କୁହାଯାଉଛି । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ବି ନୀତିବିଳମ୍ବକୁ ସ୍ୱୀକାର କରିଥିବାବେଳେ ଏହାର ସମାଧାନ ପାଇଁ ସେ ସେବାୟତଙ୍କ ସହ ନିରନ୍ତର ସମ୍ପର୍କରେ ଥିବା କହିଛନ୍ତି । ତେଣେ ଆଜିର ଘଟଣା ପାଇଁ ଶ୍ରୀମନ୍ଦିର ବରିଷ୍ଠ ସେବାୟତ ସିଧାସଳଖ ଜିଲ୍ଲା ପ୍ରଶାସନକୁ ଦାୟୀ କରିଛନ୍ତି । ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲାଗଲେ, ଏଭଳି ସ୍ଥିତି ଉପୁଜିବ ନାହିଁ ବୋଲି କହିଛନ୍ତି । ଯେହେତୁ କେବଳ ସିଂହଦ୍ୱାର ବାଟେ ଭକ୍ତଙ୍କୁ ଛଡ଼ା ଯାଉଛି, ତେଣୁ ପର୍ବପର୍ବାଣୀ ସମୟରେ ଲକ୍ଷଲକ୍ଷ ଭକ୍ତଙ୍କ ସମାଗମ ହେଉଥିବାରୁ ଦଳାଚକଟା ଭଳି ସ୍ଥିତି ସୃଷ୍ଟି ହେବ ହିଁ ହେବ ବୋଲି କହିଛନ୍ତି ।

ପୂର୍ବରୁ ୨୦୧୫ ମସିହା ପଞ୍ଚୁକବ୍ରତ ସମୟରେ ଘଟିଥିଲା ଏଭଳି ସ୍ଥିତି । ବଡ଼ ଏକାଦଶୀରେ ଲକ୍ଷ୍ମୀ-ନାରାୟଣ ବେଶ ଦର୍ଶନ ପାଇଁ ଯିବାବେଳେ ସିଂହଦ୍ୱାର ଆଗରେ ଦଳାଚକଟାରେ ୧୭ଜଣ ଭକ୍ତ ଆହତ ହୋଇଥିଲେ । ତା ପୂର୍ବରୁ ୧୯୯୩ ମସିହା ନାଗାର୍ଜୁନ ବେଶ ଦର୍ଶନବେଳେ ଶ୍ରୀମନ୍ଦିର ଭିତରେ ଦଳାଚକଟା ଘଟଣାରେ ୬ଜଣ ଭକ୍ତଙ୍କ ମୃତ୍ୟୁ ହୋଇଥିଲା ।

ରିପୋର୍ଟର- ପୁରୀରୁ ମଧୁସୂଦନ ମିଶ୍ର ଓ ପ୍ରଦୀପ ମହାନ୍ତି

Shri Jagannath Temple Stampede-Like Situation
Advertisment
Advertisment