ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ବସ୍ ଗୁଡ଼ିକର ଫିଟ୍ନେସ୍ ଉପରେ ଗୁରୁତ୍ୱ ଦେବାକୁ STA(State Transport Authority ) ଅପିଲ କରିଛି। ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପରିବହନ ବିଭାଗ ପକ୍ଷରୁ ଏହି ଅପିଲ କରାଯାଇଛି। STA ପକ୍ଷରୁ କୁହାଯାଇଛି, ଅନୁପଯୁକ୍ତ ବସ୍ ଉପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ନଜର ରଖନ୍ତୁ। ଏହାସହ ବ୍ୟବହୃତ ଗାଡ଼ିର ଫିଟନେସ ଓ ମୋଟର ଆକ୍ଟ ନିୟମ ପାଳନ କରନ୍ତୁ।
ଗତ ୭ ଦିନରେ ୧୦୯୬ ଗାଡ଼ି ନିୟମ ଉଲ୍ଲଂଘନ କରି ଦଣ୍ଡିତ ହୋଇଛନ୍ତି। ଫିଟନେସ ସାର୍ଟିଫିକେଟ୍ ବିନା ଗାଡ଼ି ଗଡ଼ି ଥିବାରୁ ୮୨୦ ଗାଡ଼ି ଦଣ୍ଡିତ ହୋଇଛନ୍ତି। ସେହିପରି ୩୮୭ ଗାଡ଼ିର ବୈଧ ଅନୁମତି ନଥିବା ବେଳେ ୩୧୧ ଡ୍ରାଇଭରଙ୍କ ବୈଧ ଲାଇସେନ୍ସ ନଥିବା ଜଣାପଡ଼ିଛି।
ସୂଚନାଥାଉ କି, ନିକଟରେ ଭୁବନେଶ୍ୱରରେ ଏକ ସ୍କୁଲ୍ ବସ୍କୁ ପରିବହନ ବିଭାଗ ୨ ଲକ୍ଷ ୩୩ ହଜାର ଟଙ୍କା ଜରିମାନା କରିଥିଲା। ଟିକସ ବକେୟା ଅଭିଯୋଗରେ ୨ ଲକ୍ଷ ୫ ହଜାର, ପଲ୍ୟୁସନ୍ ପାଇଁ ୧୦ ହଜାର ଓ ପରମିଟ୍ ପାଇଁ ୧୦ ହଜାର ଟଙ୍କା ଫାଇନ୍ କଟାଯାଇଥିଲା।
ସ୍କୁଲ୍ ପିଲାଙ୍କୁ ପରିବହନ କରୁଥିବା ବସ୍ ଓ ଅନ୍ୟ ହାଲୁକା ଯାନ ଚେକିଂ ଅଭିଯାନ କଡ଼ାକଡ଼ି କରାଯାଇଛି । ଆସନ୍ତା ୨୭ ତାରିଖ ଯାଏ ହେବାକୁ ଥିବା ଏହି ସ୍ପେଶାଲ ଡ୍ରାଇଭରେ ସ୍କୁଲ୍ ପିଲାଙ୍କୁ ନେବା ଆଣିବା କରୁଥିବା ସବୁ ପ୍ରକାର ଗାଡ଼ିର ଫିଟେନସ୍, ପରମିଟ, ଇନ୍ସୁରାନ୍ସ, ପଲ୍ୟୁସନ ସାର୍ଟିଫିକେଟ ଆଦି ଯାଞ୍ଚ କରାଯିବ।