ମଶାରୀ ଭିତରେ ଶୋଇଲେ ମଶା ଲାଗେନାହିଁ । ମଶା କାମୁଡାରୁ ବର୍ତ୍ତିବା ପାଇଁ ଲୋକେ ମଶାରୀ ଟାଣି ଶୁଅନ୍ତି କାରଣ ଏହା ଚାରିପଟୁ ନିବୁଜ ରହିଥାଏ । ଯଦି ସେହି ମଶାରୀରେ ପ୍ରାୟ ସ୍ଥାନରେ ଛୋଟ ଛୋଟ ଛିଦ୍ର ରହେ ତ ମଶା କାମୁଡ଼ିବା ସୁନିଶ୍ଚିତ । କିନ୍ତୁ ଏବେ ଏପରି ଏକ ମଶାରୀ ଆସିଛି ଯାହାର ଅନେକ ସ୍ଥାନରେ ଛୋଟ ଛୋଟ ଛିଦ୍ର ରହିଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏ ଛିଦ୍ର ଦେଇ ମଶାରୀ ଭିତରକୁ ଯଦି ମଶା ପଶିବେ ତେବେ ଆଉ ପଦାକୁ ବାହାରିପାରିବେନି ବରଂ ସେମାନଙ୍କର ମୃତ୍ୟୁ ସୁନିଶ୍ଚିତ।
ଇଏ ଏମିତି ସେମିତି ମଶାରୀ ନୁହେଁ ବରଂ ସାଧାରଣ ମଶାରୀ ଠାରୁ ଢେର ଅଲଗା । ଆଉ ଏହାର ନାଁ ରହିଛି WVN ବା ୱେଲ୍ ଭେଣ୍ଟିଲେଟର ନେଟ୍ । ଏଥିରେ ଥରେ ମଶା ପଶିଲେ ବାହାରିବା ତ କଷ୍ଟ, ହେଲେ ତାର ମୃତ୍ୟୁ ସୁନିଶ୍ଚିତ । ତେବେ ଏପରି ସ୍ୱତନ୍ତ୍ର ମଶାରୀକୁ ଉଦ୍ଭାବନ କରିଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ମତୋ ଗାଁର ଡାକ୍ତର ସତ୍ୟନ ସାହୁ । ସତ୍ୟନ ସେନାରେ କାର୍ଯ୍ୟରତ ଅଛନ୍ତି। ତେବେ ମଶାଙ୍କ ଦାଉରୁ କେମିତି ରକ୍ଷା ପାଇବେ ସେନେଇ ୧୦ ବର୍ଷ ହେବ ସେ ଅନେକ କାମ କରୁଥିଲେ । ଶେଷରେ ସେ ସଫଳ ହେଲେ ଆଉ ଏମିତି ମଶାରୀ ତିଆରି କଲେ ।
Also Read
ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ମଶା ପାଇଁ ଅନେକ ରୋଗ ବ୍ୟାପିବା ସହ ଶହଶହ ଲୋକଙ୍କ ମୃତ୍ୟୁ ବି ହୁଏ । ତେଣୁ ସବୁ ଦିଗକୁ ନଜରରେ ରଖି ଏମିତି ମଶାରୀ ତିଆରି କରିଛନ୍ତି ସତ୍ୟନ । ସାଧାରଣ ମଶାରୀରେ ମଶା ପଶି ଅନେକ ସମୟରେ ଲୋକଙ୍କୁ କାମୁଡ଼ିଥାଆନ୍ତି । ହେଲେ ଏହି ମଶା ଧରା ମଶାରୀରେ ଥରେ ମଶା ପଶିଲେ, ମଶାରୀରେ ଜାଲ ଭଳି ଯେଉଁ ଖୋପ ଖୋପ ହୋଇ ରହିଛି ସେଥିରେ ପଡି ମଶାଙ୍କ ମୃତ୍ୟ ହୋଇଥାଏ ।
ଖାଲି ଏତିକି ନୁହେଁ ବରଂ ଫ୍ୟାନ ଓ ବାହାର ପବନ ମଧ୍ୟ ଅତି ଆରାମରେ ଭିତରକୁ ଯାଇପାରେ। ଏହି ମଶାରୀ ଦୁଇ ପ୍ରକାରର ଅଛି । ଗୋଟିଏ ଖରାଦିନ ଓ ଗୋଟିଏ ଶୀତ ଦିନେ ଆପଣମାନେ ବ୍ୟବହାର କରିପାରିବେ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଇ ସ୍ୱତନ୍ତ୍ର ମଶାରୀ ୮ ଶହ ରୁ ୧୨ଶହ ଟଙ୍କା ଥିବାବେଳେ ଅନଲାଇନରେ ବି ଏହି ମଶାରୀ ମିଳୁଛି ।
ତେବେ ଡାକ୍ତର ଜଣକ ମଶାରୀ ତିଆରି କରିବା ପରେ ଗାଁ ଲୋକ ବି ବେଶ୍ ଖୁସ୍ ଅଛନ୍ତି । ଖାଲି ଏତିକି ନୁହେଁ ବରଂ ଏମିତି ନୂଆ ଶୈଳୀରେ ମଶାରୀ ତିଆରି କରିଥିବାରୁ ଗ୍ରାମବାସୀ ତାଙ୍କୁ ପ୍ରଶଂସା ବି କରିଛନ୍ତି । ଡାକ୍ତର ଗାଁ ପୁଅ ଏକ ସ୍ୱତନ୍ତ୍ର ବେଲୁନ ଟାଇପରେ ମଶାରୀ ତିଆରି କରିଥିବାରୁ ଆମେ ଅଞ୍ଚଳବାସୀ ବେସ୍ ଉପକୃତ ହେବୁ ବୋଲି କହିବା ସହିତ ବେସ୍ ଗର୍ବ ଅନୁଭବ କରିଛନ୍ତି ଗାଁ ଓ ପରିବାରଲୋକେ ।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ନିଜର ଡାକ୍ତରୀ କାର୍ଯ୍ୟ ଭିତରେ ବି ଏମିତି ଅତ୍ୟାଧୁନିକ ମଶାରୀ ତିଆରି କରିପାରିଛନ୍ତି ଡାକ୍ତର । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ବେଶ୍ ଚର୍ଚ୍ଚା ବି ଚାଲିଛି । ତେବେ ଦେଖାଯାଉ ସରକାରୀ ସ୍ତରରେ କେବେ ଏଇ ମଶାରୀକୁ ପ୍ରୋତ୍ସାହନ ମିଳୁଛି ।
ରିପୋର୍ଟର- ବାସୁଦେବ ଦାସ