Advertisment

ସ୍କୁଲ୍‌ରେ ମିଳୁଛି ମଧ୍ୟାନ୍ନ ଭୋଜନ; ହେଲେ ପିଲା ଘରୁ ଟିଫିନ୍‌ ନେଇ ଆସୁଛନ୍ତି

ଛି ଛି...ଇଏ ଚାଉଳ ସାରା ପୋକ ସାଲୁବାଲୁ। ଯୋଉ ବସ୍ତା ଦେଖିବ ସେଇ ବସ୍ତାରୁ ମେଂଚା ମେଂଚା ପୋକ ବାହରିବ। ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଦିଆଯାଉଥିଲା ଏମିତି ଖାଦ୍ୟ। କ୍ୟାମେରା ସାମ୍ନାରେ ଧରାପଡିବା ପରେ ଦେଖନ୍ତୁ ସ୍ଥିତି ହେଲା କଣ?

author-image
Manoranjan Behera
ଅଦ୍ୟତନ ହୋଇଛି
Mid Day Meal

Worm-Infested Rice

ସ୍କୁଲ୍‌ରେ ପିଲାଙ୍କ ମଧ୍ୟାନ୍ନ ଭୋଜନ ପାଇଁ ରଖାଯାଇଥିବା ଚାଉଳରେ ପୋକ ସାଲୁବାଲୁ । ଯେଉଁ ବସ୍ତାରେ ହାତ ମାରିବେ ସେଇ ବସ୍ତାରେ ସାଲୁବାଲୁ ହେଉଛନ୍ତି ପୋକ । ଆଉ ସେହି ଚାଉଳକୁ ରୋଷେଇ କରି ପିଲାଙ୍କୁ ଦିଆଯିବ ମଧ୍ୟାହ୍ନ ଭୋଜନ । ଥରେ ଚିନ୍ତା କରନ୍ତୁ ଏ ପ୍ରକାର ଚାଉଳରେ ପିଲାମାନେ ଭାତ ଖାଇଲେ ସେମାନଙ୍କ ଅବସ୍ଥା ହେବ କଣ ?

Advertisment

ଗୋଟିଏ ନୁହେଁ କି ଦୁଇଟି ନୁହେଁ ବରଂ ଯୋଉ ବସ୍ତା ଖୋଲିବ ସେଇ ବସ୍ତାରୁ ପୋକ ବାହାରିବ । ଚାଉଳରେ ଏମିକି ପୋକ ହୋଇଛନ୍ତି ଯେ, ଧରିଲା ବେଳକୁ ମୁଣ୍ଡା ହୋଇଯାଉଛି ଚାଉଳ । ପିଲାଙ୍କୁ ଉନ୍ନତମାନର ଖାଦ୍ୟ ଦେବା ପାଇଁ ସ୍କୁଲ କର୍ତ୍ତୃପକ୍ଷ ଓ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ନିର୍ଦ୍ଦେଶ ଥିବା ପରେ ବି ଖୁଲମଖୁଲା ସରକାରୀ ନିର୍ଦ୍ଦେଶକୁ ଫୁ କରିଦିଆଯାଉଛି । ଯାହାର ଜ୍ୱଳନ୍ତ ଉଦାହଣରଣ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ମୁର୍ତ୍ତୁମା ନୋଡାଲ୍ ସରକାରୀ ଉଚ୍ଚ ବିଦ୍ୟାଳୟରେ ।

ଗାଁ ଲୋକଙ୍କ ଅଭିଯୋଗ ଅନୁସାରେ, ପିଲାମାନଙ୍କୁ ପୋକରା ଚାଉଳର ଭାତ ଦିଆଯାଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇଛି । ହେଲେ ସ୍କୁଲ କର୍ତ୍ତୃପକ୍ଷ ଏ କଥାକୁ ଧ୍ୟାନ ନଦେଇ ସେଇ ପୋକରା ଚାଉଳରେ ରୋଷେଇ କରି ପିଲାଙ୍କୁ ଦେଉଛନ୍ତି ଭାତ । ଯାହାକୁ ନେଇ ଅସନ୍ତୋଷ ତେଜିବା ପରେ ରୋଷେଇ ବନ୍ଦ କରିବା ସହ ସ୍କୁଲକୁ ଘେରିଥିଲେ ସ୍ଥାନୀୟ ଲୋକ ।

Advertisment

ସରକାରଙ୍କ ନିୟମ ଅନୁସାରେ ପ୍ରତିଦିନ ପୃଷ୍ଟିକର ଖାଦ୍ୟ ପିଲାଙ୍କୁ ଦିଆଯିବ । ହେଲେ ଏମିତି ପୃଷ୍ଟିକର ଖାଦ୍ୟ ଦେଲେ, ପିଲାଙ୍କ ସ୍ୱାସ୍ଥ୍ୟ ଭଲ ରହିବ କି ସେମାନେ ମେଡିକାଲରେ ଆଡମିଶନ ହେବେ ତାହା ଆପଣ ଜାଣିପାରିବେ । ସ୍କୁଲରେ ଏମିତି ସ୍ଥିତି ଦେଖି ଅଧିକାଂଶ ପିଲା ଘରୁ ଟିଫିନ ନେଇ ଆସୁଛନ୍ତି କିନ୍ତୁ ସ୍କୁଲର ଖାଇବା ଖାଉନାହାନ୍ତି । ତେଣୁ ମଧ୍ୟାହ୍ନ ଭୋଜନ ପୂରା ବନ୍ଦ କରିଦେବାକୁ କହିଛନ୍ତି ଗାଁ ଲୋକେ ।

ଅନ୍ୟପଟେ ବହୁ ଦିନ ଧରି ପୋକରା ଚାଉଳକୁ ମେସିନ୍ ଦ୍ୱାରା ପଲିସ କରାଯାଇ ରନ୍ଧା ହେଉଥିବା କଥା ମାଆ ଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ ସ୍ୱୀକାର କରୁଥିବାବେଳେ ଏ ସମ୍ପର୍କରେ କିନ୍ତୁ ମୁଁହ ଖୋଲି ନାହାନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷ । ସେପଟେ ଘଟଣାର ଖବର ପାଇ ଉମରକୋଟ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ସ୍କୁଲରେ ପହଞ୍ଚି ପୋକରା ଚାଉଳ ପିଲାଙ୍କୁ ଦିଆଯିବା ଜାଣିବାକୁ ପାଇଥିଲେ ଏବଂ ଏନେଇ ବ୍ଲକ୍‌ ଶିକ୍ଷାଧିକାରୀଙ୍କୁ ରିପୋର୍ଟ ମାଗିଥିବା କହିଛନ୍ତି ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପୋକରା ଚାଉଳକୁ ପିଲାଙ୍କୁ କେଉଁ ପରିସ୍ଥିତିରେ ଦିଆଗଲା? ଏଥିପାଇଁ କେଉଁମାନେ ଦାୟୀ ଏବଂ ଯଦି ପିଲାଙ୍କର ସ୍ୱାସ୍ଥ୍ୟରେ କୌଣସି ସମସ୍ୟା ଦେଖାଦେଇଥାଆନ୍ତା, ତେବେ ଦାୟୀ କିଏ ରହିଥାଆନ୍ତା ବୋଲି ଉଠିଲାଣି ପ୍ରଶ୍ନ ।

(ରିପୋର୍ଟ- କାର୍ତ୍ତିକ ମଲ୍ଲିକ, ଉମରକୋଟ)

Mid-day Meal Special Story Worm-Infested Rice
Advertisment
Advertisment