• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆଜି ପବିତ୍ର ସାବିତ୍ରୀ ବ୍ରତ । ସବୁ ସ୍ତ୍ରୀମାନେ ତାଙ୍କ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ଓଷା କରୁଛନ୍ତି । ହେଲେ ଏମିତି ଜଣେ ସ୍ତ୍ରୀ ଅଛନ୍ତି ଯିଏ ସ୍ୱାମୀ ପାଇଁ ୧୨ବର୍ଷ ହେଲା ତପସ୍ୟା କରୁଛନ୍ତି କହିଲେ ଚଳେ । ଦୀର୍ଘ ବର୍ଷ ହେଲା ବିଛଣାରେ କଟୁଛି ତାଙ୍କ ସ୍ୱାମୀଙ୍କ ଜୀବନ । ହେଲେ ସେ ହାରି ଯାଇ ନାହାନ୍ତି, ଭଗବାନଙ୍କ ଉପରେ ଭରସା ରଖି କାର୍ଯ୍ୟ କରୁଛନ୍ତି । ଆଶା ରଖିଛନ୍ତି ସ୍ୱାମୀ ଭଲ ହୋଇଯିବେ । ସ୍ୱାମୀଙ୍କୁ ଭଲ କରିବାକୁ ସ୍କୁଲରେ ସହାୟକ ଭାବେ କାମ କରୁଛନ୍ତି, ଟ୍ୟୁସନ କରୁଛନ୍ତି ଆଉ ଦୋକାନ ବି ଚଳାଉଛନ୍ତି । ଆଉ ଆଜି ସାବିତ୍ରୀରେ ସବୁ ସାବିତ୍ରୀଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ସେ ହେଉଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଜ୍ଞାପିତ ଅଞ୍ଚଳ ବାସୁଲୀଦାଣ୍ଡି ସାହିର କାଞ୍ଚନ ।

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଜ୍ଞାପିତ ଅଞ୍ଚଳ ୧୨ନଂ ୱାର୍ଡ ବାସୁଲିଦାଣ୍ଡିର କାଞ୍ଚନ ମହାଳିକ । ପାରାଲିସିସ ରୋଗରେ ଆକ୍ରାନ୍ତ ହୋଇ ତାଙ୍କ ସ୍ୱାମୀ ନାରାୟଣ ଦୀର୍ଘ୧୨ବର୍ଷ ହେଲା ଗୋଟିଏ ବିଛଣାରେ ପିଡ଼ିରହିଛନ୍ତି । ଖାଇବା ଠାରୁ ଶୋଇବା ପର୍ଯ୍ୟନ୍ତ ନିତ୍ୟକର୍ମ ସବୁ ସ୍ତ୍ରୀ କରିଥାନ୍ତି । ସ୍ୱାମୀ ଦିନ ମଜୁରିଆ ଭାବେ କାମ କରୁଥିଲେ । ହେଲେ ରୋଗରେ ପଡିବା ପରେ ଘର ଚାଲିବା କଷ୍ଟ କର ହୋଇପଡିଥିଲା । କିନ୍ତୁ ହାରି ଯାଇନଥିଲେ କାଞ୍ଚନ, ସ୍ୱାମୀକୁ ଭଲ କରିବା ପାଇଁ ଆରମ୍ଭ କରିଥିଲେ ସଂଘର୍ଷ । ଗାଁରେ ଗୋଟେ ଛୋଟ ଦୋକାନ, ପରେ ଏକ ବେସରକାରୀ ସ୍କୁଲରେ ସହାୟକ ଓ ଛୋଟ ପିଲାଙ୍କୁ ଟ୍ୟୁସନ କରି ଦୀର୍ଘ ୧୨ ବର୍ଷ ହେଲା ସଂଘର୍ଷ କରିଆସୁଛନ୍ତି ।

ପ୍ରତିଦିନ ସକାଳୁ ସ୍ୱାମୀଙ୍କ ନିତ୍ୟକର୍ମ ସାରି କାଞ୍ଚନ ବାହାରି ପଡନ୍ତି ସ୍କୁଲ । ଆଉ ସ୍କୁଲ କାମ ସାରି ୪ଟାରେ ଗାଁର ଛୋଟ ପିଲାକୁ ଟ୍ୟୁସନ କରନ୍ତି । ଆଉ ତା’ପରେ ଦୋକାନରେ ବସନ୍ତି । ସେଥିରୁ ଯାହା ରୋଜଗାର ହୁଏ ଝିଅର ପାଠପଢା ସ୍ୱାମୀର ମେଡ଼ିସିନ କିଣିବା ସହ ପରିବାର ଚଳାନ୍ତି । ମନରେ ଯେତେ ଦୁଃଖ ଥିଲେ ବି ସେ କାହାକୁ କୁହନ୍ତି ନାହିଁ । ନିଜ କର୍ତ୍ତବ୍ୟକୁ ସେ ଠିକ୍ ଠିକ୍ କରନ୍ତି । ଏଭଳି ମହିଳା ସମାଜ ପାଇଁ ପ୍ରଶଂସା ବୋଲି କୁହନ୍ତି ସେ କାମକରୁଥିବା ସ୍କୁଲର ଅଧକ୍ଷ ।

କାଞ୍ଚନଙ୍କର ସ୍ୱାମୀପ୍ରତି ଥିବା ନିଷ୍ଠା ଓ ଭଲ ପାଇବା ଦେଖି ସମସ୍ତେ ତାଙ୍କୁ ପ୍ରଶଂସା କରୁଥିବାବେଳେ କେହି କେହି କହୁଛନ୍ତି ସେ ଯେତିକି ତାଙ୍କ ସ୍ୱାମୀପାଇଁ କରୁଛନ୍ତି ଆମେ କରିପାରିବୁ ନାହିଁ । ତାଙ୍କ ସ୍ୱାମୀ ଶୀଘ୍ର ଭଲ ହୋଇଯାଆନ୍ତୁ, ପୁଣି ତାଙ୍କ ହସଖୁସିର ସଂସାର ଫେରିଆସୁ । ସେ ଆମ ନାରୀ ଜାତିପାଇଁ ଉଦାହରଣ ।

ବାସୁଦେବ ଦାସ , ଚାନ୍ଦବାଲି