/odishatv-khabar/media/post_attachments/uploadimage/library/16_9/16_9_0/IMAGE_1655134423.jpg)
Tattered House
ହାତେ ଉଞ୍ଚା ଘରେ ରହୁଛନ୍ତି ଜଣେ ମାଉସୀ । ଖାଲି ରହୁଛନ୍ତି ତାହା ନୁହେଁ ବରଂ ସେହି ଉଞ୍ଚା ଘରେ ବସି ପଖାଳ କଂସା ଧରି ଭାତ ମଧ୍ୟ ଖାଉଛନ୍ତି । ଆଉ ଭାତ ସାଙ୍ଗରେ ତିଅଣ କହିଲେ କଂଚା ଲଙ୍କା ଓ ଲୁଣର ଝୋଳ। ସେହି ହାତେକିଆ ଘରେ ଜାଳଠୁ ଆରମ୍ଭ କରି ହାଣ୍ଡ,ଡେକଚି କେତେ କଣ ରହିଛି। ଆଉ ତାହାରି ମଧ୍ୟରେ ଅତି ଦୟନୀୟ ଅବସ୍ଥାରେ ପଡ଼ିରହିଛନ୍ତି ବୃଦ୍ଧା ।
ଘରର ଉଚ୍ଚତା ପ୍ରାୟ ଏକ ଫୁଟ ହେବ। ଚାରିଖଣ୍ଡ ମାଙ୍କଡା ପଥର ଉପରେ ଟିଣ ଆଜବେଷ୍ଟସ ଖଣ୍ଡେ ଥୋଇ ସେହି ଘରେ ଦିନ ରାତି କାଟୁଛନ୍ତି ବାସନ୍ତୀ ପ୍ରଧାନ। ଏହାରି ଭିତରେ ରୋଷେଇ ଏବଂ ଏହାରି ଭିତରେ ଶୋଇବା ଖାଇବା ସବୁ କିଛି। ଢେଙ୍କାନାଳ ଜିଲ୍ଲା ସଦରବ୍ଲକ ଅନ୍ତର୍ଗତ ନାଗିଆପଷି ପଞ୍ଚାୟତ ଛଣବୋଲୁଅ ଠାରେ ମୁଖ୍ୟ ରାସ୍ତାକୁ ଲାଗି ରହିଛି ବାସନ୍ତୀଙ୍କର ଏହି ଫୁଟିକିଆ ଘର।
ଘର କହିଲେ ରାସ୍ତା କଡର ଭଙ୍ଗା ଦଦରା ବାରଣ୍ଡା ଉପରେ ଫୁଟେ ଉଚ୍ଚରେ ଆଜବେଷ୍ଟସ ଥୋଇ ଦିନ କାଟୁଛନ୍ତି ବାସନ୍ତୀ । ବଳ ପାଇଲେ କେତେବେଳେ ପାଖଆଖ ଘରେ ପାଇଟି କରିଦିଅନ୍ତି । ଆଉ ସେଥିରୁ ଯାହା ଦୁଇ ପଇସା ମିଳେ ସେଥିରେ ଚଲେ ବାସନ୍ତୀଙ୍କ ତେଲ ଲୁଣର ସଂସାର।
ବନ୍ଧୁ ବୃଦ୍ଧାଙ୍କ ଘର ଦେଇ ପ୍ରତ୍ୟେକ ଦିନ ବଡ଼ବାବୁମାନେ ସରକାରୀ ଗାଡ଼ିରେ ସବାର ହୋଇଯାଉଛନ୍ତି ସତ ହେଲେ ବାସନ୍ତୀଙ୍କ ଉପରେ କାହା ନଜର ପଡ଼ୁନି। ସବୁଠୁ ଆଶ୍ଚର୍ଯ୍ୟକର କଥା ହେଲା ମାତ୍ର ଦିନ କେଇଟା ପୂର୍ବରୁ ପଂଚାୟତ ଓ ପୌର ନିର୍ବାଚନ ସରିଛି। ଆଉ ଗାଁକୁ ଗଣ୍ଡା ଗଣ୍ଡା ନେତା ମଧ୍ୟ ଭୋଟ୍ ଭିକ୍ଷା କରିବାକୁ ଆସିଛନ୍ତି ହେଲେ ଏ ଅଭାବୀ ବୁଢୀ ମାଆ ଉପରେ କାହାର ଦୃଷ୍ଟି ପଡ଼ିନି। ସେପଟେ ସରପଂଚ କୃଷ୍ଣ ଚନ୍ଦ୍ର ବେହେରା କହିଛନ୍ତି ମୁଁ ବାସନୀଙ୍କ ସମ୍ପର୍କରେ ଅବଗତ ଅଛି, ସରକାରୀ ସୁବିଧା ତାଙ୍କୁ ଯୋଗାଇ ଦେବି ।
ରିପୋର୍ଟର- ରାଜଶ୍ରୀ ଶତପଥୀ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)