• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିବାହ ବିବାଦକୁ ନେଇ ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସଙ୍କ ବଢ଼ିବାରେ ଲାଗିଛି ଅଡୁଆ । ଗତକାଲି ବିବାହ ପାଇଁ କଥା ଦେଇ କୋର୍ଟକୁ ଆସିନଥିବା ବିଜୟଶଙ୍କରଙ୍କ ବିରୋଧରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ପ୍ରେମିକା ସୋମାଲିକା ଦାଶ । ଠକେଇ ଏବଂ ପ୍ରତାରଣା ଭଳି ସଂଗୀନ ଅଭିଯୋଗ ସହ ବିଜୟଙ୍କ ବିରୋଧରେ ସେକ୍ସ ରାକେଟ୍ ଚଳାଉଥିବା ଏତଲାରେ ଦର୍ଶାଇଛନ୍ତି ସୋମାଲିକା । ଏପରିକି ଧମକ ଚମକ ଦେଉଥିବା ବି ଅଭିଯୋଗ ଆଣିଛନ୍ତି ବିଜୟଶଙ୍କରଙ୍କ ପ୍ରେମିକା । ତେଣେ ପୋଲିସ ଅଭିଯୋଗକୁ ଗ୍ରହଣ କରିଥିଲେ ସୁଦ୍ଧା ଏଯାଏଁ ମାମଲା ରୁଜୁ କରିନାହିଁ ।

ବିବାଦରେ ବିଜେଡ଼ି ବିଧାୟକ ବିଜୟଶଙ୍କର ଦାସ । ଦିନେ ଯାହାଙ୍କ ମାଟ୍ରିକ ରେଜଲ୍ଟକୁ ନେଇ ଛନ୍ଦି ହୋଇଥିଲେ ସେତେବେଳର ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ଥିବା ବାପା ବିଷ୍ଣୁ ଦାସ, ତାଙ୍କରି ସେହି ବିଧାୟକ ପୁଅ ଏବେ ବିବାହ ବିବାଦକୁ ନେଇ ଅଡୁଆରେ । ଏଥର ବିବାହ ପାଇଁ ମିଛ ପ୍ରତିଶ୍ରୁତି ଦେଇ ଫସିଛନ୍ତି ଜାଲରେ । ଠକେଇ ଆଉ ପ୍ରତାରଣା କରି ବିବାଦୀୟ ହୋଇଛନ୍ତି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । ପ୍ରେମିକା ସୋମାଲିକା ଦାସ ଜଗତସିଂହପୁର ସଦର ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଲେଖିଛନ୍ତି ଲମ୍ବା ଚଉଡ଼ା ଏତଲା । ଯେଉଁଥିରେ ଦର୍ଶାଇଛନ୍ତି, ପ୍ରତିଶ୍ରୁତି ଦେଇ ବିବାହ ପାଇଁ ସବରେଜିଷ୍ଟ୍ରାର ଅଫିସକୁ ଆସିନାହାଁନ୍ତି ବିଜୟଶଙ୍କର ।

ବିଜୟଙ୍କରଙ୍କୁ ବିବାହ ବିବାଦର ମୁଖ୍ୟ ଅଭିଯୁକ୍ତ ଦର୍ଶାଇ କେବଳ ଠକେଇ କି ପ୍ରତାରଣା ନୁହେଁ, ବିଜୟଶଙ୍କର ସେକ୍ସ ରାକେଟ୍ ଚଳାଉଥିବା ବି ସଂଗୀନ୍ ଭିଯୋଗ କରିଛନ୍ତି ସୋମାଲିକା । ନିରୀହ ଝିଅ ମାନଙ୍କୁ ସେକ୍ସ ରାକେଟରେ ସାମିଲ କରି ନିର୍ବାଚନ ପାଇଁ ଟଙ୍କା ଅର୍ଜନ କରୁଥିଲେ ବୋଲି ସୋମାଲିକା ଏତଲାରେ ଦର୍ଶାଇଛନ୍ତି । ଏନେଇ କଟକ, ଭୁବନେଶ୍ୱରରେ ମଧ୍ୟ ଏକାଧିକ ମାମଲା ରହିଛି । ଏପରିକି ବାପା ବିଷ୍ଣୁ ଦାସ ଗଣଶିକ୍ଷା ମନ୍ତ୍ରୀ ଥିବାବେଳେ ବିଜୟଶଙ୍କର ମାଟ୍ରିକରେ ମାର୍କ ଜାଲିଆତି କରିଥିବା ନେଇ ବି ଅଭିଯୋଗ କରିଛନ୍ତି ସୋମାଲିକା ।

ଏତଲାରେ କେବଳ ବିଜୟଶଙ୍କର ନୁହଁନ୍ତି, ବିଜୟଶଙ୍କର ପରିବାର ଏବଂ ସମ୍ପର୍କିୟଙ୍କ ନାଁ ବି ଉଲ୍ଲେଖ କରିଛନ୍ତି ସୋମାଲିକା । ସୋମାଲିକାଙ୍କ କହିବା କଥା, ଦୀର୍ଘଦିନ ଧରି ବିଜୟଶଙ୍କରଙ୍କ ସହ ତାଙ୍କର ରହିଆସିଛି ପ୍ରେମ ସମ୍ପର୍କ । ତେବେ ସେହି ସମ୍ପର୍କ ଭିତରେ କିଛିଟା ତିକ୍ତତା ହେବାରୁ ଗତ ପଞ୍ଚାୟତ ନିର୍ବାଚନ ବେଳେ ବିଜୟଶଙ୍କରଙ୍କ ସହ ଉଠାଇଥିବା କିଛି ଅନ୍ତରଙ୍ଗ ମୁହୁର୍ତ୍ତର ଫଟୋକୁ ସୋସିଆଲ୍ ମିଡ଼ଇାରେ ଭାଇରାଲ୍ କରିଥିଲେ ସୋମାଲିକା । ଏପରିକି ଗତ ମାସରେ ଏସପିଙ୍କ ମଧ୍ୟ ଦ୍ୱାରସ୍ଥ ହୋଇଥିଲେ । ତାହାରି ଭିତରେ ଗତ ମେ୧୭ରେ ବିବାହ ପଞ୍ଜିକରଣ ପାଇଁ ସବରେଜିଷ୍ଟ୍ରି ଅଫିସକୁ ଆସିଥିଲେ ଉଭୟେ ।

ନିୟମ କହୁଛି, ୩୦ ଦିନ ଭିତରେ ଯଦି କୌଣସି ପକ୍ଷରୁ ଆପତ୍ତି ଅଭିଯୋଗ ନହୁଏ, ତେବେ ବିବାହ ଆବେଦନ ବୈଧ ହେବ ଏବଂ ପରବର୍ତ୍ତୀ ୬୦ ଦିନ ଭିତରେ ଉଭୟେ ବିବାହ କରିପାରିବେ । ସେହି ଅନୁଯାୟୀ, ଗତକାଲି ତଥା ଜୁନ ୧୭ ତାରିଖରେ ଆବେଦନର ମାସେ ପୁରିବା କ୍ଷଣି ସୋମାଲିକା ସବ୍ରେଜିଷ୍ଟ୍ରି ଅଫିସକୁ ଆସିଥିଲେ, କିନ୍ତୁ ବିଜୟଶଙ୍କର ଆସିନଥିଲେ । ତେବେ ଆଜିର ଅଭିଯୋଗ ନେଇ ବିଜୟଶଙ୍କର କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିବାବେଳେ ଗତକାଲି କହିଥିଲେ ବିବାହ ସମ୍ପର୍କରେ ମୋତେ କେହି କିଛି କହିନାହାଁନ୍ତି କି ମୁଁ ଜାଣିନି ।

୨୦୦୭ରେ ପୁଅ ବିଜୟଶଙ୍କରଙ୍କ ମାଟ୍ରିକ ମାର୍କ ଜାଲିଆତି ମାମଲାରେ ବିବାଦୀୟ ହୋଇପଡ଼ିଥିଲେ ତାଙ୍କ ବାପା ସ୍ୱର୍ଗତ ବିଷ୍ଣୁ ଦାସ । ସେତେବେଳେ ଏହି ଘଟଣା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା । ଆଉ ଏବେ ବିବାହ ବିବାଦରେ ଛନ୍ଦି ହେବା ପରେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ବିଷ୍ଣୁ ଦାସଙ୍କ ବିଧାୟକ ପୁଅ ବିଜୟଶଙ୍କର ଦାସ । ଅପେକ୍ଷା ଆଗକୁ ଘଟଣା କି ମୋଡ଼ ନେଉଛି ।

ଜଗତସିଂହପୁରରୁ ଶଶାଙ୍କ ଶେଖର ପଣ୍ଡାଙ୍କ ରିପୋର୍ଟ