• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଗାଁରୁ ସହରର ଦୂରତା କମିବ l ଗାଁର ଲୋକ ସହଜ ଆଉ ସୁବିଧାରେ ସହରକୁ ପହଞ୍ଚି ପାରିବେ l ଗାଁରୁ ସହର ମଧ୍ୟରେ ଏହି ଦୂରତା କମାଇବା ପାଇଁ ସରକାର ସବୁବେଳେ ଯତ୍ନବାନ l ଲୋକ ମାନଙ୍କ ମୌଳିକ ସୁବିଧାକୁ ଗୁରୁତ୍ୱ ଦେବାପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି l ଏଥିପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ଗାଁର ଚିତ୍ରକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରାଯାଉଛି l ହେଲେ ବ୍ୟତିକ୍ରମ ଏହିକି, ପଞ୍ଚାୟତର ମୁଖ୍ୟ ରାସ୍ତାର ସ୍ଥିତି ବର୍ଷ ବର୍ଷ ଧରି ସୁଧୁରି ପାରୁନି l ଦୀର୍ଘବର୍ଷ ଧରି ମରଣଯନ୍ତା ପାଲଟିଥିବା ରାସ୍ତା ଉପରେ ପିଚୁ କଂକ୍ରିଟ ତ ଦୂରର କଥା ମୋରମ ମୁଠେବି ପଡି ପାରିନାହିଁ l

ବାସୁଦେବପୁର ବ୍ଲକ ବିନୋବାଭାବେ ନଗର ପଞ୍ଚାୟତ । ବାସୁଦେବପୁର-ଧାମରା ରାସ୍ତାର କଣ୍ଟିଆନାଳୀ ଛକ ଠାରୁ ପଞ୍ଚାୟତର ସମୁଦ୍ର ଲୁଣାବନ୍ଧ ପର୍ଯ୍ୟନ୍ତ ତିନି କିଲୋମିଟର ଲମ୍ବିଛି ଏହି ରାସ୍ତା l ବିନୋବାଭାବେ ନଗର ପଞ୍ଚାୟତକୁ ମୁଖ୍ୟ ରାସ୍ତାରୁ ସଂଯୋଗ କରୁଛି ଏହି କଚ୍ଚା ମାଟି ରାସ୍ତା l ଏହି ରାସ୍ତା ଉପରେ ପ୍ରାୟ ଚାରି ହଜାରରୁ ଉର୍ଦ୍ଧ ଲୋକ ନିର୍ଭର କରିଥାନ୍ତି l କେବଳ ବିନୋବାଭାବେ ନଗର ପଞ୍ଚାୟତ ନୁହଁ, ପଡୋଶୀ ଗୋପବନ୍ଧୁ ନଗର ପଞ୍ଚାୟତର ଲୋକ ମଧ୍ୟ ଏହି ରାସ୍ତା ଉପରେ ନିର୍ଭର କରନ୍ତି l ଦୁଇ ପଞ୍ଚାୟତବାସୀ ନିର୍ଭର କରୁଥିବା ଏହି ରାସ୍ତା ଦୀର୍ଘବର୍ଷ ଧରି ଅବହେଳିତ ହୋଇ ପଡି ରହିବା ଫଳରେ ଏବେ ମରଣଯନ୍ତା ପାଲଟିଛି l ଖରାଦିନରେ ଯାହା ଯେମିତି ଲୋକ ଚଳି ଯାଆନ୍ତି, ହେଲେ ବର୍ଷା ଦିନ ଆସିଲେ ଦୁର୍ଦ୍ଦଶା ବଢ଼ିଯାଏ l ଘରୁ ପାଦ କାଢ଼ିଲେ କାଦୁରେ ପଡ଼ିବାକୁ ହେଉଛି l

ଏହି ରାସ୍ତା ଦେଇ ଗାଡି ମଟର ତ' ଦୂରର କଥା ସାଇକେଲ ଖଣ୍ଡେ ଚଲେଇ ଯିବା ଅସମ୍ଭବ ହୋଇ ପଡିଛି l ଆବଶ୍ୟକ ସମୟରେ ଗାଁ ଭିତରକୁ କୌଣସି ଜରୁରୀ କାଳୀନ ସେବା ପହଞ୍ଚି ପାରୁନାହିଁ l ଦମକଳ ହେଉ ଅବା ଆମ୍ବୁଲାନ୍ସ, ରାସ୍ତା ପାଇଁ ଗାଁ ଭିତରକୁ ପଶି ନପାରି ତିନି କିଲୋମିଟର ଦୂରରେ ଛିଡା ହେଉଛି l ଗ୍ରାମର ରାସ୍ତା ସମସ୍ୟାକୁ ନେଇ ଗ୍ରାମବାସୀ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ଓ ବିଧାୟକଙ୍କୁ ମଧ୍ୟ ଅବଗତ କରାଇଛନ୍ତି l ହେଲେ ଆଜିଯାଏ ରାସ୍ତାର ସୁଧାର କଥାକୁ କେହି ହୃଦୟଙ୍ଗମ କରି ନାହାନ୍ତି l ତେବେ ଗୁହାରୀ କରି କରି ଥକିଗଲା ପରେ କେହି କଥା ଶୁଣୁନଥିବାରୁ ଲୋକେ ଟ୍ରାକ୍ଟର ଚଲାଇ ରାସ୍ତାକୁ ହଳ କରିଦେଇଛନ୍ତି ।

ତେବେ ରାସ୍ତା ସମସ୍ୟା ସମ୍ପର୍କରେ ସ୍ଥାନୀୟ ସରପଞ୍ଚ କହିଛନ୍ତି, ଦୀର୍ଘ ବର୍ଷ ତଳେ ରାସ୍ତା ମରାମତି କରାଯାଇଥିଲା l ଏବେ ଏହି ରାସ୍ତାକୁ ଭଲ ଭାବେ ନିର୍ମାଣ କରାଯିବାର ଆବଶ୍ୟକତା ରହିଛି l ଆଉ ଏଥିପାଇଁ ବହୁ ଅର୍ଥ ଦରକାର, ଯାହା ପଞ୍ଚାୟତ ସ୍ତରରେ ସମ୍ଭବ ନୁହଁ l ଏଥିପାଇଁ ସ୍ଥାନୀୟ ବିଧାୟକ, ସାଂସଦଙ୍କ ସହ ବିଭାଗକୁ ଅନୁରୋଧ କରୁଛି ରାସ୍ତାର ସ୍ଥିତିକୁ ସୁଧାରିବା ପାଇଁ l ଅନ୍ୟପଟେ ଏହି ରାସ୍ତା ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ପ୍ରସ୍ତାବ ଦିଆଯାଇଛି ବୋଲି ବିଡ଼ିଓ ସୂଚନା ଦେଇଛନ୍ତି l

ଦୀର୍ଘବର୍ଷ ଧରି ଗ୍ରାମବାସୀ ଅସୁବିଧା ଭୋଗୁଥିଲେ ବି ନେତାଙ୍କ ପ୍ରତିଶୃତି ପାଣିର ଗାର ପାଲଟିଛି l ନିର୍ବାଚନ ପରେ ନିର୍ବାଚନ ଆସୁଛି, ଆଉ ନେତାଙ୍କ ପରେ ନେତା ବଦଳୁଛନ୍ତି ହେଲେ ରାସ୍ତାର ଭାଗ୍ୟ ବଦଳି ପାରୁନି l

( ରିପୋର୍ଟ : କିରୀଟି ଦାସ, ବାସୁଦେବପୁର)