• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଶୋଇବା ଘର ଭିତରେ ସାପଙ୍କ ପାଇଁ ତିଆରି ହୋଇଛି ଘର । ଘର ଭିତରେ ତିଆରି ହୋଇଛି ବଡ ବଡ଼ ହୁଙ୍କା । ଏଭଳି ଦୃଶ୍ୟ ଦେଖିଲେ ଆପଣମାନେ ଡରିଯିବେ । ଆଉ କହୁଥିବେ ସାପ ସହ କେମିତି ରହିବେ ମଣିଷ ? ସାପ ମାନେ ଖାଲି ରହୁଛନ୍ତି ତାହା ନୁହେଁ, ବରଂ ସାପଙ୍କ ପାଇଁ କ୍ଷୀର ରଖାଯାଉଛି ପୁଣି ତାଙ୍କୁ ପୂଜା ବି କରାଯାଉଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି, ମାଲକାନଗିରି ଜିଲ୍ଲାରେ । ଯେଉଁଠି ସାପ ପାଇଁ ନିଜ ଶୋଇବା ଘରେ ମଣିଷ ତିଆରି କରିଛି ଘର ।

ବିଷାକ୍ତ ସାପକୁ ଦେଖିଲେ ସମସ୍ତେ ଭୟ କରନ୍ତି । କିନ୍ତୁ ମାଲକାନଗିରି ଜିଲ୍ଲାର ନିଲିମାରି ଗ୍ରାମରେ ଏମିତି ଏକ ପରିବାର ଯେଉଁମାନେ ନିଜ ବାସ ଗୃହର ଅଧାରୁ ଅଧିକ ସ୍ଥାନ ସାପଙ୍କ ପାଇଁ ଛାଡି ଦେଇଛନ୍ତି । ଆଉ ସାପମାନଙ୍କ ସହ ସେହି ଘରେ ହିଁ ରହୁଛନ୍ତି । ପରିବାର ସଦସ୍ୟଙ୍କ କହିବା ଅନୁସାରେ କିଛି ବର୍ଷ ତଳେ ଘର ଭିତରେ ଗୋଟିଏ ଉଈ ହୁଙ୍କା ହେବା ପରେ ସାପମାନେ ଯିବା ଆସିବା ଆରମ୍ଭ କରିଥିଲେ। ଆଉ ଏସବୁ ଦେଖିବା ପରେ ସାପଙ୍କ ପାଇଁ ଶୋଇବା ଘରେ ତିଆରି କରିଥିଲେ ହୁଙ୍କା ।

ଖାଲି ଘର ତିଆରି କରିଥିଲେ ତାହା ନୁହେଁ ବରଂ ପ୍ରତ୍ୟେକ ଦିନ ଘରେ ରହୁଥିବା ନାଗ ଓ ନାଗୁଣୀଙ୍କ ପାଇଁ ଖାଦ୍ୟ ମଧ୍ୟ ଦେଇ ଆସୁଛନ୍ତି ପରିବାର ଲୋକେ । ନିଜର ଦୁଇଟି ବଖରା ସାପଙ୍କୁ ଛାଡି ଗୋଟିଏ ବଖରାରେ ଚାରି ପ୍ରାଣୀ କୁଟୁମ୍ବ ରହିଆସୁଛନ୍ତି । ସାପ ସାଙ୍ଗରେ ବାପା-ମାଆ ଡରିଡରି ଶୋଉଥିବା ବେଳେ ପିଲାମାନେ କିନ୍ତୁ ଅନ୍ୟ ଘରେ ଆଶ୍ରୟ ନେଉଛନ୍ତି । ଦିନକୁ ଦିନ ଏହି ହୁଙ୍କା ବଢି ଚାଲିଥିବା ବେଳେ ସାପଙ୍କ ସଂଖ୍ୟା ମଧ୍ୟ ବଢୁଛି ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ପ୍ରତ୍ୟେକ ଦିନ ସକାଳୁ ଉଠି ଉଈ ହୁଙ୍କା ନିକଟରେ ପୂଜାର୍ଚ୍ଚନା କରିବା ସହ ଖାଦ୍ୟ ଭୋଗ ଆକାରରେ ଦେଉଛନ୍ତି ପରିବାରର ସଦସ୍ୟ । କଥା ହେଲା, ଯେଉଁଠି ବିଷାକ୍ତ ସାପକୁ ଦେଖିଲେ ଲୋକେ ଭୟ କରନ୍ତି ଏବଂ ତାକୁ ମାରି ଦିଅନ୍ତି । କିନ୍ତୁ ଏଠାରେ ଉକ୍ତ ପରିବାର ସାପକୁ ପାଳିବା ସହ ତାଂକର ଯତ୍ନ ନେଉଛନ୍ତି । ଯାହାକି ଅନ୍ୟ ମାନଙ୍କ ପାଇଁ ବିପଦ ହୋଇଥିବା ବେଳେ ସେ କିନ୍ତୁ ଏହାକୁ ଭଗବାନ ଭାବି ସେବା ଯତ୍ନ କରିଆସୁଛନ୍ତି । ଯାହାକୁ ନେଇ ପୂରା ଅଂଚଳରେ ବଢିଛି ଚର୍ଚ୍ଚା ।

(ରିପୋର୍ଟ- ଜିତେନ୍ଦ୍ର ବେଉରା, ମାଲକାନଗିରି)