କିଏ କାଠ ବୋହୁଛି ,ତ କିଏ କାଠକୁ କାଠ ଶିଆଳି ଲଟା ଆଉ ତାରରେ ବାନ୍ଧୁଛି । ଆଉ କିଏ କୋଦାଳ, ଶାବଳ ଧରି ମାଟି ପକାଇବାରେ ବ୍ୟସ୍ତ ରହିଛି । ଖାଲି ଏତିକି ନୁହେଁ ବରଂ ଆଉ କିଏ ଡାଲା ଝୁଡିରେ ପଥର ବୋହି ପକାଉଛି । ଏଭଳି ଦୃଶ୍ୟ ରେଢାଖୋଲ ଉପଖଣ୍ଡ ବଳମ ପଚାଂୟତରେ ଦେଖିବାକୁ ମିଳିଛି । ବାରମ୍ବାର ଗୁହାରି ପରେ ବି ପ୍ରଶାସନ ନଶୁଣିବାରୁ ବାଧ୍ୟ ହୋଇ ପୋଲ ତିଆରି କରୁଛନ୍ତି ଗାଁ ଲୋକେ ।
ବେତଝରଣା ଗାଁ ଲୋକଙ୍କ ପାଇଁ ଅଭିଶାପ ପାଲଟିଛି ଏହି ନାଳ। ଖରା ଦିନେ କି ଶୀତ ଦିନେ ତ କଷ୍ଟମଷ୍ଟେ ନାଳ ପାର ହୋଇଯାଉଛନ୍ତି ଲୋକେ। ହେଲେ ବର୍ଷା ଦିନେ ପୂରା ଅଚଳ ସ୍ଥିତି । ବେତଝରଣାରୁ ବ୍ଲକ୍ ଯିବା ପାଇଁ ହେଲେ ସେହି ନାଳ ରାସ୍ତା ହିଁ ଏକମାତ୍ରା ସାହାଭରସା । ହେଲେ ନାଳରେ ଏ ପର୍ଯ୍ୟନ୍ତ ଗୋଟିଏ ବ୍ରିଜ୍ ବି ନିର୍ମାଣ ହୋଇପାରିଲା ନାହିଁ ।
Also Read
ସ୍ଥିତି ଏମିତି ହେଲାଣି ଯେ, ରୋଗୀ କି ଗର୍ଭବତୀଙ୍କୁ ନେବା ପାଇଁ ଆସିପାରୁନି ଆମ୍ବୁନାଲ୍ସ । ଖାଲି ଆମ୍ବୁଲାନ୍ସ କାହିଁକି ସ୍କୁଲ ପିଲାଙ୍କଠାରୁ ଆରମ୍ଭ କରି ପିଡିଏସ ଚାଉଳ ଗହମ ସହ ସ୍କୁଲ ଓ କଲେଜ୍କୁ ବି ଯାଇପାରୁନାହାନ୍ତି ପିଲା । ଦରଖାସ୍ତ ଆଉ ଗୁହାରି କରି କରି ଗାଁ ଲୋକ ଥକିଗଲେଣି ସତ ହେଲେ ଲାଭ କିଛି ମିଳୁନି । ୬ ଖଣ୍ଡ ଗାଁରେ ୮୦୦ ରୁ ଅଧିକ ଲୋକ ରହୁଛନ୍ତି ହେଲେ ମୌଳିକ ଅଧିକାର ଏପର୍ଯ୍ୟନ୍ତ ଏମାନଙ୍କ ପାଖରେ ପହଞ୍ଚି ନାହିଁ ।
ଗୁରୁତ୍ୱପୂର୍ଣ୍ଣ କଥା ହେଲା ସରକାର ବାରମ୍ବାର କହୁଛନ୍ତି ଡିଜିଟାଲଇଜ୍ ହେବା ପାଇଁ । ହେଲେ ବଡ ଦୁଃଖର କଥା ଏ ଗାଁରେ ଏ ପର୍ଯ୍ୟନ୍ତ ମୋବାଇଲ ନେଟୱାର୍କ ନାହିଁ କି ପିଇବା ପାଣି ବି ନାହିଁ । ମୋଟ୍ ଉପରେ ନାହିଁ ନାହିଁରେ ଚାଲିଛି ବେତଝରଣା ଗାଁ । ଗାଁ ଲୋକଙ୍କ ଅଭିଯୋଗ ଯେ, ନିର୍ବାଚନ ଆସିଲେ ନେତାଏ ଗାଁକୁ ଆସନ୍ତି ଆଉ ମାଟି ମୁଠାଏ ପକାଇ ଦିଅନ୍ତି । ହେଲେ ଆଉ ୫ ବର୍ଷ ପର୍ଯ୍ୟନ୍ତ ଦେଖା ଦିଅନ୍ତିନି । ଆଉ ସମସ୍ୟା ଭୋଗ କରୁଛନ୍ତି ୬ ଖଣ୍ଡ ଗାଁର ଲୋକ । ବାରମ୍ବାର ନେତାଙ୍କ ଏମିତି ଆଚରଣ ପରେ ଗାଁ ଲୋକ ବୁଝିପାରିଥିଲେ କି ନିଜେ ତିଆରି ନକଲେ ଗାଁକୁ ଯାଆସ କରିହେବନି ।
ସେଥିପାଇଁ ତ କାନ୍ଧରେ କାନ୍ଧ ମିଳାଇ ଏକ ହେଲେ ଗାଁ ଲୋକ । ଖାଲି ଏକ ହେଲେ ତାହା ନୁହେଁ ବରଂ ଏକ କାଠ ପୋଲକୁ ୧୫ ଦିନ ଭିତରେ ତିଆରି ବି କଲେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଏହି ପୋଲରେ ଟିକିଏ ହେଲେ ବି ସିମେଣ୍ଟ ଲାଗିନି । ବରଂ ବଣୁଆ କାଠ ଓ ସିଆଳି ଲଟା ଆଉ କିଛି ତାରରେ ତିଆରି ହୋଇଛି ପୋଲ ।
୨୨ ବର୍ଷ ସ୍ଥିର ସରକାର ପରେ ବି ଯଦି ମୌଳିକ ସୁବିଧା ପାଇପାରିବେନି ଗାଁ ଲୋକେ । ତେବେ ଏ ସରକାର ଥାଇ କି ଲାଭ କଣ ? ସେପଟେ ଏନେଇ ଖବର ପାଇବା ପରେ ବିଡିଓଙ୍କୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ସହ ପୋଲ ତିଆରି ପାଇଁ ତ୍ୱରିତ ପଦକ୍ଷେପ ନେବେ ବୋଲି କହିଛନ୍ତି ରେଢାଖୋଲ ଉପଜିଲ୍ଲାପାଳ ପବିତ୍ର ବେହେରା ।
(ରିପୋର୍ଟର- ରେଢାଖୋଲରୁ ରମାନନ୍ଦ ମହାନନ୍ଦ)