/odishatv-khabar/media/post_attachments/uploadimage/library/16_9/16_9_0/IMAGE_1663391379.jpg)
Rairakhol farmer’s Son
ବାପା ବିଲରେ ମୁଣ୍ଡ ଝାଳକୁ ତୁଣ୍ଡରେ ମାରି କାମ କରୁଛନ୍ତି । ମାଆ ଘର ପିଣ୍ଡାରେ ବସି ବିଡି ଭିଡନ୍ତି । ଆଉ ଉଭୟ ରୋଜଗାର କରୁଥିବା ଟଙ୍କାରେ ପୁଅକୁ ପାଠ ପଢାନ୍ତି । ଆଜି ସେଇ ପୁଅ ବାପା-ମାଆଙ୍କ ପରିଶ୍ରମକୁ ସାର୍ଥକ କରିଛି । କାରଣ ନିଟ୍ ପରୀକ୍ଷା ଦେଇ ପ୍ରଥମ ସୁଯୋଗରେ ମେଡିକାଲ ପାଇଛି ପୁଅ । ଆଉ ପୁଅର ଏହି ସଫଳତାରେ ବେଶ୍ ଖୁସି ପରିବାର ।
ସେହି ପ୍ରତିଭାବାନ ପିଲାଟି ହେଉଛି ବିଜନ କୁମାର ସାହୁ । ଘର ରେଢାଖୋଲ ଏନଏସିର କେଳାକଟା ଗାଁରେ । ପିଲାଦିନେ ମାଆ ପଣତକାନିରେ ଶୋଇ ଡାକ୍ତର ହେବାର ସ୍ୱପ୍ନ ଦେଖୁଥିଲେ ସେ । ଖାଲି ସ୍ୱପ୍ନ ତ ଦେଖିଲେ ହେବନି ବରଂ ତାକୁ ପୂରଣ କରିବା ପାଇଁ ପିଲାଟି ଦିନରୁ ଅକ୍ଲାନ୍ତ ପରିଶ୍ରମ କରୁଥିଲେ ବିଜନ । ନାଁ ଯେମିତି କାମ ବି ସେମିତି । କାରଣ ନିଟ୍ ପରୀକ୍ଷାରେ ସର୍ବ ଭାରତୀୟ ସ୍ତରରେ ମେଡିକାଲରେ ୩୮୮୮ ରାଙ୍କ ରଖି ନିଜର ସ୍ୱପ୍ନକୁ ସାକାର କରିଛନ୍ତି ବିଜନ ।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ବାପା ବିଲରେ କାମ କରି କରି ଯେତିକି ଟଙ୍କା ରୋଜଗାର କରନ୍ତି, ସେତିକିରେ ଆଜିକା ସମୟରେ ପରିବାର ଚଳିବା କଷ୍ଟ । ହେଲେ ବି ସେ ହାର ମାନିନଥିଲେ । ବରଂ ପୁଅର ପଢାପାଇଁ ସବୁ ସୁବିଧା କରିବାକୁ ଅଂଟା ଭିଡିଥିଲେ । ପରିବାରର ଆର୍ଥିକ ସ୍ଥିତି ଏତେଟା ସୁଧାର ନଥିବାରୁ ବିନା ଟ୍ୟୁସନରେ ଯୁକ୍ତଦୁଇ ପଢି ସାରିବା ପରେ ମାତ୍ର ଗୋଟିଏ ଥରକେ ନିଟ୍ ପରୀକ୍ଷାରେ ସଫଳତା ପାଇଛନ୍ତି ବିଜନ ।
ପୁଅ ଡାକ୍ତର ହେବାକୁ ଦେଖୁଥିବା ସ୍ୱପ୍ନକୁ ପୂରଣ କରିବାରେ କାଳେ ଅସଫଳ ହୋଇଯିବେ ବାପା-ମାଆ, ସେଥିପାଇଁ ରାସ୍ତା କଡରେ ଥିବା ଜମିକୁ ବି ଶେଷରେ ବିକ୍ରି କରିଦେଲେ ବାପା-ମାଆ । ଜମି ବିକ୍ରି କରିବା ପରେ ତାଙ୍କୁ କଷ୍ଟ ତ ଲାଗିଥିଲା ହେଲେ ପୁଅ ପାଇଁ ସେ ଯେଉଁ ନିଷ୍ପତ୍ତି ନେଇଥିଲେ, ତାହା ସଠିକ୍ ଥିଲା ବୋଲି କହିଛନ୍ତି ବିଜନଙ୍କ ବାପା ।
କେଳାକଟା ଗାଁରେ ବିଜନ ହେଉଛନ୍ତି ସେହି ଯୁବକ ଯିଏ କି ଗାଁର ପ୍ରଥମ ଡାକ୍ତର ହେବାକୁ ଯାଉଛନ୍ତି । ସତରେ ବାପା-ମାଆଙ୍କ କଷ୍ଟକୁ ବୁଝି ବିଜନ ମେଡିକାଲ ପାଇବା ପରେ ଏବେ ପୂରା ଅଂଚଳରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।
(ରିପୋର୍ଟ- ରମାକାନ୍ତ ମହାନନ୍ଦ, ରେଢାଖୋଲ)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)