• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

କୋଇଲା ସଙ୍କଟର ପ୍ରଭାବ ପଡ଼ିଛି ରେଳ ଚଳାଚଳ ଉପରେ । ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି ଯେ, ମେ ମାସ ସୁଦ୍ଧା ୬୭୦ଟି ପାସେଞ୍ଜର ଟ୍ରେନ୍ ଟ୍ରିପ୍ ବାତିଲ କରିବ । ଏହା ବଦଳରେ ଅଧିକ ସଂଖ୍ୟକ କୋଇଲା ରେକ୍‌ ପରିବହନ କରୁଥିବା ମାଲଗାଡ଼ି ପଟରିରେ ଗଡ଼ିବ । ଯାହା ପାୱାର ପ୍ଲାଣ୍ଟ ଗୁଡ଼ିକୁ କୋଇଲା ପହଞ୍ଚାଇବ । ଗତକିଛି ଦିନ ଧରି ଟ୍ରେନ୍ ଯୋଗେ ଜାରି ରହିଥିବା କୋଇଲା ପରିବହନ ୫ ବର୍ଷରେ ସର୍ବାଧିକ ବୋଲି କୁହାଯାଉଛି, ଯାହା ସୂଚାଉଛି ଏଥର ବିଜୁଳି ସଂକଟ କେତେ ଉତ୍କଟ ହୋଇଛି ।

ବିଜୁଳି ସଙ୍କଟ ଯୋଗୁଁ ରେଲେୱେ ଯାତ୍ରୀବାହୀ ଟ୍ରେନ୍‌ର ୬୭୦ ଟ୍ରିପ୍ ବାତିଲ କରିବ । ଏହା ପରିବର୍ତ୍ତେ ଟ୍ରାକ୍‌ରେ ଗଡ଼ିବ ଅଧିକ ସଂଖ୍ୟକ କୋଇଲା ପରିବହନ କରୁଥିବା ମାଲଗାଡ଼ି । ଆଉ ଦେଶର ବିଭିନ୍ନ ଭାଗରେ ଥିବା ପାୱାର ପ୍ଲାଣ୍ଟକୁ ପହଞ୍ଚାଇବ ପର୍ଯ୍ୟାପ୍ତ କୋଇଲା ରେକ୍ । ପୁରା ଦେଶରେ ଦେଖାଦେଇଥିବା ବିଜୁଳି ସଙ୍କଟର ସମାଧାନ ଲାଗି ଏମିତି ନିଷ୍ପତ୍ତି ନେଇଛି ରେଳ ମନ୍ତ୍ରଣାଳୟ । ଏହି ପଦକ୍ଷେପ ସ୍ୱରୂପ ଗତ କିଛି ସପ୍ତାହ ହେଲା ପ୍ରତିଦିନ ୧୬ଟି ମେଲ୍/ଏକ୍ସପ୍ରେସ୍ ଯାତ୍ରୀବାହୀ ଟ୍ରେନ୍‌କୁ ବାତିଲ କରୁଛି ରେଳ ମନ୍ତ୍ରଣାଳୟ । ମେ ୨୪ ଯାଏଁ ଏଭଳି ସ୍ଥିତି ଜାରି ରହିବ । ବାତିଲ ହେବାକୁ ଥିବା ୬୭୦ ଟ୍ରିପ୍ ମଧ୍ୟରେ ପ୍ରାୟ ୫୦୦ରୁ ଅଧିକ ଦୂରଗାମୀ ମେଲ୍ ଓ ଏକ୍ସପ୍ରେସ ଟ୍ରେନ୍ ଟ୍ରିପ୍ ରହିଛି ।

ଏପଟେ ପାୱାର ପ୍ଲାଣ୍ଟଗୁଡ଼ିକୁ ପର୍ଯ୍ୟାପ୍ତ କୋଇଲା ଯୋଗାଣ ସୁନିଶ୍ଚିତ କରିବାକୁ ଭାରତୀୟ ରେଳପଥ ପ୍ରତିଦିନ ୪୦୦ରୁ ଅଧିକ କୋଇଲା ରେକ୍ ଲୋଡ୍ କରୁଛି, ଯାହାକି ଗତ ୫ ବର୍ଷରେ ସର୍ବାଧିକ । ରେଳ ମନ୍ତ୍ରଣାଳୟ ସୂଚନା ଅନୁସାରେ, ଏବେ ପ୍ରତିଦିନ ୪୧୫ କୋଇଲା ରେକ୍ ଯୋଗାଇବାକୁ ପ୍ରତିଶ୍ରୁତିବଦ୍ଧ ହୋଇଛି ଭାରତୀୟ ରେଳପଥ । ପ୍ରତ୍ୟେକ ରେକ୍ ପ୍ରାୟ ୩ ହଜାର ୫୦୦ ଟନ୍ କୋଇଲା ପରିବହନ କରୁଛନ୍ତି । ଅପରପକ୍ଷରେ ଆଗାମୀ ବର୍ଷା ଋତୁ ଅର୍ଥାତ୍ ଜୁଲାଇ-ଅଗଷ୍ଟ ଯାଏଁ ଏଭଳି କୋଇଲା ଯୋଗାଣ ଚାଲିବ ବୋଲି କୁହାଯାଉଛି ।

ଦେଶର ୭୦ ପ୍ରତିଶତ ବିଜୁଳି କୋଇଲା ଉପରେ ନିର୍ଭରଶୀଳ । ତେବେ ଏହି ସଙ୍କଟର ତୁରନ୍ତ ସମାଧାନ ନ ହେଲେ, ଆଗକୁ ଯାତ୍ରୀବାହୀ ଟ୍ରେନ୍ ଚଳାଚଳରେ ଅନେକ ବାଧା ଉପୁଜିପାରେ ।

ରିପୋର୍ଟର- ଅର୍ଚ୍ଚନା ଶତପଥୀ ଓ ବିବର୍ତ୍ତନ ପଣ୍ଡା