Advertisment

ମୁଖ୍ୟ ଶାସନ ସଚିବଙ୍କ ତାଗିଦ୍‌କୁ ଫୁ; ରାଜ୍ୟବ୍ୟାପି ଚାଲିଛି ଘନଘନ ବିଦ୍ୟୁତ୍‌ କାଟ୍‌

ରାଜ୍ୟରେ ବନ୍ଦ ହେଉନି ପାୱାର କଟ୍ । ପ୍ରଶ୍ନ ଉଠୁଛି ଯେ, ବିଦ୍ୟୁତ୍ ବଳକା ରାଜ୍ୟ ଓଡ଼ିଶାରେ କାହିଁକି କଟୁଛି ବିଜୁଳି? କାହିଁକି ରାଜ୍ୟବାସୀଙ୍କୁ ମିଳିପାରୁନି ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା? ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ ପରେ ବି କେମିତି ପାୱାର କଟ୍ ହେଉଛି ?

author-image
Otv Khabar Bureau
undefined

Power Cut

ତାତି ଟିକେ କମିଛି ସତ, ହେଲେ ଏବେ ବି ଗ୍ରାମାଞ୍ଚଳରେ ଲୋକଙ୍କୁ କଷ୍ଟ ଦେଉଛି ପାୱାର କଟ୍‌ । ଘଣ୍ଟା ଘଣ୍ଟା ଧରି ବିଜୁଳି କାଟ୍ ଯୋଗୁଁ ନାହିଁ ନଥିବା ହଇରାଣ ହେଉଛନ୍ତି ଲୋକେ । ଉପକୂଳରୁ ଉପାନ୍ତ, ଦକ୍ଷିଣରୁ ଉତ୍ତର, ରାଜ୍ୟରେ ସବୁଠି ଦେଖିବାକୁ ମିଳିଛି ସମାନ ସ୍ଥିତି । ପାୱାର କଟ୍ ନକରିବାକୁ କିଛି ଦିନ ତଳେ ମୁଖ୍ୟ ଶାସନ ସଚିବ ତାଗିଦ କରିଥିଲେ । ବିଧାନସଭା ଶକ୍ତି ସମ୍ପର୍କିତ ଗୃହ କମିଟି ମଧ୍ୟ ଏନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି । ଅନ୍ୟପଟେ ମେ ଆରମ୍ଭରୁ ରାଜ୍ୟରେ ବିଜୁଳି ସଙ୍କଟ ନଥିବା କହିଛନ୍ତି ଶକ୍ତି ସଚିବ । ଏହା ସତ୍ତ୍ୱେ ବି ବାରମ୍ବାର ପାୱାର କଟ୍ ହେଉଛି।

Advertisment

ମେ ମାସ ଆରମ୍ଭରୁ ରାଜ୍ୟରେ ବିଜୁଳି ସଙ୍କଟ ନାହିଁ । ଖୋଦ୍ ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ସଚିବ ସଫା ସଫା କହିଥିଲେ ମଧ୍ୟ ବାସ୍ତବ ସ୍ଥିତି କିନ୍ତୁ ପୁରାପୁରି ଅଲଗା । ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରରେ ସକାଳ, ସଞ୍ଜ, ରାତି ଏପରିକି ଡହ ଡହ ଖରାବେଳେ ମଧ୍ୟ ପାୱାର କଟ୍ ହେଉଛି । ଘନ ଘନ ଅଘୋଷିତ ବିଦ୍ୟୁତ୍ କାଟ୍‌ରେ ଅସ୍ତବ୍ୟସ୍ତ ହେଉଛନ୍ତି ଲୋକେ ।

ପ୍ରବଳ ତାତି ଯୋଗୁଁ ଘରୁ ବାହାରି ହେଉନଥିବା ବେଳେ ପାୱାର କଟ୍ ପାଇଁ ଘରେ ରହିବା ମଧ୍ୟ ମୁସ୍କିଲ୍‌ । କୋରାପୁଟ ଲମତାପୁଟରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ବିଜୁଳି ଘଣ୍ଟା ଘଣ୍ଟା କଟୁଛି ଓ ବାରମ୍ବାର ଯାଉଛି । ଥରେ ବିଦ୍ୟୁତ୍ ଗଲେ କେତେବେଳେ ଆସିବ କାହାକୁ ଜଣାନାହିଁ । ଗରମ ଓ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ଲୋକେ । ଭଦ୍ରକ ଜିଲ୍ଲାରେ ବାରମ୍ବାର ବିଜୁଳି କାଟ୍‌ରେ ସ୍ଥିତି ଅସହ୍ୟ ହେବାରୁ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି । ଇଲେକ୍ଟ୍ରି ଅଫିସ ଆଗରେ ବିକ୍ଷୋଭ କରିବା ସହ ଧାରଣା ଦେଇଛନ୍ତି ।

Advertisment

ଅବ୍ୟବସ୍ଥା ଓ ଘନ ଅନ୍ଧକାର ମଧ୍ୟରେ ବିଚଳିତ କଲା ଭଳି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାରେ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲରେ । ଆଖପାଖ ୪ ଜିଲ୍ଲାର ରୋଗୀଙ୍କ ସାହାଭରଷାର ମେଡିକାଲଟି ୪ ଘଣ୍ଟା ଧରି ଅନ୍ଧାର ଥିବାର ଦେଖିବାକୁ ମିଳିଛି। ଆଉ ତାଭିତରେ ହନ୍ତସନ୍ତ ରୋଗୀ ଏବଂ ସମ୍ପର୍କୀୟ ଅଭିଯୋଗ କରିଛନ୍ତି ଯେ, ‘ଦିନେ କି ଦୁଇ ଦିନ ନୁହେଁ, ଏଭଳି ବାରମ୍ବାର ବିଜୁଳି ଯାଉଛି’।

ରାଜ୍ୟରେ ପାୱାର କଟ୍ ନକରିବାକୁ କିଛି ଦିନ ତଳେ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ଦିନ ବେଳା ବିଦ୍ୟୁତ ନକାଟିବା ସହ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏପରିକି ନିକଟରେ ବିଧାନସଭା ଶକ୍ତି ସମ୍ପର୍କିତ ଗୃହ କମିଟି ମଧ୍ୟ ରାଜ୍ୟରେ ପାୱାର କଟ୍ ସମସ୍ୟାକୁ ନେଇ ଉଦବେଗ ପ୍ରକାଶ କରିଥିଲେ ।

ଏତେ ସବୁ ପରେ ବି ରାଜ୍ୟରେ ବନ୍ଦ ହେଉନି ପାୱାର କଟ୍ । ପ୍ରଶ୍ନ ଉଠୁଛି ଯେ, ବିଦ୍ୟୁତ୍ ବଳକା ରାଜ୍ୟ ଓଡ଼ିଶାରେ କାହିଁକି କଟୁଛି ବିଜୁଳି? କାହିଁକି ରାଜ୍ୟବାସୀଙ୍କୁ ମିଳିପାରୁନି ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା? ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ ପରେ ବି କେମିତି ପାୱାର କଟ୍ ହେଉଛି ?

Odisha Power Cut
Advertisment
Advertisment