• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଗ୍ରୀଷ୍ମ ଓ ଅସହ୍ୟ ଗୁଳୁଗୁଳିରେ ଏବେ ଦହଗଞ୍ଜ ପୁରା ଓଡ଼ିଶା । ଆଉ ତାସାଙ୍ଗକୁ ଦୁଃଖକୁ ଦ୍ୱିଗୁଣିତ କରୁଛି ଅଘୋଷିତ ବିଜୁଳି କାଟ୍ । ରାଜ୍ୟର ଯେଉଁ କୋଣକୁ ନଜର ପକାଇବେ, ସେଇ ସମାନ ସ୍ଥିତି । ବିଜୁଳିର ଲୁଚକାଳି ଖେଳ ଯୋଗୁଁ ହନ୍ତସନ୍ତ ହେଉଛନ୍ତି ଲୋକେ । ଏହାକୁ ନେଇ ଆଜି ଉଦ୍‌ବେଗ ପ୍ରକାଶ କରିଛି ବିଧାନସଭାର ଶକ୍ତି ସମ୍ପର୍କିତ ଷ୍ଟାଣ୍ଡିଂ କମିଟି । ଟାଟା ପାୱାର କହିଛି, ଗତ ବର୍ଷ ମେଣ୍ଟେନାନ୍ସ ହୋଇ ନ ଥିବାରୁ ଏବେ ମେଣ୍ଟେନାନ୍ସ କାମ ଚାଲିଛି । ସେଥିପାଇଁ ବିଜୁଳି କାଟ୍ ହେଉଛି । ହେଲେ ଏଣିକି କେବଳ ସକାଳ ସମୟରେ ମେଣ୍ଟେନାନ୍ସ କରାଯିବ । 

ଉପକୂଳିଆ କେନ୍ଦ୍ରାପଡ଼ା ହେଉକି ପଟ୍ଟାମୁଣ୍ଡାଇ ସୋର ହେଉ ବା ଭଦ୍ରକ କିମ୍ବା ଉପାନ୍ତ ଜିଲ୍ଲା ଚିତ୍ରକୋଣ୍ଡା ଆଉ ଗୁଣପୁର ସବୁଠି ସମାନ ଚିତ୍ର ଦେଖିବାକୁ ମିଳିଛି ।ସବୁଠି ଅଘୋଷିତ ବିଜୁଳି କାଟ୍‌ରେ ସନ୍ତୁଳି ହେଉଛନ୍ତି ଜନତା । କେଉଁଠି ପିଲା ପାଠ ପଢ଼ିବାକୁ ଲ୍ୟାମ୍ପର ସାହାଯ୍ୟ ନେଉଛି ତ ଆଉ କେଉଁଠି ପାଠ ପଢ଼ୁଥିବା ପୁଅକୁ ବିଞ୍ଛଣାରେ ବିଞ୍ଛି ଚାଲିଛି ମାଆ । ଆଉ କେଉଁଠି ଘରେ ଭିତରେ ଅସହ୍ୟ ଗୁଳୁଗୁଳି ସହି ନପାରି ଛୋଟ ପିଲାଠୁ ଆରମ୍ଭ କରି ପୂରା ପରିବାର ଗଛ ତଳେ ଆଶ୍ରୟ ନେଇଛନ୍ତି ।

ଭଦ୍ରକ ଓ ସୋର ଭଳି ସ୍ଥାନରେ ଦିନକୁ ୮-୯ ଘଣ୍ଟା ବିଜୁଳି ରହୁନଥିବା ଦେଖିବାକୁ ମିଳିଛି । ଉତ୍ତମ ବିଜୁଳି ସେବା ଲାଗି ସରକାର ବିଦ୍ୟୁତ୍ ବଣ୍ଟନ ବ୍ୟବସ୍ଥାକୁ ଘରୋଇ କମ୍ପାନି ହାତକୁ ଟେକି ଦେଇଥିବା ସତ୍ତ୍ୱେ ଘନ ଘନ ଅଘୋଷିତ ବିଜୁଳି କାଟକୁ ନେଇ ବଢ଼ିଚାଲିଛି ଜନ ଅସନ୍ତୋଷ । ବିଦ୍ୟୁତ୍ ଉପଭୋକ୍ତା ସଂଘର କହିବାନୁଯାୟୀ ସରକାରଙ୍କ ଅପାରଗତା ଯୋଗୁ ଖାଉଟି ହିଁ କଷ୍ଟ ସହୁଛି । ସରକାର ଜିଲ୍ଲାପାଳଙ୍କ ଜରିଆରେ ବିଭିନ୍ନ ଅଞ୍ଚଳର ଅଘୋଷିତ ବିଦ୍ୟୁତ୍ କାଟ ସ୍ଥିତିର ସମୀକ୍ଷା କରନ୍ତୁ । 

ଖରାଦିନେ ଘନ ଘନ ବିଜୁଳି କାଟକୁ ନେଇ ଉଦ୍‌ବେଗ ପ୍ରକାଶ କରିଛି ବିଧାନସଭା ଶକ୍ତି ସମ୍ପର୍କିତ ଷ୍ଟାଣ୍ଡିଂ କମିଟି । ଏଥିପାଇଁ ଆଜି ଷ୍ଟାଣ୍ଡିଂ କମିଟି ପକ୍ଷରୁ ଶକ୍ତି ବିଭାଗ, ବିତରଣ କମ୍ପାନି ସହ ଆଲୋଚନା ହୋଇଛି । ରାତିରେ ବିଜୁଳି କାଟ୍ ନ କରିବା ସହ ପାୱାର ଆଉଟେଜ୍‌କୁ ହ୍ରାସ କରିବାକୁ ବିତରଣ କମ୍ପାନିମାନଙ୍କୁ ପରାମର୍ଶ ଦେଇଛି କମିଟି ।

ତେବେ ଶକ୍ତି ସଚିବ କହିଛନ୍ତି, ରାଜ୍ୟରେ ଏବେ ବିଜୁଳି ସମସ୍ୟା ନାହିଁ । ପିକ୍ ସମୟରେ ରାଜ୍ୟକୁ ୪ ହଜାର ୪୦୦ରୁ ୪ ହଜାର ୫୦୦ ମେଗାୱାଟ୍ ବିଜୁଳି ଦରକାର ପ଼ଡୁଛି । ମେ ଆରମ୍ଭରୁ ଏହି ଚାହିଦା ପୂରଣ ହେଉଛି । ତେବେ ବିଭିନ୍ନ ପ୍ରକାର ମେଣ୍ଟେନାନ୍ସ ଓ କ୍ୟାପିଟାଲ ୱାର୍କ ଲାଗି ବିତରଣ କମ୍ପାନି ବିଜୁଳି କାଟ କରୁଛନ୍ତି । ଟାଟା ପାୱାର ନିଜ ସଫେଇରେ କହିଛି ଯେ, ଗତବର୍ଷ କୋଭିଡ୍ ଓ ବାତ୍ୟା ଯୋଗୁ ମେଣ୍ଟେନାନ୍ସ କାମ ହୋଇ ପାରିନଥିଲା । ଗ୍ରାହକଙ୍କୁ ଉତ୍ତମ ସେବା ଯୋଗାଇବାକୁ ମେଣ୍ଟେନାନ୍ସ କାମ କରାଯାଉଛି । ତେବେ ଏଣିକି କେବଳ ସକାଳ ସମୟରେ ମେଣ୍ଟେନାନ୍ସ କାମ କରାଯିବ ।

ବିଜୁଳି କାଟ ସମସ୍ୟାର ସମାଧାନ ଲାଗି ଟାଇମ ମ୍ୟାନେଜମେଣ୍ଟ ସହ ବର୍ଷାଦିନ ପୂର୍ବରୁ ମେଣ୍ଟେନାନ୍ସ କାମ ସାରିବାକୁ ବିତରଣ କମ୍ପାନିଙ୍କୁ ନିର୍ଦ୍ଦେଶ ଦେଇଛି ଶକ୍ତି ସମ୍ପର୍କିତ ଷ୍ଟାଣ୍ଡିଂ କମିଟି । ଏମିତିକି ବିଦ୍ୟୁତ୍ ବିଲ୍ ସମ୍ପର୍କିତ ସମସ୍ୟାକୁ ଜିଲ୍ଲାସ୍ତରରେ ବିଜୁଳି ଅଦାଲତ ମାଧ୍ୟମରେ ସମାଧାନ କରିବାକୁ କମିଟି ପରାମର୍ଶ ଦେଇଛି ।