• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଚାରିଆଡ଼େ ଘଂଚ ଜଙ୍ଗଲ । ତାରି ଭିତରେ ଆବଡ଼ା ଖାବଡ଼ା ପାଦ ଚଲା ରାସ୍ତା । ମଝି ଜଙ୍ଗଲରେ ରହିଛି ଛୋଟ କୁଡିଆଟିଏ । ମାଟି କାନ୍ଥରେ, କେଉଁଠି ଖପରା ତ କେଉଁଠି ଢଙ୍କା ଯାଇଛି ଛିଡା ପାଲ । ଦିନରେ ଖରା ଓ ରାତିରେ ତାରା ଦିଶୁଥିବା ଘରେ ରହୁଛନ୍ତି ଛଅ ପ୍ରାଣୀ କୁଟୁମ୍ବ । ଘରର ମୁରବୀ ଫଗଣୁ ମାଝୀ, ଦୁଇ ପତ୍ନୀ ଓ ତିନି ପିଲା ଛୁଆ ।

ପନ୍ଦର ବର୍ଷ ତଳେ ନିଜ ହାତରେ ଚାଳ ଛପରର କରି ଏହି କୁଡିଆ ତୋଳିଥିଲେ ଫଗଣୁ । ସେବେଠୁ ଏଇଠି ମୁଣ୍ଡ ଗୁଂଜିଛନ୍ତି । ରାସନକାର୍ଡ ଅଛି ହେଲେ ସେଥିରେ କେବଳ ଦୁଇ ଜଣଙ୍କ ନାଁ ରହିଛି । ଫଳରେ ଦଶ କେଜି ଚାଉଳରେ ଚଳୁଛନ୍ତି ପୁରା ପରିବାର । ପାଖରେ ପାଣି ନଥିବାରୁ ବାହାର ଗାଁକୁ ଯାଇ ପାଣି ଆଣୁଛନ୍ତି । ପିଲାମାନେ ପାଠ ନପଢି ଗାଇ, ଛେଳି ଚରାଉଛନ୍ତି ।

ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ୍ ଖଇରା ଗାଁର ଫଗଣୁ ମାଝୀ । ପୂର୍ବରୁ ଗାଁରେ ରହୁଥିଲେ । ଘର ଭାଙ୍ଗିଯିବାରୁ ସମ୍ପର୍କୀୟ ଜାଗା ମାଡି ବସି ତାଙ୍କୁ ତଡି ଦେଇଥିଲେ । ଫଳରେ ୧୫ ବର୍ଷ ହେଲା ମୁନ୍ଦିବାହେଲି ଜଙ୍ଗଲ ପାଲଟିଛି ଫଗଣୁଙ୍କ ଆଶ୍ରୟସ୍ଥଳୀ । ଏଭିତରେ ତିନି ତିନିଟି ନିର୍ବାଚନ ଯାଇଛି । ନେତା ଆସି ପ୍ରତିଶ୍ରୁତି ଓଜାଡି ଦେଇଛନ୍ତି । କେତେବେଳେ କହିଛନ୍ତି ଆବାସ ଯୋଜନାରେ ଘର ଦେବେ ତ କେତେବେଳେ ରାସନ କାର୍ଡରେ ସାମିଲ କରିଦେବେ ପରିବାରର ସମସ୍ତଙ୍କ ନାଁ । ହେଲେ ଏସବୁ ଫଗଣୁଙ୍କ ପାଇଁ ସାତ ସପନ ପାଲିଟିଛି ।

ସବୁ କଚ୍ଚା ଘର ପକ୍କା ହେବ, ଆବାସ ଯୋଜନାରେ ସମସ୍ତଙ୍କୁ ସାମିଲ କରାଯିବ । ଏମିତି କେତେ କଣ ଘୋଷଣା କରାଯାଉଛି । ସରକାରଙ୍କ ତରଫରୁ ହେଲେ ଏବେବି ଜଙ୍ଗଲ ଭିତରେ ଚାଳ ଛପର ଘରେ ରହିବାକୁ ବାଧ୍ୟ ହେଉଛନ୍ତି ଫଗଣୁଙ୍କ ଭଳି ଅନେକ ପରିବାର ।

(ରିପୋର୍ଟ- କୁନାଲ ଚରଣ ବେହେରା, ଖଡିଆଳ)