• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପିଲାଙ୍କୁ ସଠିକ୍‌ ଶିକ୍ଷା ଦେବା ଶିକ୍ଷକଙ୍କର କର୍ତ୍ତବ୍ୟ ଓ ଦାୟିତ୍ୱ । ଆଜିର ଯୁଗରେ କେମିତି ଲୋକମାନେ କଳାଯାଦୁର ବଶବର୍ତ୍ତୀ ହୋଇ ବିଭତ୍ସକାଣ୍ଡ ଘଟାଉଛନ୍ତି ସେଥିରୁ ନିବୃତ୍ତ ରହିବା ପାଇଁ ପିଲାଙ୍କୁ ସେମାନେ ଶିଖାଇବା କଥା । ଏମିତିକି ଅନ୍ଧ ବିଶ୍ୱାସକୁ ଭରସା ନକରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ନିଜ ପିଲାଙ୍କୁ ଓ ସମାଜକୁ ବାର୍ତ୍ତା ଦେବା କଥା । ହେଲେ ଏଠି ଆମେ ଏମିତି ଏକ ଶିକ୍ଷକ ଦମ୍ପତ୍ତିଙ୍କ କଥା କହିବୁ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।

ଘରୁ ଚୋରି ହେଲା ବୋଲି ଶିକ୍ଷକ ଦମ୍ପତ୍ତି ପୋଲିସ ପାଖକୁ ନଯାଇ ଘର ଆଗରେ ପୂଜାପାଠ କରୁଛନ୍ତି । ଆଉ ତାଙ୍କ ମନରେ ବିଶ୍ୱାସ ଅଛି ଏମିତି ପୂଜା ପାଠ କଲେ ଚୋର ଧରାପଡ଼ିବ । ଗୁଣିଆ କଥାରେ ପଡ଼ି ଏବଂ ଏଭଳି ଅନ୍ଧ ବିଶ୍ୱାସର ବସବର୍ତ୍ତୀ ହୋଇ ଶିକ୍ଷକ ଦମ୍ପତ୍ତି ଏଭଳି କରୁଥିବା ଜଣାପଡ଼ିଛି । ତେବେ ଏଠି ପ୍ରଶ୍ନ ଯଦି ଶିକ୍ଷକ ହୋଇ ଏଭଳି ମାନସିକତା ରଖିବେ, ତେବେ ସମାଜକୁ ଏହା କି ବାର୍ତ୍ତା ଦେବ ।

ଶିକ୍ଷକ ଦମ୍ପତିଙ୍କ ଘରୁ ନଗଦ ଟଙ୍କା ସାଙ୍ଗକୁ ୧୦ ଭରି ସୁନା ଅଳଙ୍କାର ନେଇ ଚୂନ କଳା ବୁଲାଇଲା ଚୋର । ହେଲେ ଘଟଣାକୁ ୧୦ଦିନ ବିତିଯାଇଥିଲେ ବି ଚୋରଙ୍କ ଟେର ପାଉନି ପୋଲିସି । ଆଉ ପୋଲିସ ଉପରୁ ଭରସା ତୁଟାଇ ଘର ଦୁଆରେ ନଡ଼ିଆ କଳସ ବସାଇ ପୂଜା କରିଛନ୍ତି ଶିକ୍ଷକ ଦମ୍ପତି ।

ଏମିତି ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ପାଞ୍ଚପଡା ଗାଁରେ । ଗତ ୫ ତାରିଖରେ ଏଇ ଦମ୍ପତ୍ତି କୌଣସି କାମରେ ବାହାରକୁ ଯାଇଥିଲେ । ଆଉ ଘରକୁ ଫେରି ଦେଖିବା ବେଳକୁ ଏଇ ଅବସ୍ଥା । କେବଳ ସୁନା ନୁହେଁ ବରଂ ମୋବାଇଲ ସାଙ୍ଗକୁ ନଗଦ ୭୦ ହଜାର ଟଙ୍କା ବି ଚୋର ନେଇଯାଇଛନ୍ତି । ଚୋରି ସମ୍ପର୍କରେ ଚାନ୍ଦବାଲି ଥାନାରେ ଅଭିଯୋଗ କରିଥିଲେ ଶିକ୍ଷକ ଦମ୍ପତି । କିନ୍ତୁ ଚୋରର କୌଣସି ଟେର ମିଳିନି ।

ତେବେ ପୋଲିସ ଉପରେ ଭରସା ନକରି ଘର ସାମ୍ନାରେ ନାଲି କପଡା ସାଙ୍ଗକୁ ସିନ୍ଦୁର, ମନ୍ଦାର ଫୁଲ ଲଗାଇ ଏକ ନଡ଼ିଆକୁ ପୂଜା କରୁଛନ୍ତି ଶିକ୍ଷକ ଦମ୍ପତି । ଆଉ ଆଶା ରଖିଛନ୍ତି ହଜିଲା ଧନ ପୁଣି ମିଳିବ । ତେବେ ଏନେଇ ଏସଡ଼ିପିଓ କହିଛନ୍ତି, ତଦନ୍ତ ଚାଲିଛି ଖୁବଶୀଘ୍ର ଚୋର ଧରାପଡ଼ିବ ।