• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ମାତ୍ର ୨୫ ମିନିଟ୍‌ର ଉଡ଼ାଣ ଥିଲା । ହେଲେ ୧୦ ମିନିଟ୍ ପୂର୍ବରୁ ସର୍ବନାଶ ହୋଇଗଲା ସବୁକିଛି । ନେପାଳର ତାରା ଏୟାର ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ସମସ୍ତ ୨୨ ଜଣ ଯାତ୍ରୀ । ଚିହ୍ନଟ ହେଲାଣି ୨୧ ଜଣଙ୍କ ମୃତଦେହ । ଦୁର୍ଘଟଣାଗ୍ରସ୍ତ ବିମାନରେ ଥିବା ଗୋଟିଏ ଓଡ଼ିଆ ପରିବାରର ୪ ସଦସ୍ୟଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ସନ୍ଦେହ ପରେ ପରିବାର ଲୋକେ ଭାଙ୍ଗିପଡ଼ିଛନ୍ତି । ଆଉ ନାନା ଆଶା ଆଶଙ୍କାକୁ ନେଇ ନେପାଳର କାଠମାଣ୍ଡୁ ଅଭିମୁଖେ ବାହାରିଛନ୍ତି ସମ୍ପର୍କିୟ । ସେପଟେ କାହିଁକି ଘଟିଲା ଦୁର୍ଘଟଣା, ତାହାର ଖୋଳତାଡ଼ କରାଯାଉଛି ।

ନୀରବି ଯାଇଛି ପରିବାର । ସ୍ଥାଣୁ ପାଲଟିଯାଇଛନ୍ତି ସମସ୍ତେ । ନା ପେଟରେ ଭୋକ ଅଛି ନା ଆଖିରେ ନିଦ । ନେପାଳରେ ବିମାନ ଦୁର୍ଘଟଣାପରଠୁ ନୀରବି ଯାଇଛନ୍ତି ପରିବାର ଲୋକେ । କାହିଁକି ବା ନ ହେବେ, ଯେଉଁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି, ସେହି ବିମାନରେ ଯାତ୍ରା କରୁଥିବା ନିଜ ଲୋକଙ୍କ ମୃତ୍ୟୁ ହୋଇଛି । ପ୍ରାଣ ହରାଇଛନ୍ତି ଅଶୋକ ତ୍ରିପାଠୀ, ତାଙ୍କ ପତ୍ନୀ ବୈଭବୀ, ପୁଅ ଧନୁଷ ଏବଂ ଝିଅ ରିତିକା । 

କାଳେ ସେମାନେ କୋଉଁଠି ଜୀବିତ ଅବସ୍ଥାରେ ଥିବେ ସେହି ଆଶାରେ ସପରିବାର ଏବଂ ସମ୍ପର୍କୀୟ ଅନାଇ ରହିଥିଲେ ବି ଧିରେ ଧିରେ ଆଶା କିନ୍ତୁ ମଉଳିବାରେ ଲାଗିଛି । କାରଣ ଇତିମଧ୍ୟରେ ଦୁର୍ଘଟଣାଗ୍ରସ୍ତ ତାରା ଏୟାର ବିମାନର ସମସ୍ତ ୨୨ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ୨୧ଟି ମୃତଦେହ ମିଳିସାରିଲାଣି । ତେଣୁ  ଖବର ପରେ ଏବେ ଅଶୋକ ତ୍ରିପାଠୀଙ୍କ ଟିଟିଲାଗଡ଼ରେ ରହୁଥିବା ବଡ଼ଭାଇ ଏବଂ ବୈଭବୀଙ୍କ ପରିବାର କାଠମାଣ୍ଡୁ ଅଭିମୁଖେ ବାହାରିଛନ୍ତି । ସେଠାରେ ପହଞ୍ଚିବା ପରେ ସ୍ପଷ୍ଟ ହେବ ଅଶୋକ, ତାଙ୍କ ପତ୍ନୀ ଓ ଦୁଇ ପିଲାଙ୍କ ଅବସ୍ଥା ସମ୍ପର୍କରେ । 

 

ସୁବର୍ଣ୍ଣପୁର ଜିଲ୍ଲାର ଅଶୋକ ତ୍ରିପାଠୀ ମୁମ୍ବାଇରେ ମ୍ୟାନେଜମେଣ୍ଟ ପାଠ ପଢ଼ି ସେଠାରେ ଚାକିରୀ କରିଥିଲେ । ମୁମ୍ବାଇରେ ବୈଭବୀ ବନ୍ଦରେକରଙ୍କୁ ବିବାହ କରିଥିଲେ । ପରବର୍ତ୍ତୀ ସମୟରେ ଅଶୋକ ତ୍ରିପାଠୀ ଭୁବନେଶ୍ୱରରେ ଚାଟାର୍ଡ ଆକାଉଣ୍ଟାଣ୍ଟ୍ ଭାବେ ନିଯୁକ୍ତି ପାଇଥିଲେ । ଆଉ ଦୀର୍ଘଦିନର ବ୍ୟବଧାନ ପରେ ମୁମ୍ବାଇରେ ରହୁଥିବା ପତ୍ନୀ ବୈଭବୀ ଓ ଦୁଇ ପିଲାଙ୍କ ପାଖକୁ ଯାଇଥିଲେ । ସେଠାକୁ ଯିବାପରେ ସପରିବାର ବୁଲିବାକୁ ବାହାରିଥିଲେ ନେପାଳ । କିନ୍ତୁ ଦୁର୍ଭାଗ୍ୟକୁ ନେପାଳ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ସମସ୍ତେ ।

ରବିବାର ପୂର୍ବାହ୍ନ ୯ଟା ୫୩ ମିନିଟ୍, ନେପାଳ ଏୟାର୍ଲାଇନ୍ସ ତାରା ଏୟାର୍‌ର ଏକ ଛୋଟ ବିମାନ ପୋଖାରାରୁ ଏୟାର କ୍ର୍ୟୁ ସମେତ ମୋଟ ୨୨ ଯାତ୍ରୀଙ୍କୁ ଧରି ଉଡ଼ାଣ ଭରିଥିଲା । ମୁସ୍ତାଙ୍ଗ ଜିଲ୍ଲାର ଜମ୍‌ସମ୍‌ ଏୟାରପୋର୍ଟରେ ବିମାନଟିକୁ ଅବତରଣ କରିବାର ଥିଲା । ଯାହାର ଉଡ଼ାଣ ସମୟ ଥିଲା ମାତ୍ର ୨୫ ମିନିଟ୍ । ଜମ୍‌ସମ୍‌ ପରେ ସମସ୍ତଙ୍କୁ ଧଉଳଗିରି ବୁଲିବାକୁ ଯିବାର ଥିଲା । ତେବେ ଉଡ଼ାଣର ୧୫ ମିନିଟ୍ ପରେ ଏଟିସି ସହ ବିଚ୍ଛିନ୍ନ ହୋଇଗଲା ସଂପର୍କ । ଯେତେ ଚେଷ୍ଟା କଲେ ବି ଆଉ ପତ୍ତା ମିଳିନଥିଲା । 

ବିମାନରେ ପାଇଲଟ୍ ଥିଲେ ପ୍ରଭାକର ଘିମେରେ । ତେବେ ଦୀର୍ଘ ସମୟ ଧରି ନେପାଳ ସେନା ଓ ସନ୍ଧାନକାରୀ ଦଳର ଛାନଭିନ୍ ପରେ ଆଜି ବିମାନଟିର ଭଗ୍ନାବଶେଷ ମିଳିଛି ମୁସ୍ତାଙ୍ଗର କୋବାନ୍‌ରେ । ମିଳିଥିବା ସୂଚନା ଅନୁଯାୟୀ, ଏହି ବିମାନଟି ୧୪, ୫୦୦ ଫୁଟ୍ ଉଚ୍ଚରେ ଧକ୍କା ଖାଇବା ପରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯେଉଁଥିରେ ସମସ୍ତ ୨୨ ଯାତ୍ରୀଙ୍କ ପ୍ରାଣହାନୀ ହୋଇଥିବାବେଳେ ଫଟୋରେ ଥିବା ନେପାଳର ଏହି ପରିବାରର ସମସ୍ତେ ପ୍ରାଣ ହରାଇଛନ୍ତି । 

କୁହାଯାଉଛି ଏହି ବିମାନଟି ୩୦ ବର୍ଷର ପୁରୁଣା । ତେବେ କାହିଁକି ଏବଂ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ତାହାର ତଦନ୍ତ କରୁଛନ୍ତି ନେପାଳ ସରକାର ।

ରିପୋର୍ଟର- ଦୀପକ ଅଦର, ମାନସ ମହାନ୍ତି