• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

କେମିତି ହେଲା ବାଲେଶ୍ୱର ପ୍ରିନ୍ସ ରେସିଡେନ୍ସିଆଲ୍ କଲେଜ ଛାତ୍ରୀ ସାବିତ୍ରୀ ବେହେରାଙ୍କ ମୃତ୍ୟୁ ? ସତରେ କଣ ଦୁଇ ଶହ ଟଙ୍କା ଚୋରି ବିବାଦରୁ ଚାଲିଗଲା କି ମୟୁରଭଞ୍ଜ ଲୁହାକାନିର ପ୍ଲସଟୁ ଦ୍ୱିତୀୟ ବର୍ଷର ଛାତ୍ରୀଙ୍କ ଜୀବନ ? ଗୁରୁ ଯାଇ ଶୁକ୍ର ସରିଗଲା ସିନା ମୃତ୍ୟୁ ପଛର ପ୍ରମାଣ ଯୋଗାଡ଼ କରିପାରିନି ବାଲେଶ୍ୱର ପୋଲିସ । ୩୬ ଘଣ୍ଟାର ସସ୍ପେନ୍ସ ଭିତରେ ଝିଅକୁ ହତ୍ୟା ଅଭିଯୋଗ ଆଣିଛନ୍ତି ମୃତ ଛାତ୍ରୀଙ୍କ ମା ।

ବଲାଙ୍ଗିର ମେଡ଼ିକାଲ୍ କଲେଜ୍‌ରେ ଛାତ୍ର ମୃତ୍ୟୁର ରହସ୍ୟଜନକ ଏପିସୋଡ୍ ବାଲେଶ୍ୱରରେ ରିପିଟ୍ ହୋଇଛି। ସହରର ପ୍ରିନ୍ସ ରେସିଡେନ୍ସିଆଲ କଲେଜର ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଜଣେ ଛାତ୍ରୀ ଛାତରୁ ପଡ଼ି ପ୍ରାଣ ହରାଇବା ପଛରେ ସାମ୍ନାକୁ ଆସିଛି ସାଂଘାତିକ ଅଭିଯୋଗ । ଦୁଇ ଶହ ଟଙ୍କା ଚୋରି ପାଇଁ ସଂପୃକ୍ତ ଛାତ୍ରୀଙ୍କୁ ସହପାଠୀ ଓ ୱାର୍ଡେନ ମିଶି ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ହେଲେ ହତ୍ୟା ଅଭିଯୋଗକୁ କିନ୍ତୁ କଲେଜ କର୍ତ୍ତୃପକ୍ଷ ମାନିବାକୁ ନାରାଜ । କହିଛନ୍ତି, ଛାତ୍ରୀ ଜଣକ ଆତ୍ମହତ୍ୟା କରିଛନ୍ତି । ପରିବାର ଲୋକଙ୍କ ଅଭିଯୋଗ ଆଧାରରେ କିନ୍ତୁ ବାଲେଶ୍ୱର ପୋଲିସ ହତ୍ୟା ମାମଲା ରୁଜୁ କରି ଖୋଳତାଡ଼ କରୁଛି ।

ଏନେଇ ମୃତ ଛାତ୍ରୀଙ୍କ ମା କହିଛନ୍ତି ଯେ,ଗତ ୧୮ ତାରିଖ ରାତି ୯ଟାରେ ପରିବାର ଲୋକଙ୍କ ସହ ସ୍ୱାଭାବିକ ଢଙ୍ଗରେ ଫୋନ୍‌ରେ କଥା ହୋଇଛନ୍ତି ସାବିତ୍ରୀ । ରାତି ୧୧ଟାରେ ପୁଣି ବାପାଙ୍କୁ ଫୋନ୍ କରି ଟଙ୍କା ଚୋରି ଅଭିଯୋଗରେ କିଛି ଛାତ୍ରୀ ଏବଂ ୱାର୍ଡେନ୍ ଗାଳିମନ୍ଦ କରୁଥିବା ସାବିତ୍ରୀ ଜଣାଇଥିଲେ । ଆଉ ରାତି ପ୍ରାୟ ଗୋଟାଏ ବେଳକୁ ଝିଅ ଶିଡ଼ିରୁ ଖସି ଗୁରୁତର ହୋଇଥିବା କଲେଜ କର୍ତ୍ତୃପକ୍ଷ ବାପା, ମାଙ୍କୁ ଜଣାଇଥିଲେ । ଖବର ପାଇ ପରିବାର ଲୋକେ ପହଞ୍ଚିବା ବେଳକୁ ଝିଅର ମୃତ୍ୟୁ ହୋଇସାରିଥିଲା । ତେଣୁ ୱାଡେନ୍ ଓ ଅନ୍ତେବାସୀ ମିଶି ଝିଅକୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ସାବିତ୍ରୀଙ୍କ ମା ।

 

ମାମଲାରେ ହତ୍ୟା ଅଭିଯୋଗକୁ ମାନିବାକୁ ପ୍ରସ୍ତୁତ ନୁହଁନ୍ତି କଲେଜ ପ୍ରିନ୍ସପାଲ ପ୍ରଭାତ କୁମାର ମିଶ୍ର । ଏନେଇ ସେ କହିଛନ୍ତି ଟଙ୍କା ଚୋରିକୁ ନେଇ ସାବିତ୍ରୀ ଓ ଅନ୍ୟ ଛାତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା । ଏ ସମ୍ପର୍କରେ ସାବିତ୍ରୀ ତାଙ୍କ ବାପାଙ୍କୁ ମଧ୍ୟ ଜଣାଇଥିଲେ । ଆଉ ସେହି ବଚସାରୁ ସାବିତ୍ରୀ ଭୁଲ୍ ନିଷ୍ପତ୍ତି ନେଇଥିବା କହିଛନ୍ତି ପ୍ରିନ୍ସପାଲ ।

ତେବେ ଏହା ହତ୍ୟା ନା ଆତ୍ମହତ୍ୟା ? କାହା କଥା ସତ ହୋଇପାରେ ? ସାବିତ୍ରୀଙ୍କ ମାଙ୍କର ନା କଲେଜ ପ୍ରିନ୍ସପାଲ୍‌ଙ୍କ ? ୨ ଦିନ ପରେ ବି ରହସ୍ୟଭେଦି ପାରିନି ପୋଲିସ । ମୃତ ଛାତ୍ରୀଙ୍କ ପରିବାରର ଅଭିଯୋଗ ଆଧାରରେ ବାଲେଶ୍ୱର ସଦର ପୋଲିସ ହତ୍ୟା ମାମଲା ରୁଜୁ କରି ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଜାରି ରଖିଛି । ଏହାସହ ସାବିତ୍ରୀଙ୍କ ରୁମମେଟ୍ ଏବଂ ଓ୍ୱାର୍ଡେନଙ୍କୁ ପଚରାଉଚରା କରିଛି ।

ଅନ୍ୟପକ୍ଷେ, ଏପ୍ରିଲ୍ ୨୨ ତାରିଖରେ ବଲାଙ୍ଗିର ମେଡ଼ିକାଲ୍ କଲେଜ ଛାତ୍ର ନିଶାନ୍ତଙ୍କ ମୃତ୍ୟୁରେ ମଧ୍ୟ ମିଷ୍ଟ୍ରି ରହିଥିଲା । ଉଠିଥିଲା ରାଗିଂ ଅଭିଯୋଗ । ରାଗିଂର ଏଭଳି ଅନେକ ଏପିସୋଡ୍ ବୁର୍ଲା ଭିମସାରରେ ବି ରିପିଟ୍ ହୋଇଛି । ସମ୍ବଲପୁର ଶାସନ ଅଞ୍ଚଳର ଏକ ଘରୋଇ ଆବାସିକ ସ୍କୁଲରେ ବି ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ରାଗିଂର ଅଭିଯୋଗ ଆସିଥିଲା । କେବଳ ଏତିକି ନୁହେଁ ୨୦୧୩ରୁ ୨୦୧୭, ୪ ବର୍ଷ ଭିତରେ ଓଡ଼ିଶାରେ ୨୦୭ଟି ରାଗିଂ ଘଟଣା ସାମ୍ନାକୁ ଆସିଲାଣି ବୋଲି ୟୁଜିସିର ତଥ୍ୟରୁ ଜଣାପଡିଛି । ତେଣୁ ପ୍ରଶ୍ନ ଉଠୁଛି, କାହିଁକି ରୋକାଯାଇପାରୁନି ରାଗିଂ ମାମଲା ? ଶିକ୍ଷାନୁଷ୍ଠାନରେ ଆଣ୍ଟିଂ ରାଗିଂ ସେଲ୍ ଥିବା ସତ୍ତ୍ୱେ ସମ୍ପୂର୍ଣ୍ଣ ରୋକ୍ ଉପରେ କେଉଁଠି ତ୍ରୁଟି ରହୁଛି ।