• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଘୋ ଘୋ ଗର୍ଜନ କରୁଛି, କୂଳରେ ଆସି ଲହରୀ ମାଡ ହେଉଛି । ଲହରୀ ମାଡ ଏତେ ଜୋରରେ ହେଉଛି ଯେ ଧୋଇ ହୋଇଗଲାଣି ବେଳଭୂମିକୁ ରକ୍ଷା କରିବା ପାଇଁ ଦିଆଯାଇଥିବା ବାଲିବସ୍ତା । ଖାଲି ବାଲି ବସ୍ତା କାହିଁକି? ବରଂ ୱାଚ୍‌ ଟାୱାର ପାଇଁ ବିପଦ ସୃଷ୍ଟି କଲାଣି ଅଶାନ୍ତ ସମୁଦ୍ର। ଜୁଆର ଏତେ ଜୋରରେ ଆସୁଛି ଯେ ୱାଚ ଟାୱାର ତଳ ମଧ୍ୟ ଖୋଳି ହୋଇଗଲାଣି । କେତେବେଳେ ଯେ ସମୁଦ୍ରରେ ଲୀନ ହୋଇଯିବ ତାହା କହିବା ମୁସ୍‌କିଲ।

ଏଭଳି ଚିତ୍ର ଜଗତସିଂହପୁର ଜିଲ୍ଳା ଏରସମାରେ ଥିବା ଶିଆଳୀ ସମୁଦ୍ର ବେଳାଭୂମିରେ ଦେଖିବାକୁ ମିଳିଛି । ସମୁଦ୍ର ଜୁଆର ମାଡରେ ଯାହାର ଅବସ୍ଥା ଏବେ ପୂରାପୂରି ବେହାଲ ଅବସ୍ଥାରେ । ୨୦୧୬ ମସିହାରୁ ଏହି ବେଳାଭୂମିକୁ ପର୍ଯ୍ୟଟନ ବିଭାଗ ଦ୍ୱାରା ସ୍ୱୀକୃତି ମିଳିଛି, ହେଲେ ଏହାର ଅବସ୍ଥା ଏବେ କଣ ହେଲାଣି ସେ ଦୃଶ୍ୟ ସମସ୍ତଙ୍କ ସାମ୍ନାରେ । ଶିଆଳୀ ବେଳାଭୂମିର ସୌନ୍ଦର୍ଯ୍ୟ ପାଇଁ ଏଠାକୁ ବହୁ ପର୍ଯ୍ୟଟକଙ୍କ ସୁଅ ଛୁଟେ । ହେଲେ ସମୁଦ୍ରର ରୁଦ୍ର ରୂପ ପାଇଁ ଏବେ ଶିଆଳୀ ବେଳାଭୂମିକୁ ପର୍ଯ୍ୟଟକ ଆସିବାକୁ ଡରିଲେଣି ।

ଏବେ ସମୁଦ୍ର ଜୁଆର ମାଡରେ ଭିଉ ଟାୱାର ଏବଂ ଝାଉଁ ଜଙ୍ଗଲ ପ୍ରତି ବିପଦ ସୃଷ୍ଟି ହୋଇଛି । ଏପରିକି ପ୍ରଶାସନ ପକ୍ଷରୁ ଯଦି ତୁରନ୍ତ କିଛି ପଦକ୍ଷେପ ନିଆନଯାଏ, ତେବେ ଏହି ବେଳାଭୂମି ସମେତ ଆଖପାଖର ଗାଁ ମଧ୍ୟ ସମୁଦ୍ର ଗର୍ଭରେ ଲୀନ ହୋଇଯିବ ବୋଲି ଆଶଙ୍କା କରିଛନ୍ତି ସ୍ଥାନୀୟ ବାସିନ୍ଦା ।

 

ସେପଟେ ଶିଆଳୀ ବେଳାଭୂମିର ବିପର୍ଯ୍ୟସ୍ତ ଅବସ୍ଥାକୁ ସ୍ୱୀକାର କରିଛନ୍ତି ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି । ସେ କହିଛନ୍ତି ଯେ, ଶିଆଳୀ ବେଳାଭୂମିର ସୁରକ୍ଷା ପାଇଁ ପଦକ୍ଷେପ ନିଆଯିବ । ସେପଟେ,ମହାନଦୀ ସାଉଥ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ରାଜେଶ ମହାନ୍ତି ମଧ୍ୟ ଶିଆଳୀ ବେଳାଭୂମିକୁ କିପରି ସୁରକ୍ଷିତ କରାଯାଇପାରିବ, ସେ ଦିଗରେ ପଦକ୍ଷେପ ଗ୍ରହଣ କରାଯାଉଥିବା କହିଛନ୍ତି ।

ଶିଆଳୀ ବେଳାଭୂମିକୁ କେବଳ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେଇଦେଲେ ଚଳିବନାହିଁ ବରଂ ଏହାର ସୁରକ୍ଷା ଓ ଉନ୍ନତି ଦିଗରେ ପ୍ରଶାସନ ଏବଂ ପର୍ଯ୍ୟଟନ ବିଭାଗ ଯତ୍ନବାନ ହେବା ଆବଶ୍ୟକ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

(ରିପୋର୍ଟର- ଶଶାଙ୍କ ଶେଖର ପଣ୍ଡା, ଜଗତସିଂହପୁର)