• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ରାଜଧାନୀର ଛାତି ଉପରେ ଆଉ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ବନ୍ଦ କୋଠରୀରେ ୧୫ ମାସର ଝିଅକୁ ମାରି ନିଜେ ଦଉଡି ଦେଇ ଆତ୍ମହତ୍ୟା କରିଛନ୍ତି ଯୁବ ଦମ୍ପତି । ମହାରାଷ୍ଟ୍ରରୁ ଆସି ଭୁବନେଶ୍ୱର ଚିନ୍ତାମଣିଶ୍ୱରରେ ରହୁଥିଲେ ଏହି ମରାଠୀ ପରିବାର । ତେବେ ଯୁବ ଦମ୍ପତି କାହିଁକି ଏଭଳି କାଣ୍ଡ ଭିଆଇଲେ, ତାକୁ ନେଇ ଏବେ ଲାଗିରହିଛି ନାନା ଚର୍ଚ୍ଚା । କୁହାଯାଉଛି ଯେ, ପୈତୃକ ସମ୍ପତ୍ତି ବିବାଦରୁ ଏଭଳି ଚରମ ପଦକ୍ଷେପ ନେଇଛନ୍ତି ପ୍ରେମ ବିବାହ କରିଥିବା ଦଂପତ୍ତି । ଏନେଇ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଯୁବ ଦମ୍ପତିଙ୍କ ଏ ଖୁସିର ମୁହୂର୍ତ୍ତ ଆଉ ଆସିବନି କି ସେହି କୁନି ଝିଅର କଅଁଳ ଡାକ ମଧ୍ୟ ଆଉ ଶୁଭିବନି । କାରଣ ଆଜିଠୁ ସବୁକିଛି ଫଟୋରେ ରହିଗଲା । କଠୋର ନିଷ୍ପତ୍ତି କ୍ରମେ ମୃତ୍ୟୁକୁ କୋଳେଇ ନେଇ ଚିରନିଦ୍ରାରେ ଶୋଇଯାଇଛନ୍ତି ପରିବାର ବର୍ଗ । ତୁଷାର ରାଜେନ୍ଦ୍ର ଜଗ୍‌ତବ୍ ତାଙ୍କ ପତ୍ନୀ ନୀଳା ଜଗତବ୍ ଆଉ ୧୫ ମାସର ଟିକି ଝିଅ ସିବିନ୍ୟାଙ୍କ ସହ ଚିରଦିନ ପାଇଁ ଆରପାରିକୁ ଚାଲିଯାଇଛନ୍ତି ।

ଭୁବନେଶ୍ୱର ଚିନ୍ତାମଣିଶ୍ୱରରେ ରହୁଥିବା ଏକ ଭଡ଼ାଘରୁ ବାପା, ମା ଓ ଝିଅର ମୃତଦେହ ମିଳିଛି । ବୁଧବାର ରାତି ପ୍ରାୟ ୧୦ଟାବେଳେ ଜଣାପଡ଼ିଥିଲା କି ଏମାନେ ବନ୍ଦ କୋଠରୀରେ ଆତ୍ମହତ୍ୟା କରିଛନ୍ତି । ପାରିପାର୍ଶ୍ୱିକ ସ୍ଥିତିରୁ ଆଶଙ୍କା କରାଯାଉଛି ଯେ, ପ୍ରଥମେ ଶିଶୁକନ୍ୟାକୁ ତଣ୍ଟିଚିପି ହତ୍ୟା କରିବା ପରେ ଦମ୍ପତି ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି । ଘର ମାଲିକଙ୍କ କହିବାନୁଯାୟୀ ପୈତୃକ ସମ୍ପତ୍ତି ବିବାଦକୁ ନେଇ ଘରେ ଦୀର୍ଘଦିନ ଧରି ଅସନ୍ତୋଷ ଲାଗିରହିଥିଲା । ସେହି କାରଣରୁ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଆଶଙ୍କା କରାଯାଉଛି ।

ଘର ମାଲିକଙ୍କ ସୂଚନା ଅନୁଯାୟୀ, ତୁଷାରଙ୍କ ଘର ମହାରାଷ୍ଟ୍ରରେ । ଯେଉଁ ଘରେ ଭଡ଼ାରେ ରହୁଥିଲେ, ସେହି ଘର ମାଲିକଙ୍କ ଲଜ୍‌ରେ ଗତ ୬ ମାସ ହେଲା ତୁଷାର କାମ କରୁଥିଲେ । ଗତ ଫେବୃୟାରୀରେ ମହାରାଷ୍ଟ୍ରରୁ ପତ୍ନୀ ଓ ପିଲାଙ୍କୁ ଭୁବନେଶ୍ୱର ଆଣିଥିଲେ । ତେବେ ସପ୍ତାହେ ତଳେ ଭଡ଼ାଘର ମାଲିକ ଜାଣିବାକୁ ପାଇଥିଲେ ଯେ, ସମ୍ପତ୍ତି ବିବାଦକୁ ନେଇ ତୁଷାର ଓ ପତ୍ନୀ ନୀଳାଙ୍କ ମଧ୍ୟରେ ଝଗଡ଼ା ଲାଗିରହୁଥିଲା ।

ଏହାର ମୀମାଂସା କରିବାକୁ ବି ଉଦ୍ୟମ କରିଥିଲେ ଘର ମାଲିକ ଉତ୍ତମ ପାୱାର । ଏପରିକି ତୁଷାରଙ୍କୁ ୩ ଦିନ ଛୁଟିରେ ରହିବାକୁ ମଧ୍ୟ ପରାମର୍ଶ ଦେଇଥିଲେ ଉତ୍ତମ । ତୁଷାରଙ୍କ ବାପା ମହାରାଷ୍ଟ୍ରରେ ଦ୍ୱିତୀୟ ବିବାହ କରିଥିଲେ ଏବଂ ସମ୍ପତ୍ତିବାଡ଼ିକୁ ବି ଦ୍ୱିତୀୟ ପତ୍ନୀ ଓ ପିଲାଙ୍କ ନାଁରେ କରିଦେଇଥିଲେ । ତେଣୁ ଏହାକୁ ନେଇ ପାରିବାରିକ ବିବାଦ ଲାଗିରହିଥିଲା । ଏଥିପାଇଁ ହୁଏତ ଏମାନେ ଆତ୍ମହତ୍ୟା କରିଥିବା ଆଶଙ୍କା କରିଛନ୍ତି ଉତ୍ତମ । ଏନେଇ ପୋଲିସ ଏକ ଅପମୃତ୍ୟୁୟ ମାମଲା ରୁଜୁ କରି ତଦନ୍ତ କରୁଛି ।

ଏହି ଘଟଣା ପରେ ପୁଣି ଥରେ ବଢ଼ିଚାଲିଥିବା ଆତ୍ମହତ୍ୟା ମାମଲାକୁ ନେଇ ଚର୍ଚ୍ଚା ମୁଣ୍ଡ ଟେକିଛି । ୨୦୨୦ର NCRB ତଥ୍ୟ ଅନୁସାରେ ଓଡ଼ିଶାରେ ପ୍ରତି ଲକ୍ଷେ ଲୋକଙ୍କ ମଧ୍ୟରେ ହତ୍ୟାଜନିତ ମୃତ୍ୟୁହାର ୩.୨ ରହିଥିଲା । ବର୍ତ୍ତମାନ ସମୟରେ ଆତ୍ମହତ୍ୟା ହାର ୧୨.୨ ରହିଛି । ଅର୍ଥାତ୍ ପ୍ରତି ଲକ୍ଷେ ଲୋକଙ୍କ ଭିତରୁ ୧୨ ଜଣ ଆତ୍ମହତ୍ୟା କରିଥିଲେ । ୨୦୧୯ରେ ପ୍ରତି ଲକ୍ଷେରେ ୧୦ରୁ ଅଧିକ ଲୋଙ୍କ ମୃତ୍ୟୁ ହୋଇଛି । ସେହିପରି କମିଶନରେଟ୍ ପୋଲିସର ତଥ୍ୟ କହୁଛି ଯେ, ଭୁବନେଶ୍ୱରରେ ୨୦୨୦ରେ ୩୧୦ ଜଣ, ୨୦୨୧ରେ ୨୮୨ ଓ ୨୦୨୨ ମାର୍ଚ୍ଚ ଶେଷ ସୁଦ୍ଧା ୮୫ ଜଣ ଆତ୍ମହତ୍ୟା କରିଛନ୍ତି । ତେବେ କାହିଁକି ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଉଛନ୍ତି ଲୋକେ ? କଣ ରହିଛି ସମାଧାନର ବାଟ ?