• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଘଞ୍ଚ ଜଙ୍ଗଲ ଭିତରେ ରହିଛି ସୂତାକଳ । ଗ୍ରୀଲରେ କଳଙ୍କି ଲାଗିଗଲାଣି । କମ୍ପାନୀ ସାଇନ୍‌ ବୋର୍ଡ଼ରୁ ନାଁ ମଧ୍ୟ ଲିଭିଗଲାଣି । ଘଞ୍ଚ ଅରଣ୍ୟ ମଧ୍ୟରେ ସୂତାକଳ ଏମିତି ଲୁଚି ଗଲାଣି ଯେ ତାହା କଳ ଥିଲା ବୋଲିଏ ଆପଣମାନେ ବିଶ୍ୱାସ କରିପାରିବେନି । ଜଗତସିଂହପୁର ଜିଲ୍ଳାର ତିର୍ତୋଲ ବ୍ଲକ୍ ଅନ୍ତର୍ଗତ ନାଉସିରାଠାରେ ଅଶୀ ଦଶକରେ ପ୍ରତିଷ୍ଠା ପାଇଥିବା ସାରଳା ସମବାୟ ସୂତାକଳ । ଦିନେ ସେହି କଳରେ ଶହଶହ ଲୋକ କାମ କରିକି ପରିବାର ପ୍ରତିପୋଷଣ କରୁଥିଲେ। ହେଲେ ଆଜି ଏହାର ଅବସ୍ଥା ସମସ୍ତଙ୍କ ସାମ୍ନାରେ ରହିଛି ।

ସୂତାକଳ ବନ୍ଦ ଯୋଗୁ ଋଣ ସୁଝିବା ସମ୍ଭବ ନହେବାରୁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ମଂଚେଶ୍ୱର ଇଣ୍ଡଷ୍ଟ୍ରୀୟାଲ ଶାଖା ପକ୍ଷରୁ ସୂତାକଳର କିଛି ଅଂଶ ନିଜ ଅକ୍ତିଆରକୁ ନେବାପାଇଁ ନୋଟିସ ମରାଯାଇଛି । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଥିବା ବେଳେ ତୁରନ୍ତ ସରକାର ସୂତାକଳାକୁ ଋଣମୁକ୍ତ କରି ଏ ଦିଗରେ ବିହିତ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି କରାଯାଇଛି ।

ଗତ ୧୯୮୨ ମସିହାରେ ତତ୍‌କାଳୀନ ଉପ-ମୁଖ୍ୟମନ୍ତ୍ରୀ ବସନ୍ତ କୁମାର ବିଶ୍ୱାଳଙ୍କ ଉଦ୍ୟମରେ ଏହି ସୂତାକଳର ନିର୍ମାଣ ହୋଇଥିଲା । ପରେ ଏହି ସୂତାକଳରେ ପାଖାପାଖି ୧୨ ଶହ ଲୋକ ଅଧିକ କାମ କରୁଥିଲେ । କିନ୍ତୁ ଧୀରେ ଧୀରେ ଏହାର ସଂକଟ ବଢିବାରେ ଲାଗିଲା । ହେଲେ ୧୯୯୯ ବାତ୍ୟା ପରେ ଏହି କଳର ଭାଗ୍ୟ ପୂରା ଖରାପ ହୋଇଗଲା । କହିବାକୁ ଗଲେ ଗୋଟିଏ ପ୍ରକାର କଳ ବନ୍ଦ ହୋଇଗଲା ।

୨୦୦୦ ମସିହାରେ ବିଜେଡି-ବିଜେପି ମେଂଟ ସରକାର ଆସିବା ପରେ ଅନେକ ଥର ମନ୍ତ୍ରୀ,ବିଧାୟକ ମାନେ ଏଠାକୁ ଆସି ମିଲ୍ ଚାଲିବ ବୋଲି ପ୍ରତିଶୃତି ଦେଇଥିଲେ ହେଲେ ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ ହିଁ ରହିଗଲା । ଏପଟେ, ଋଣ ବଢି ବଢି ୪ କୋଟି ୭୪ ଲକ୍ଷରେ ପହଂଚିବା ପରେ ଅଦାଲତଙ୍କ ଆଦେଶ ପରେ ବ୍ୟାଙ୍କ ପକ୍ଷରୁ ଏଠାରେ ନୋଟିସ ମରାଯାଇଛି । ତେବେ ଏ ସବୁ ସ୍ଥିତି ପାଇଁ କେବଳ ସରକାର ହିଁ ଦାୟୀ ବୋଲି କହିଛନ୍ତି ପୂର୍ବତନ କର୍ମଚାରୀ । ତେବେ ସୂତାକଳ କିନ୍ତୁ ଏବେ ଆଉ ଚାଲିବା ସମ୍ଭବ ନୁହେଁ ବୋଲି ରୋକଠୋକ କହିଛନ୍ତି ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି । କିନ୍ତୁ ଏହାର ସମାଧାନ କରାଯିବ ବୋଲି ସେ କହିଛନ୍ତି । ତେବେ ଦେଖିବାକୁ ବାକି ରହିଲା ସୂଚତା ଖିଅରେ ଥିବା ସୂତାକଳର ଭବିଷ୍ୟତ କଣ ହେଉଛି ।

ରିପୋର୍ଟର- ଶଶାଙ୍କ ଶେଖର ପଣ୍ଡା