/odishatv-khabar/media/post_attachments/uploadimage/library/16_9/16_9_0/IMAGE_1663415817.jpg)
Water Scarcity
ପାହାଡ଼ରୁ ଅନବରତ ଝର ଝର ହୋଇ ବହିଯାଉଛି ପାଣି । ଆଉ ସିଧା ଯାଇ ଏକ ନାଳରେ ପଡୁଛି । ଆଶ୍ଚର୍ଯ୍ୟର କଥା ହେଲା ଏଇ ଝର ପାଣି ବର୍ଷସାରା ଏମିତି ପଡୁଛି । ଆଉ ଏଇ ପାଣିକୁ ବାଉଁଶ ସାହାଯ୍ୟରେ ସଂଗ୍ରହ କରି ଖାଇବା ପିଇବା କାମରେ ଲଗାଉଛନ୍ତି ଲୋକେ । ପିଇବା ପାଣିର କୌଣସି ବ୍ୟବସ୍ଥା ନଥିବା କାରଣରୁ ଏମିତି ଝରଣା ପାଣିକୁ ବାଉଁଶ ସାହାଯ୍ୟରେ ସଂଗ୍ରହ କରି ଚଳୁଛନ୍ତି ପୂରା ଅଞ୍ଚଳବାସୀ ।
ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି, କନ୍ଧମାଳ ଜିଲ୍ଲା ଫୁଲବାଣୀ ପିଶୁପଦର ଓ ଜାରଗୀପଦର ଗାଁରେ । ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଏଠିକାର ଲୋକ। ଗାଁରେ କୂଅ ଅଛି, ନଳକୂଅ ବି ଅଛି । ହେଲେ କାମରେ ଆସୁନି। ସେଇଥି ପାଇଁ ତ ଏମାନେ ବାଧ୍ୟ ହୋଇ ଝରଣା ପାଣିକୁ ବାଉଁଶ ସାହାଯ୍ୟରେ ସଂଗ୍ରହ କରୁଛନ୍ତି । ଆଉ ସେହି ପାଣିକୁ ବ୍ୟବହାର କରୁଛନ୍ତି ।
ପିଶୁପଦର ଓ ଜାରଗୀପଦର ଗାଁ ଲାଗି ଏବେ ଝରଣା ପାଣି ହିଁ ସାହାଭରସା । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଖରା ଦିନେ କି ଶୀତ ଦିନେ ଝରଣାରୁ ବାଉଁଶ ସାହାଯ୍ୟରେ ପାଣି ସଂଗ୍ରହ କରିବା ସହଜ ହେଉଛି । କିନ୍ତୁ ବର୍ଷା ହେଲେ ପାଣି ମିଳିବା କଷ୍ଟକର । କାରଣ ବର୍ଷା ହେଉ ହେଉ ଝରଣା ପାଣି ଗୋଳିଆ ହୋଇ ଆସୁଛି ଯାହା ପିଇବା ଯୋଗ୍ୟ ନୁହେଁ । ସ୍ଥିତି ଏମିତି ହେଉଛି ଯେ, ଝରଣା ପାଣି ପିଇବା ପରେ ବିଭନ୍ନ ରୋଗରେ ପଡୁଛନ୍ତି ଗାଁ ଲୋକେ ।
ତେବେ ଏହି ପାଣି ସମସ୍ୟା ନେଇ ବିଡିଓଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଅବଗତ କରାଯାଇଛି । ହେଲେ କେହି ବି ଗାଁଲୋକଙ୍କ ଏହି ସମସ୍ୟା ଧ୍ୟାନ ଦେଉନଥିବା ଅଭିଯୋଗ ହୋଇଛି । ଗୋଟିଏ ପଟେ ରାଜ୍ୟ ସରକାର କହୁଛନ୍ତି, ଗାଁ ଗାଁରେ ପ୍ରତି ଘରେ ପାଇପ୍ ଯୋଗେ ପହଞ୍ଚିବ ବିଶୁଦ୍ଧ ପାନୀୟ ଜଳ । ହେଲେ ପ୍ରକୃତରେ ସରକାରୀ ଯୋଜନା କେତେ କାର୍ଯ୍ୟକାରୀ ହେଉଛି ତାହା ଏଠାରେ ସ୍ପଷ୍ଟ ଅନୁମେୟ ।
(ରିପୋର୍ଟ- ତ୍ରିନାଥ ସାହୁ, କନ୍ଧମାଳ)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)