/odishatv-khabar/media/post_attachments/uploadimage/library/16_9/16_9_0/IMAGE_1664519724.jpg)
Kalpit Not Found
ଦିନେ ସ୍ୱାମୀଙ୍କ ସହ ରହୁଥିଲେ, ବେଶ ହସଖୁସିରେ ସଂସାର ରଥ ବି ଚଳୁଥିଲା । ହେଲେ ଏବେ ସ୍ୱାମୀ ପାଖରେ ନାହାନ୍ତି । ବରଂ ତାଙ୍କ ଫଟୋକୁ ଦେଖି ଦେଖି ଦିନ କାଟୁଛନ୍ତି ସ୍ତ୍ରୀ । ଖାଲି ଦିନ କାଟୁଛନ୍ତି ତାହା ନୁହେଁ ବରଂ ତାଙ୍କ ସ୍ୱାମୀଙ୍କୁ ଖୋଜି ଆଣିଦେବାକୁ ଗୁହାରି ବି କରୁଛନ୍ତି । ହେଲେ ସ୍ୱାମୀଙ୍କର କୌଣସି ପତ୍ତା ମିଳୁନି । ଗଲା ଶୁକ୍ରବାରରୁ କୁଆଡେ ଯାଇଛନ୍ତି ଯେ ଯାଇଛନ୍ତି ଆଉ ଘରକୁ ଫେରିନାହାନ୍ତି ।
ସ୍ୱାମୀଙ୍କୁ ଖୋଜି ଖୋଜି ଆଖିରେ ଲୁହ ଜକେଇ ଆସିଲାଣି । ହେଲେ ସ୍ୱାମୀ ଏପର୍ଯ୍ୟନ୍ତ ମିଳିନାହାନ୍ତି । କୁଆଡେ ଗଲେ ? କେମିତି ଗଲେ ? ତାହା ଯେତିକି ଆଶ୍ଚର୍ଯ୍ୟ କରୁନି ବରଂ କାହିଁକି ଗଲେ ତାହା ଅଧିକ ପ୍ରଶ୍ନ ଛିଡା କରୁଛି ।
ଆମେ କହୁଛୁ ଅବସରପ୍ରାପ୍ତ ଶକ୍ତି ବିଭାଗର ଡେପୁଟୀ ସେକ୍ରେଟାରୀ କଳ୍ପିତ କୁମାର କୁଅଁରବାବୁଙ୍କ କଥା । ତାଙ୍କ ପତ୍ନୀ ହେଉଛନ୍ତି ଚନ୍ଦ୍ରପ୍ରଭା । ସ୍ୱାମୀ ସରକାରୀ ଚାକିରି କରିଥିଲେ, ଭଲ ଦୁଇ ପଇସା ରୋଜଗାର ବି ଥିଲା । ହେଲେ ଆଖି ସାମ୍ନାରେ ଦୁଇ ଦୁଇ ଜଣ ଭାଇ ଓ ଜଣେ ଭାଇ ବୋହୂ ଚାଲିଯିବା ପରେ ମାନସିକ ସ୍ତରରେ ଦୁର୍ବଳ ହୋଇ ପଡିଥିଲେ କଳ୍ପିତ । ୪ ବର୍ଷ ପୂର୍ବେ କ୍ୟାନସର ଜଣେ ଭାଇଙ୍କୁ ଆରପାରିକୁ ନେଇଯାଇଥିବା ବେଳେ କରୋନା ଆଉ ଜଣେ ଭାଇଙ୍କୁ ନେଇଗଲା । ଆଉ ଭାଇ ବୋହୂ ବ୍ରେନ ଟ୍ୟୁମରରେ ଆକ୍ରାନ୍ତ ହୋଇ ଚାଲିଗଲେ । ତିନିତିନି ଜଣଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡିଥିଲେ କଳ୍ପିତ । ଏମିତିକି ୪ ମାସ ହେଲା କାହା ସହ ଠିକ୍ରେ କଥା ହେଉନଥିଲେ କି ଔଷଧ ଖାଉନଥିଲେ ।
ସବୁଦିନ ସକାଳୁ ସ୍ତ୍ରୀଙ୍କ ସହ ପାର୍କ ଯାଉଥିଲେ ହେଲେ ଗୁମସୁମ ରହୁଥିଲେ । କିନ୍ତୁ ଗଲା ଶୁକ୍ରବାର ସକାଳ ୮.୩୦ ବେଳେ କ୍ଷୀର ଆଣିବାକୁ ଯାଇ କୁଆଡ଼େ ପଳାଇଯାଇଛନ୍ତି ଯେ, ଆଜି ପର୍ଯ୍ୟନ୍ତ କୌଣସି ଖବର ମିଳୁନି । ସେପଟେ ସ୍ୱାମୀଙ୍କୁ ହରାଇ କାନ୍ଦି କାନ୍ଦି ନୟାନ୍ତ ହେଲେଣି ସ୍ତ୍ରୀ ଚନ୍ଦ୍ରପ୍ରଭା । ଶେଷରେ କ୍ୟାମେରା ସାମ୍ନାରେ ସ୍ୱାମୀଙ୍କୁ ଖୋଜି ଦେବା ପାଇଁ ସମସସ୍ତଙ୍କୁ ନିବେଦନ କରିଛନ୍ତି ଚନ୍ଦ୍ରପ୍ରଭା ।
ସତରେ.. ଦିନେ ଯେଉଁ ପରିବାର ହସ ଖୁସିରେ ଭରପୁର ଥିଲା । ଆଜି ସେହି ପରିବାରରେ ବହୁଯାଉଛି ବେଦନାର ଲୁହ । କଥାରେ ଅଛି ଦୈବ ଦେବ ଯେବେ ଦୁଃଖ କିଏ ବା କରିବ ଲାଘବ ? ତେବେ ଆପଣମାନେ ଯଦି କେହି କଳ୍ପିତଙ୍କ ସମ୍ପର୍କରେ ସୂଚନା ପାଆନ୍ତି ତେବେ ଏହି ପରିବାର କିମ୍ବା ନିକଟସ୍ଥ ଥାନା ସହ ଯୋଗାଯୋଗ କଲେ ଚନ୍ଦ୍ରପ୍ରଭାଙ୍କ ଆଖିର ଲୁହ ଶୁଖି ପାରିବ ।
(ରିପୋର୍ଟ- ନିରଞ୍ଜନ ରେଡ୍ଡୀ, ଭୁବନେଶ୍ୱର)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)