• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦଇବ ଦଉଡ଼ି ମଣିଷ ଗାଈ, ଯେଣିକି ଟାଣଇ ସେଣିକି ଯାଇ । ଆମେ ସବୁ ତା’ ସାମ୍ନାରେ ଲାଚାର । ଜୀବନର ଛକିଶୂନ ଖେଳରେ କେତେବେଳେ ଯେ କ’ଣ ହେବ କିଛି କହିହେବ ନାହିଁ । କାଲି ଥିଲା ସାହୁକାର ଥିଲା, ଆଜି ସେ ଯାଯାବର ଭଳି ଜୀବନ କାଟୁଛି । ଦୁଇ ମୁଠା ମିଳିଲେ ଖାଉଛି.. ନହେଲେ ଖାଡ଼ା ଉପାସ । ନା ମୁଣ୍ଡ ଗୁଞ୍ଜିବାକୁ ଛାତଟିଏ ଅଛି ନା ଅଛି ଦେଖାଶୁଣା କରିବାକୁ କେହି ନିଜର ଅଛନ୍ତି । ସରକାରଙ୍କ ଜଳସେଚନ ପ୍ରକଳ୍ପ ଶନିଦଶା ସାଜି ସର୍ବସ୍ୱାନ୍ତ କରିଦେଲା ସେମାନଙ୍କୁ..

ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ମାନିଗୁଡ଼ା ଗାଁର ମକରନ୍ଦ ମାଝି ଓ ତାଙ୍କ ସ୍ତ୍ରୀ ଯମୁନା ମାଝି । ଦିନେ ସେ ଗାଁର ଗଉନ୍ତିଆ ଥିଲେ । ଜମିବାଡ଼ି ସବୁଥିଲା.. ଚାକରବାକର ଥିଲେ । ଖାଇବା ପିଇବା, ବଞ୍ଚିବାରେ କିଛି ଅଭାବ ନ ଥିଲା । ହେଲେ ଆଜି ସେ ଭାତ ମୁଠାଏ ପାଇଁ ବି ସଂଘର୍ଷ କରୁଛନ୍ତି ।

ମକରନ୍ଦଙ୍କୁ ମାନିଗୁଡ଼ା ଗାଁର ଗୌନ୍ତିଆରୁ ଦାଣ୍ଡର ଭିକାରୀ ସଜେଇଦେଲା ସରକାରୀ ଉଦାସୀନତା । ୪୦ ବର୍ଷ ତଳେ ଜଡ଼ାମୁଣ୍ଡା ଗାଁ ପାଖରେ ସୁନ୍ଦର ଜଳସେଚନ ପ୍ରକଳ୍ପ ନିର୍ମାଣ ହେଲା । ଆଉ ମକରନ୍ଦଙ୍କ ୧୦ ଏକରରୁ ଅଧିକ ଜମି ଜଳପ୍ରକଳ୍ପର ଅକାତ କାତ ପାଣିରେ ବୁଡ଼ିଗଲା । ଟଙ୍କାଟିଏ ବି କ୍ଷତିପୂରଣ ଦେଲାନି ସରକାର । ଓଲଟି ସେହି ବୁଡ଼ିଯାଇଥିବା ଜମି ପାଇଁ ସରକାରଙ୍କୁ ଖଜଣା ଦେଉଛନ୍ତି ଯମୁନା ଓ ମକରନ୍ଦ ।

ପରିବାର କହିଲେ ମକରନ୍ଦ ଓ ଯମୁନା ଦୁହେଁ ଦୁହିଁଙ୍କ ପାଇଁ, ପିଲାଛୁଆ ନାହାନ୍ତି । ବଡ଼ କଷ୍ଟରେ ମାଟି ଘରଟିଏ ତିଆରି କରିଥିଲେ । ତାକୁ ବି ଭାଙ୍ଗିଦେଲା ବ । ଏକ ଗଛ ତଳେ ଆଶ୍ରା ନେଲେ ବୁଢାବୁଢ଼ୀ । ସ୍ଥାନୀୟ ସରପଞ୍ଚ ପଞ୍ଚାୟତର ଏକ କୋଠରୀରେ ଏମାନଙ୍କ ରହିବା ବ୍ୟବସ୍ଥା କରିଛନ୍ତି ।

ନିଜ ସମସ୍ୟା, ଜମିର କ୍ଷତିପୂରଣ ଆଉ ଘର ଖଣ୍ଡେ ପାଇଁ ପ୍ରଶାସନିକ ଅଧିକାରୀଙ୍କୁ ଜଣାଇ ଜଣାଇ ଥକି ଗଲେଣି..ହେଲେ କାହାର ଯାଏ ଆସେ ନାହିଁ । ସରକାରଙ୍କ ଜଳସେଚନ ପ୍ରକଳ୍ପ ମକରନ୍ଦଙ୍କୁ ଜମିଦାରରୁ ଏମିତି ଦାଣ୍ଡର ଭିକାରୀ କରିଦେଇଛି ।

ରିପୋର୍ଟ –(ନୂଆପଡ଼ାରୁ ମାୟାଧର ସରାଫ)