/odishatv-khabar/media/post_attachments/uploadimage/library/16_9/16_9_0/Inhumanity_1663919700.jpg)
Inhumanity
ମେଡିକାଲରେ ବୁଢା ବାପା ଶୋଇଛି, ସାଲାଇନ୍ ବି ଲାଗିଛି । ଆଉ ଗୁଣୁଗୁଣୁ ହୋଇ କଣ ସବୁ କହିଯାଉଛି । ହେଲେ ପାଖରେ ପୁଅ, ବୋହୂ କି ନାତିନାତୁଣୀ ୟାଙ୍କ କଥା ଶୁଣିବାକୁ କେହି ନାହାନ୍ତି । ଆପଣ ଭାବୁଥିବେ ଡାକ୍ତର ବୋଧହୁଏ ଔଷଧ ପାଇଁ କୁଆଡେ ପଠାଇ ଥିବେ । ନା, ଆପଣ ଭୁଲ ବୁଝୁଛନ୍ତି । କାରଣ ସେମାନେ ଆସିନାହାନ୍ତି କି ଆସିବେ ବି ନାହିଁ । ଆଉ ସେମାନଙ୍କ କୃପାରୁ ଆଜି ମେଡିକାଲ ବେଡ୍ରେ ଅନାଥ ଭଳି ଶୋଇଛି ବୁଢା ବାପା ।
ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲାରେ । ଏମିତି ଦୃଶ୍ୟ ଯେତିକି ହୃଦୟବିଦାରକ ସେତିକି ଆତ୍ମଚିନ୍ତନର କଥା । ରୋଗ ହେବାରୁ ପରିବାର ଚଳାଇ ପାରିଲେ ନାହିଁ ବୋଲି ଘରୁ ଡତିଦେଲେ ପରିବାର ଲୋକେ । ଯେଉଁ ବାପା ଦିନେ ବଢେଇ କୁଢେଇ ମଣିଷ କରିଥିଲା ଆଜି ସିଏ ହେଲା ସାତପର । ବୟସାଧିକ କାରଣ ପାଇଁ ବାପା ଟଙ୍କା ରୋଜଗାର କରିପାରିଲାନି । ଆଉ ଟଙ୍କା ପାଇଁ ବାପାଙ୍କୁ ପର କରିଦେଲା ପରିବାର ।
ରୋଗ ହେବାରୁ ବୁଢା ବାପାକୁ ଘରୁ ତଡିବା ପାଇଁ ବି ପଛାଇଲାନି ସ୍ୱାର୍ଥପର ପୁଅ । ୫ ମାସ ରାସ୍ତାରେ ଜୀବନ କାଟିବା ପରେ ବୃଦ୍ଧଙ୍କ ଉପରେ ଜଣେ ସାମ୍ବାଦିକଙ୍କ ନଜର ପଡିଥିଲା । ଆଉ ବିଡିଓଙ୍କ ହସ୍ତକ୍ଷେପ ପରେ ମେଡିକାଲରେ ଭର୍ତ୍ତ ହୋଇଛନ୍ତି ବୃଦ୍ଧ ।
ବୃଦ୍ଧ ଜଣକ ହେଉଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ଜାମପାଲି ଗାଁର ସୁକଦେବ କୁମ୍ଭାର । ରୋଜଗାର ଥିଲା ବେଳେ ବେଶ୍ ଭଲରେ ଚଳୁଥିଲା ପରିବାର । ବୟସ ବଢିବା ସାଙ୍ଗେ ସାଙ୍ଗେ ପରିଶ୍ରମ ବି କମିଲା । ତେଣୁ ଘରକୁ ଟଙ୍କା ଦେବାରେ ଅସମର୍ଥ ହେଲେ କୁମ୍ଭାର । ଆଉ ପରିବାର କଳି ଭିତରେ ବଳି ପଡିଗଲେ ସେ ।
ଯେଉଁଠି ସ୍ତ୍ରୀ ବି ପଚାରିଲାନି । ସେଇଠି ପୁଅ-ବୋହୂଙ୍କ କଥା ପଚାରେ କିଏ ? ଆଉ ପରିବାର ଲୋକ ଘରୁ ବାହାର କରିବା ପରେ ସଂସାର ଜଂଜାଳରୁ ମୁକ୍ତି ପାଇବେ କଣ ବରଂ ରୋଗ ବଢିବାରୁ ଏବେ ମେଡିକାଲ ବିଛଣାରେ ପଡିଛନ୍ତି ଏଇ ବୃଦ୍ଧ ।
(ରିପୋର୍ଟ- ଦିଲ୍ଲୀପ କୁମାର ସାହୁ, ବିନିକା)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)