• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଧାନ ବିଲରେ ମନଖୋଲା ଅଧାପାଚିଲା ଧାନକୁ ଖାଉଛନ୍ତି ହାତୀ ପଲ । ଇଏ ଦିନେ କି ଦୁଇଦିନର ଦୃଶ୍ୟ ନୁହେଁ ବରଂ ପାଖାପାଖି ମାସେ ହେଲାଣି ଏମିତି ଧାନ କ୍ଷେତରେ ଉତ୍ପାତ କରୁଛନ୍ତି ଗଜରାଜ । ଯାହା ତ ଖାଉଛନ୍ତି ଖାଉଛନ୍ତି ପୁଣି ସେତିକି ନଷ୍ଟ ବି କରୁଛନ୍ତି । କଦଳୀ ବାଡିରେ ପଶି ସବୁକିଛି ଦଳିମଳି ନଷ୍ଟ କରିଦେଇଛନ୍ତି । ଆଉ ଅମଳ ବେଳର ଫସଲ ଖିନଭିନର ଦୃଶ୍ୟ ଦେଖିଲେ କୋଉ ଚାଷୀ ଧୈର୍ଯ୍ୟ ଧରି ରହିବ ?

ରାତି ନୁହେଁ କି ଦିନ ନୁହେଁ, ବରଂ ୨୪ ଘଂଟା ଫସଲ ଭିତରେ ପଶି ନାଟ କରୁଛନ୍ତି ହାତୀପଲ। ବନ ବିଭାଗ, ହାତୀତଡ଼ା ସ୍କ୍ୱାର୍ଡ ଓ ବନ ସୁରକ୍ଷା ସମିତି ପକ୍ଷରୁ ହାତୀ ଉପରେ କଡା ନଜର ରଖାଯାଇଛି ସତ, ହେଲେ ତାହାର କୌଣସି ଫରକ୍‌ ପଡୁନି ସେହି ହାତୀ ପଲଙ୍କ ଉପରେ । ମୋଟ୍‌ ଉପରେ କହିବାକୁ ଗଲେ କ୍ଷେତ ଛାଡି ଯିବାକୁ ନାରାଜ ହାତୀପଲ ।

କେନ୍ଦୁଝର ବନଖଣ୍ଡର ୫ ଟି ରେଞ୍ଜରେ ୧୦୦ରୁ ଅଧିକ ହାତୀପଲ ଚଳାଇଛନ୍ତି ଆତଙ୍କରାଜ। ଆଉ ହାତୀଙ୍କ ପାଇଁ ଏବେ ଚାଷୀଙ୍କ ଆଖିରୁ ନିଦ ହଜିଯାଇଛି । କେମିତି ନିଜ ଫସଲକୁ ରକ୍ଷା କରିବେ ସେନେଇ ଚିନ୍ତାରେ ଚାଷୀ । ସ୍ଥିତି ଏମିତି ହେଲାଣି ଯେ ଅଧିକାଂଶ କ୍ଷେତରେ ଆଉ ଧାନ ନାହିଁ । ଯୋଉଠି ଯାହା ରହିଛି କଂଚାରୁ ହିଁ ଚାଷୀମାନେ କାଟିଆଣି ସୁରକ୍ଷିତ ସ୍ଥାନରେ ରଖିବାକୁ ଦିନରାତି ଏକ କରିଦେଇଛନ୍ତି ।

କେନ୍ଦୁଝର ସଦର, ଚମ୍ପୁଆ, ପାଟଣା, ତେଲକୋଇ ଆଦି ୫ ଟି ରେଞ୍ଜରେ ବେଶୀ ଉତ୍ପାତ କରୁଛନ୍ତି ହାତୀପଲ । ଗାଁ ଗଣ୍ଡାରେ ପଶୁଛନ୍ତି, ଫସଲ ଖାଇବା ସହ ପାଦରେ ଦଳି ଚକଟି ନଷ୍ଟ କରି ପକାଉଛନ୍ତି । ଧାନ, ମକା ଓ ପନିପରିବା ବିଲରେ ପଶି ଫସଲ ଖାଇବା ସହ ପାଦରେ ଦଳି ଚକଟି ନଷ୍ଟ କରି ପକାଉଛନ୍ତି ।

ମୁଣ୍ଡ ଝାଳ ତୁଣ୍ଡେ ମାରି ଚାଷ କରିଥିବା ଚାଷୀ ଆଖିରେ ନଷ୍ଟ ହୋଇଯାଉଛି ହେକ୍ଟର ହେକ୍ଟର ଫସଲ। ଏମିତିକି ରାତି ସାରା ବିଲରେ ରହୁଛନ୍ତି ଚାଷୀ । କିନ୍ତୁ ହାତୀଙ୍କ କାହାକୁ ଖାତିର ନାହିଁ । ମନଇଚ୍ଛା ଫସଲ ନଷ୍ଟ କରୁଛନ୍ତି ବଣୁଆ ହାତୀପଲ । ଖାଲି କ୍ଷେତ ନୁହେଁ ଯଦି କେତେବେଳେ ଗାଁରେ ପଶୁଛନ୍ତି କଥା ସରିଲା । ଘର ଭାଙ୍ଗୁଛନ୍ତି ନହେଲେ କାହାକୁ ଆକ୍ରମଣ କରୁଛନ୍ତି ।

ଦୀର୍ଘଦିନ ଧରି ହାତୀପଲଙ୍କ ଉପଦ୍ରବରେ ଲୋକେ ଅତିଷ୍ଠ ହୋଇ ପଡିଲେଣି । ହାତୀ ଧଡିବାକୁ ଚେଷ୍ଟା କରୁଛନ୍ତି ହେଲେ ସେମାନେ ବଣକୁ ଯିବାର ନାଁ ଧରୁନାହାନ୍ତି । ସେପଟେ କ୍ଷତିଗ୍ରସ୍ତଙ୍କୁ ତୁରନ୍ତ କ୍ଷତିପୂରଣ ଦେଉଛି ବନବିଭାଗ । ଏହାସହ ହାତୀ ଦେଖିବା ମାତ୍ରେ ଏଇ ୬୩୭୦୫୯୨୦୯୯ ନମ୍ବରକୁ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଉଛି ।

ତେବେ ହାତୀଙ୍କ ଉତ୍ପାତରେ ଅତିଷ୍ଠ ହେଲେଣି ଲୋକେ । କେବେ ହାତୀ ବଣକୁ ଫେରିବେ ସେନେଇ ଦିନ ଗଣୁଛନ୍ତି କେନ୍ଦୁଝରିଆ ଚାଷୀ ।

(ରିପୋର୍ଟର- କେନ୍ଦୁଝରରୁ ପ୍ରଣୟ ପାଣି)