• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବିଲରେ ଧାନ ପାଚିନି, ହେଲେ ତରତର ହୋଇ ବିଲରୁ ଧାନ କାଟି ନେଉଛନ୍ତି ଚାଷୀ ଭାଇ । ପଚାରିଲେ କହୁଛନ୍ତି ଲାଇଟ୍‌ ପାଇଁ ତ କିଛି ହେଲାନି, ୟାକୁ ରଖିକି ଲାଭ କଣ? ନେଉଛି ଗାଇକୁ ଖାଇବାକୁ ଦେବୁ । ଏ କଥା ଶୁଣିବା ପରେ ଆପଣ କିଛି ବୁଝିପାରୁନଥିବେ । ଓଲଟି ପ୍ରଶ୍ନ କରୁଥିବେ, ଲାଇଟ୍‌ ସହିତ ଧାନ ଅମଳର ସମ୍ପର୍କ କଣ? କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ।

ରାସ୍ତା କଡରେ ଥିବା ଜମି ଗୁଡିକ ଛାଁ ହୋଇ ଠିଆ ହୋଇଛି, ହେଲେ କେନ୍ଦା ଧରିନି କି ଫଳ ଆସିନି । ମାର୍ଗଶୀର ଯାଇ ପୁଷ ଆସିଲାଣି ହେଲେ ଫଳ ହେଲାନି । ଆଉ ଏ ଗଛକୁ ବିଲରେ ରଖି ଲାଭ କଣ? ସେଇଥି ପାଇଁ ତ ତରତର ହୋଇ ଗଛ କାଟି ନେଉଛି ଚାଷୀ । ଫଳ ତ ହେଲାନି ଗାଇଗୋରୁଙ୍କ ପାଇଁ ଏହିସବୁ ଗଛ ଯାଉଥିବା ନେଇ କହୁଛନ୍ତି ଚାଷୀ ।

ରାସ୍ତା ପାଖରେ ସବୁଥର ଭଳି ଏଥର ଚାଷ ହୋଇଥିଲା । ଠିକ୍‌ ସମୟରେ ସାର ପଡିଥିଲା, ଠିକ୍‌ ସମୟରେ ରୁଆବେଉଷଣ ବି ହେଲା । କିନ୍ତୁ ଏଲଇଡି ଲାଇଟ୍‌ ପାଇଁ ସବୁ କିଛି ଉଜୁଡିଗଲା । ଏହା ଗୋଟିଏ କି ଦୁଇଟି ୱାର୍ଡର ନୁହେଁ ବରଂ ଚାନ୍ଦବାଲିର ୧୫ ୱାର୍ଡର ଅବସ୍ଥା । ଚାଷୀଙ୍କ ଅଭିଯୋଗ ଅନୁସାରେ, ଯେଉଁ ରାସ୍ତାରେ ଲାଇଟ୍‌ ଲାଗିଛି ସେଇଠି ଧାନ ହୋଇନି । ଆଉ ଯେଉଁଠି ଅନ୍ଧାର ରହିଛି ସେଠାରେ ଫଳ ଧରିଛି । ବାରମ୍ବାର ଅଭିଯୋଗ ପରେ ସେମାନଙ୍କ କଥା କେହି ଶୁଣୁନଥିବାରୁ ଚାଷ କରି ବି କୌଣସି ଲାଭ ପାଇଲେନି ଚାଷୀ । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ବଢିଲାଣି ଅସନ୍ତୋଷ ।

ତେବେ ବାପ ଗୋସିବାପ ଅମଳରୁ ଚାଷ କରି ଅମଳ କରି ଆସୁଥିବା ଚାଷୀ କହିଛନ୍ତି, ପୂର୍ବରୁ କେବେ ଏମିତି ଅବସ୍ଥା ହୋଇନଥିଲା । ଏବେ ଏଲଇଡି ଲାଇଟ୍‌ ଲାଗିବା ପରେ ଏମିତି ହୋଇଛି । ସେପଟେ ଚାଷୀଙ୍କ ଅଭିଯୋଗ ନେଇ ଏନ୍ଏସି କାର୍ଯନିର୍ବାହୀ ଅଧିକାରାଙ୍କୁ ଆମେ ଭେଟିବାକୁ ଯାଇଥିଲୁ । ହେଲେ ସେ ଅନୁପସ୍ଥିତ ଥିବାବେଳେ ମୁଖ୍ୟକିରାଣୀ କହିଛନ୍ତି ଚାଷୀଙ୍କ ସମସ୍ୟାକୁ ନେଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବୁ, ସେମାନେ କ୍ଷତିପୂରଣର ବ୍ୟବସ୍ଥା କରିବେ । ତେବେ ଏଲଇଡି ଲାଇଟ୍‌ ପାଇଁ ଚାଷୀ ହତାଶ ହେବା ଘଟଣାକୁ ନେଇ ଏବେ ଚାନ୍ଦବାଲି ଅଂଚଳରେ ଚର୍ଚ୍ଚା ଜୋର ଧରିଛି ।

(ରିପୋର୍ଟ- ଭଦ୍ରକ ଚାନ୍ଦବାଲିରୁ ବାସୁଦେବ ଦାସ)