• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଘୁମୁରା ବାଦ୍ୟ ବାଜୁଛି, ପିଲାଠୁ ବୁଢା ସମସ୍ତଙ୍କ ଅଣ୍ଟା ହଲୁଛି । ସମସ୍ତେ ଏକାଠି ହୋଇଛନ୍ତି । ବାଜାର ତାଳେ ତାଳେ ନାଚ ଚାଲିଛି । ଖାଲି ଏତିକି ନୁହେଁ ବରଂ ଗାଁ ମହିଳାମାନେ ତାଙ୍କ ମୁଣ୍ଡରେ ଚନ୍ଦନର ତିଲକ ଲଗାଇ ସ୍ୱାଗତ କରୁଛନ୍ତି । ବ୍ୟକ୍ତି ଜଣଙ୍କ ମୁଣ୍ଡରେ ଫୁଲ ବର୍ଷା ହେଉଛି । ସ୍ୱାଗତ ଜଣାଯାଉଥିବା ବ୍ୟକ୍ତି ଜଣକ କିଏ, ଆଉ କାହିଁକି ତାଙ୍କୁ ଏମିତି କରାଯାଉଛି ସ୍ୱାଗତ?

ଜଣେ ଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନାର ହେଉଛି ଏହି ଦୃଶ୍ୟ । ଆଉ ସମ୍ବର୍ଦ୍ଧନା ପାଇଁ ଶୋଭାଯାତ୍ରାଟି ଲମ୍ବିଥିଲା ପ୍ରାୟ ୭ କିମି ପର୍ଯ୍ୟନ୍ତ । କଳାହାଣ୍ଡି ଗୋଲାମୁଣ୍ଡା ବ୍ଲକ ଖଲିଆପାଲି ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଭିରାମ ସାହୁଙ୍କୁ ଦିଆଯାଉଛି ଅବସରକାଳୀନ ସମ୍ବର୍ଦ୍ଧନା । ୪୦ ବର୍ଷ ଚାକିରି ଜୀବନ ପରେ ଅବସର ଗ୍ରହଣ କରିଛନ୍ତି ଅଭିରାମ । ଆଉ ସେଥିପାଇଁ କରାଯାଇଛି ଏମିତି ବ୍ୟବସ୍ଥା।

ଅଭିରାମ ନିଜ ଚାକିରି କାଳରେ ସ୍କୁଲର ଉନ୍ନତି ସହ ଗାଁ ଲୋକଙ୍କ ଭଲମନ୍ଦରେ ସାମିଲ ହେଉଥିଲେ । ଆଉ ସିଏ ଯେତେବେଳେ ଅବସର ନେଲେ ତାଙ୍କୁ ଦିଆଯାଉଛି ଅବସର ସମ୍ବର୍ଦ୍ଧନା । ନିଜ ଚାକିରି ସମୟରେ ପିଲାଙ୍କ ପାଇଁ ସେ ଅନେକ ପ୍ରକାର କାମ କରି ବେଶ୍‌ ଚର୍ଚ୍ଚା ସାଉଂଟିଥିଲେ। ଏମିତିକି ନିଜ ଗାଁରେ ଥିବା ୩ ଏକର ଜାଗାକୁ ଦାନ କରି ହାଇସ୍କୁଲ ନିର୍ମାଣ କରିଥିଲେ। ପିଲାମାନେ ପଢି ଭଲରେ ରହିଲେ ମତେ ଭାରି ଖୁସି ଲାଗେ ବୋଲି କୁହନ୍ତି ଅଭିରାମ।

 

ଆଉ ଏହି ପ୍ରୟାସ ଆଗାମୀ ଦିନରେ ବି ଜାରି ରହିବ ବୋଲି ଅଭିରାମ କହିଛନ୍ତି । ମୋଟ୍‌ ଉପରେ, ଅଭିରାମଙ୍କ ସାହାଯ୍ୟ ଓ ଉଦାରବାଦୀ ଚିନ୍ତାଧାରା ପାଇଁ ତାଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଶୋଭାଯାତ୍ରା ୭ କିମି ପର୍ଯ୍ୟନ୍ତ ଲମ୍ବିଥିବା କହୁଛନ୍ତି ସ୍ଥାନୀୟ ଲୋକ।

ରିପୋର୍ଟର- ଇଙ୍ଗିତ ପଣ୍ଡା