• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପ୍ରତିବନ୍ଧକ ଯେତେ ଶକ୍ତିଶାଳୀ ହେଉନା କାହିଁକି, ଯଦି ଦୃଢ଼ ଇଛାଶକ୍ତି ଓ ପରିଶ୍ରମରୁ ଲକ୍ଷ୍ୟ ବିତ୍ୟୁତ ହୁଏନି । ତାହାଲେ ସଫଳତାର ଶୀର୍ଷ ଛୁଇଁବାଟା ଏକଦମ୍ ନିଶ୍ଚିତ ହୋଇଥାଏ । ଯାହାର ସଦ୍ୟ ସଦ୍ୟ ପ୍ରମାଣ ମିଳିଛି, ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ କୃତକାର୍ଯ୍ୟଙ୍କ କ୍ଷେତ୍ରରେ । ତେବେ ସେମାନଙ୍କ ମଧ୍ୟରୁ ଏମିତି କିଛି କୃତକାର୍ଯ୍ୟ ଅଛନ୍ତି, କିଏ ଦୃଷ୍ଟିବାଧିତ ତ ପୁଣି କିଏ ଦିନ ମଜୁରିଆର ପୁଅ । ଓଟିଭି ଆଗରେ ସମସ୍ତେ ବଖାଣିଥିଲେ ସଂଘର୍ଷ ଓ ସଫଳତାର କାହାଣୀ ।

ଜନ୍ମଦାତ୍ରୀ ଯେତେବେଳେ, ପୁଅର ଏତେବଡ଼ ସଫଳତାରେ ଖୁସି ନହେବେ ବା କେମିତି । ପୁଅକୁ ମିଠା ଖୁଆଇ ଦେଉଛନ୍ତି, କୁଣ୍ଢେଇ ପକାଉଛନ୍ତି । ପୁଅ ଓଏଏସ୍ ପାଇଛି, ସ୍ୱପ୍ନ ସଫଳ ହୋଇଛି । ଓଡ଼ିଶା ପ୍ରଶାସନିକ ସେବାରେ ୨୬୨ ରାଙ୍କ ରଖି କୃତକାର୍ଯ୍ୟ ହୋଇଥିବା ବାଣପୁର ଅଲାଇଡିହ ଗାଁର ଦୃଷ୍ଟିବାଧିତ ପ୍ରସନ୍ନ କୁମାର ପଣ୍ଡାଙ୍କ ପାଖକୁ ଏବେ ଛୁଟୁଛି ଶୁଭେଚ୍ଛାର ସୁଅ ।

ଜନ୍ମରୁ ଦୃଷ୍ଟିବାଧିତ ପ୍ରସନ୍ନଙ୍କ ଇଚ୍ଛାଶକ୍ତି ଆଗରେ କେମିତି ହାର ମାନିଛି ପ୍ରତିବନ୍ଧକ, ତା ବି ସମସ୍ତଙ୍କ ପାଇଁ ସୃଷ୍ଟି କରିଛି ବିରାଟ ଉଦାହରଣ । ପ୍ରସନ୍ନ ବିଜେବି କଲେଜରୁ ବିଏ ପାସ୍ କରିବା ପରେ ଦିଲ୍ଲୀ ଜେଏନୟୁରେ ରାଜନୀତି ବିଜ୍ଞାନରେ ଏମ୍‌ଏ ସାରି ଏବେ ପିଏଚ୍‌ଡି କରୁଛନ୍ତି । ମାସେ ତଳେ ତାଙ୍କୁ ବ୍ରହ୍ମପୁର ମହିଳା କଲେଜରେ ଅଧ୍ୟାପକ ଚାକିରି ବି ମିଳିଛି । ଆଉ ଏବେ ସେ ପ୍ରଶାସନିକ ଅଧିକାରୀ ହେବାକୁ ଯାଉଛନ୍ତି ।

ସେମିତି ୨୯୨ ରାଙ୍କରେ ରହିଥିବା ବରଗଡ଼ ପଦ୍ମପୁର ଅଞ୍ଚଳର ଆଉ ଜଣେ ଦୃଷ୍ଟିବାଧିତ ହେଲେ ପ୍ରାଚୁର୍ଯ୍ୟ ପ୍ରଧାନ । ପ୍ରାଚୁର୍ଯ୍ୟ ଜଣେ ଭଲ ଚେସ୍ ଖେଳାଳି ମଧ୍ୟ ।  ଚେସ୍ ଖେଳ ସହ ପ୍ରଶାସନିକ ଅଧିକାରୀଟିଏ ହେବାକୁ ପ୍ରସ୍ତୁତି କରୁଥିଲେ । ତାଳମେଳ ତାଙ୍କ ପାଇଁ ଥିଲା ବଡ଼ ଚ୍ୟାଲେଞ୍ଜ । ତେବେ ମନୋବଳ ଓ ଇଚ୍ଛାଶକ୍ତି ଥିଲେ, କେମିତି ସଫଳତାର ଶୀର୍ଷକୁ ଛୁଇଁ ହୁଏ ତାକୁ ପ୍ରମାଣିତ କରି ଦେଖାଇଛନ୍ତି ପ୍ରାଚୁର୍ଯ୍ୟ ।

ଜଣେ ଦିନ ମଜୁରିଆଙ୍କ ପୁଅ ବି ପ୍ରଶାସନିକ ଅଧିକାରୀ ହୋଇପାରେ, ବିଶ୍ୱାସ ଲାଗୁନି ନା ? ବଖରାଏ କୋଠା ଘର, ଆଉ ଘର ଆଗରେ କାଦୁଅ ପଚପଚ ରାସ୍ତା । ପଙ୍କରୁ ପଦ୍ମ ଫୁଟିଲା ପରି ଢେଙ୍କାନାଳ କଟାବାହଳ ଗାଁରୁ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ ୭୬ ରାଙ୍କ ରଖି ସଫଳତା ଅର୍ଜନ କରଛନ୍ତି ମୁନା ସେଠୀ । ବାପା ମୂଲ ଲାଗିଲେ ଘରେ ଚୂଲି ଜଳେ, ହେଲେ ପାଠ ପଢ଼ି ବଡ଼ ମଣିଷ ହେବାର ମୂଳଦୁଆ କିନ୍ତୁ ମୁନାଙ୍କର ସ୍କୁଲରୁ ହିଁ ପଡ଼ିଥିଲା । ଗାଁର ପିଲାଙ୍କୁ ଟ୍ୟୁସନ କରି ଟଙ୍କା ସଞ୍ଚୟ ଆଉ ସେଥିରେ ଚାରି ଚାରି ଥରର ଉଦ୍ୟମ । ଶେଷରେ ତାଙ୍କ ସ୍ୱପ୍ନ ସାକାର ହୋଇଛି । ଗରିବଙ୍କ ପାଖରେ ସରକାରୀ ଯୋଜନା କେମିତି ପହଞ୍ଚିବ ତାକୁ ପ୍ରାଥମିକତା ଦେବେ । ମୁନାଙ୍କ ଏ ସଫଳତାରେ ଯଦି ସବୁଠୁ କିଏ ଅଧିକ ଖୁସି, ତାହାଲେ ସେ ହେଲେ ମାଆ ବାସନ୍ତୀ ଆଉ ସାଙ୍ଗସାଥୀ ।

ସେମିତି ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ ୩୩ତମ ରାଙ୍କରେ ଥିବା ବାଲିଆପାଳର ପ୍ରତୀକ ପଣ୍ଡା । ଜଣେ ମନ୍ଦିର ପୂଜକଙ୍କ ପୁଅ ପ୍ରଶାସନିକ ଅଧିକାରୀ ପଦରେ ବସିଲେ, ସମାଜର ତଳସ୍ତରର ଲୋକଙ୍କ ପାଖରେ ଯେପରି ସ୍ୱାସ୍ଥ୍ୟସେବା ପହଞ୍ଚି ପାରିବ ତାକୁ ଗୁରୁତ୍ୱ ଦେବେ ବୋଲି କହିଛନ୍ତି ।

(ରିପୋର୍ଟ- ବାଲୁଗାଁରୁ ଶକ୍ତି ପ୍ରସାଦ ମହାପାତ୍ର, ପଦ୍ମପୁରରୁ ସୋମେଶ ମହାନ୍ତି, କାମାକ୍ଷାନଗରରୁ ବିଦ୍ୟାଧର ବରାଳ ଓ ଜଳେଶ୍ୱରରୁ ଅଜିତ୍ ଦାସ)