Advertisment

ଗିନିଜ୍ ରେକର୍ଡସ୍‌ରେ କେନ୍ଦୁଝର ରଥ ସବୁଠୁ ଉଚ୍ଚ ମାନ୍ୟତାକୁ ନେଇ ଗଜପତି କ୍ଷୁବ୍ଧ

ଏହାକୁ ନେଇ ପ୍ରଥମେ ଆପତ୍ତି ଉଠାଇଥିଲା କେନ୍ଦ୍ରାପଡ଼ା ତୁଳସୀ କ୍ଷେତ୍ରର ବଳଦେବ ସେନା।

author-image
Chandan Shishu
Controversy intensified over height of Lord Jagannath and siblings’ chariot

Controversy intensified over height of Lord Jagannath and siblings’ chariot

ପୁରୀର ଜଗନ୍ନାଥଙ୍କ ରଥଠୁ କେନ୍ଦୁଝର ବଳଦେବଜୀଉଙ୍କ ରଥ ଉଚ୍ଚା ବୋଲି ଗିନିଜ୍ ଓ୍ୱାର୍ଲଡ୍ ରେକର୍ଡରେ ମାନ୍ୟତା ପରେ ତେଜିଥିବା ବିବାଦ ପରେ ମୁହଁ ଖୋଲି ସିଧା ଏନେଇ କ୍ଷୋଭ ପ୍ରକାଶ କରିଛନ୍ତି ଖୋଦ୍ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। କହିଛନ୍ତି-ପୁରୀ ରଥ ସବୁଠୁ ଉଚ୍ଚା। ପୁରୁଷୋତ୍ତମ କ୍ଷେତ୍ରରେ ଯେଉଁ ରଥ ନିର୍ମାଣ ହେଉଛି, ତାଠୁ ଅଧିକ ଉଚ୍ଚର ରଥ ଅନ୍ୟ କେଉଁଠି ନିର୍ମାଣ ହେବା ଅନୁଚିତ୍। ପୂର୍ବରୁ ଗଡ଼ଜାତ ରାଜାମାନେ ସେମାନଙ୍କ ଅଞ୍ଚଳରେ ପୁରୀଠୁ ଅଧିକ ଉଚ୍ଚତାର ରଥ କରୁନଥିଲେ ଓ ପୁରୀ ରଥଯାତ୍ରା ଆରମ୍ଭ ହେବା ପରେ ହିଁ ବାକି ସ୍ଥାନରେ ରଥଯାତ୍ରା ହେଉଥିଲା। ଯେହେତୁ ଶ୍ରୀକ୍ଷେତ୍ର ପୁରୀ ହେଉଛି ମହାପ୍ରଭୁ ଜଗନ୍ନାଥଙ୍କ ମୂଳପୀଠ। ତେଣୁ ମୂଳ ପୀଠ ପରମ୍ପରା ଅକ୍ଷୂର୍ଣ୍ଣ ରହିବା ଦରକାର, ଏହା ବିରୋଧରେ କୌଣସି କାର୍ଯ୍ୟ କରାଯିବା ଉଚିତ ନୁହେଁ।

Advertisment

ଗତ ମେ ୬ ତାରିଖ ଦିନ କେନ୍ଦୁଝରର ବଳଦେବଜିଉଙ୍କ ୭୨ ଫୁଟ୍ ଉଚ୍ଚର ରଥକୁ ସବୁଠୁ ଉଚ୍ଚା ବୋଲି ପ୍ରମାଣପତ୍ର ଦେଇଥିଲା ଦେଇଥିଲା ଗିଜିନ୍ ଓ୍ୱାର୍ଲଡ ରେକର୍ଡ ସଂସ୍ଥା। ଯାହାକୁ ନେଇ ତେଜିଛି ବିବାଦ। ଏମିତିକି ଏହାକୁ ନେଇ ପ୍ରଥମେ ଆପତ୍ତି ଉଠାଇଥିଲା କେନ୍ଦ୍ରାପଡ଼ା ତୁଳସୀ କ୍ଷେତ୍ରର ବଳଦେବ ସେନା। ଏଭଳି ମାନ୍ୟତାକୁ ରଦ୍ଦ କରାଯିବା ସହ ଭବିଷ୍ୟତରେ ଯେପରି ଏ ଘଟଣାର ପୁନରାବୃତ୍ତି ନହୁଏ ସେ ନେଇ ଜୁନ୍ ୨ ତାରିଖ ଦିନ ବଳଦେବ ସେନା ପକ୍ଷରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ଶଙ୍କରାଚାର୍ଯ୍ୟ ଓ ଗଜପତି ମହାରାଜାଙ୍କୁ ମଧ୍ୟ ଦାବିପତ୍ର ଦିଆଯାଇଥିଲା।

ଯେଉଁଥିରେ ଧର୍ମୀୟ ପରମ୍ପରା ଓ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭାବନାକୁ ଅଣଦେଖା କରିଥିବା ଗିନିଜ୍ ଓ୍ୱାର୍ଲଡ୍ ରେକର୍ଡ ସଂସ୍ଥା ସହ ଏଭଳି ମାନ୍ୟତା ପାଇଁ ଆବେଦନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଥିଲା। ଯାହାକୁ ଜଗନ୍ନାଥ ଭକ୍ତ, ଶ୍ରୀମନ୍ଦିର ସେବାୟତ ମଧ୍ୟ ସମର୍ଥନ କରିଛନ୍ତି। ତେଣେ ବଳଦେବଜିଉଙ୍କ ରଥକୁ ସର୍ବୋଚ୍ଚ ଉଚତାର ମାନ୍ୟତା ମିଳିବାକୁ ନେଇ ଗଜପତିଙ୍କ ପ୍ରତିକ୍ରିୟା ଠିକ୍ ନୁହେଁ ବୋଲି କହିଛି କେନ୍ଦୁଝର ବରିଷ୍ଠ ନାଗରିକ ମଞ୍ଚ। ଏହାର ସଂପାଦକ କହିଛନ୍ତି- କେନ୍ଦୁଝରରେ ୧୬୭୧ ମସିହାରୁ ୭୨ ଫୁଟର ରଥ ନିର୍ମାଣ ହୋଇ ଆସୁଛି ପୂର୍ବରୁ ଇଣ୍ଡିଆ ବୁକ୍ ଅଫ ରେକର୍ଡସ ଓ ଏସିଆ ପାସିଫିକ୍ ଆଇକନ୍ ଭଳି ୫ଟି ସଂସ୍ଥା ମଧ୍ୟ ସମାନ ମାନ୍ୟତା ପ୍ରଦାନ କରିଛନ୍ତି।

Advertisment

ମହାପ୍ରଭୁ ଜଗନ୍ନାଥଙ୍କ ଆଦ୍ୟପୀଠ ପୁରୀରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପାରମ୍ପରିକ ରୀତିରେ ରଥ ନିର୍ମାଣ ହୋଇ ଆସୁଛି। ଯାହାକି ନିର୍ଦ୍ଦିଷ୍ଟ କାଠ ଓ ମାପରେ ତିଆରି ହୋଇଥାଏ। ତିନି ରଥ ମଧ୍ୟରୁ ନନ୍ଦିଘୋଷ ରଥ ସବୁଠୁ ଉଚ୍ଚା, ଯାହାର ଉଚ୍ଚତା ୪୫ ଫୁଟ୍ ୬ ଇଞ୍ଚ। ତେବେ କେନ୍ଦୁଝର ବଳଦେବଜିଉଙ୍କ ରଥର ଉଚ୍ଚତା ୭୨ ଫୁଟ୍ ଯାହାକି ପୁରୀ ରଥଠାରୁ ୨୭ ଫୁଟ୍ ଅଧିକ ଉଚ୍ଚ। ସେହିପରି କେନ୍ଦ୍ରାପଡ଼ା ବଳଦେବଜିଉଙ୍କ ରଥର ଉଚ୍ଚତା ମଧ୍ୟ ୬୩ ଫୁଟ୍। 

ସେହିପରି ରାଜ୍ୟ, ଦେଶ ଓ ବିଦେଶ ସବୁଠି ରଥଯାତ୍ରା ଆୟୋଜନ ହେଉଛି। ହେଲେ ସେଠିକାର ରଥଗୁଡ଼ିକର ନିର୍ମାଣ ଓ ଉଚ୍ଚତା ମଧ୍ୟ ଭିନ୍ନ ଭିନ୍ନ। ତେବେ ପୁରୀରେ କେବଳ ପ୍ରତିବର୍ଷ ତିନିଟି ଲେଖାଏଁ ନୂଆ ରଥ ତିଆରି ହୁଏ ଯାହାର ନିର୍ମାଣ ଶୈଳୀ ବି ଶାସ୍ତ୍ର ବିଦିତ।

ରିପୋର୍ଟ: ପ୍ରଣୟ ପାଣି, ମଧୁସୂଦନ ମିଶ୍ର ଓ ପ୍ରଦୀପ ମହାନ୍ତି 

Lord Jagannath Chariot
Advertisment
Advertisment