Advertisment

ଚିଲିକାରେ ବୋଟ୍ ବୁଡ଼ିବା ସତ୍ତ୍ୱେ ଅସୁରକ୍ଷିତ ଜଳଯାତ୍ରା ଜାରି

କାଲିର ଦୁର୍ଘଟଣା ସହ କିଛି ସମ୍ପର୍କ ନାହିଁ, କି ଆଜି କାଳେ କିଛି ଅଘଟଣ ଘଟିବ, ସେ ଆଶଙ୍କାକୁ ମଧ୍ୟ ପରୱା ନାହିଁ । ଆଗରୁ ଯେମିତି ଚାଲୁଥିଲା, ଏବେ ବି ସେମିତି ଡଙ୍ଗା ଚାଲୁଥିବାର ଦେଖିବାକୁ ମିଳିଛି ।

author-image
Otv Khabar Bureau
Boat Tragedies

Boat Tragedies

ଗତକାଲିର ବଡ଼ ଦୁର୍ଘଟଣା ପରେ ଅଥଳ ଚିଲିକାରେ ଏବେ ମଧ୍ୟ ଅସୁରକ୍ଷିତ ଜଳଯାତ୍ରା ଚାଲିଛି । କାଲିର ଦୁର୍ଘଟଣା ଓ ସମ୍ଭାବ୍ୟ ବାତ୍ୟାକୁ ନେଇ ପ୍ରଶାସନ ପକ୍ଷରୁ ଆଜି କାଳିଜାଇ ପଟେ ଡଙ୍ଗା ଚଳାଚଳ ନିଷିଦ୍ଧ କରାଯାଇଥିଲେ ବି ସେପଟେ ଜହ୍ନିକୁଦାରୁ ସାତପଡ଼ା ୬ କିଲୋମିଟର ରାସ୍ତାରେ ଅନ୍ୟଦିନ ଭଳି ଆଜି ବି ଜାରି ରହିଛି ବିପଦପୂର୍ଣ୍ଣ ନୌଯାତ୍ରା । କାରଣ କୃଷ୍ଣପ୍ରସାଦ ବ୍ଲକର ୧୪ଟି ପଞ୍ଚାୟତବାସୀଙ୍କ ପାଇଁ ପୁରୀ ଯିବାକୁ ହେଲେ ଏକମାତ୍ର ଲାଇଫ୍ ଲାଇନ୍ ହେଉଛି ବୋଟ୍ । ସେପଟେ ଦୁର୍ଘଟଣାର ପ୍ରାୟ ୨୪ ଘଣ୍ଟା ପରେ ବାଲୁଗାଁରେ ନିଖୋଜ ରାଜକିଶୋର ଖୁଣ୍ଟିଆଙ୍କ ମୃତଦେହ ଉଦ୍ଧାର ହେବା ପରେ ଶୋକରେ ବୁଡ଼ି ରହିଛି ପରିବାର।

Advertisment

କାଲିର ଦୁର୍ଘଟଣା ସହ କିଛି ସମ୍ପର୍କ ନାହିଁ, କି ଆଜି କାଳେ କିଛି ଅଘଟଣ ଘଟିବ, ସେ ଆଶଙ୍କାକୁ ମଧ୍ୟ ପରୱା ନାହିଁ । ଆଗରୁ ଯେମିତି ଚାଲୁଥିଲା, ଏବେ ବି ସେମିତି ଡଙ୍ଗା ଚାଲୁଥିବାର ଦେଖିବାକୁ ମିଳିଛି । ଚିଲିକାର ବିସ୍ତୀର୍ଣ୍ଣ ଜଳରାଶିରେ ଦୈନନ୍ଦିନ ଯାତ୍ରା ବିପଦପୂର୍ଣ୍ଣ ହୋଇଥିଲେ ମଧ୍ୟ ସ୍ଥାନୀୟ କୃଷ୍ଣପ୍ରସାଦ ବ୍ଲକର ପ୍ରାୟ ୧୪ଟି ପଞ୍ଚାୟତ ଲୋକଙ୍କର ଏହା ଏକମାତ୍ର ଭରସା । ଏ ଭୁଟୁଭୁଟି ଡଙ୍ଗା ୟା ବ୍ୟତୀତ, ସେମାନଙ୍କ ନିକଟରେ ଆଉ କିଛି ବିକଳ୍ପ ନାହିଁ । ତେଣୁ ବିପଦକୁ ସାମ୍ନା କରିବା ଯେଉଁଠି ନିତି ଦିନିଆ କଥା, ସେଠି ମନରେ ଡର ଆସିବ ବା କେଉଁଠୁ?

ଚିଲିକାରେ ପୂର୍ବରୁ ଏକାଧିକ ବାର ନୌକା ଦୁର୍ଘଟଣା ଓ ଗତକାଲିର ସଦ୍ୟ ଅଘଟଣ ପରେ ବି ଜହ୍ନିକୁଦାରୁ ସାତପଡ଼ା ଓ ସାତପଡ଼ାରୁ ଜହ୍ନିକୁଦାକୁ ଅସୁରକ୍ଷିତ ଯାଆସ କରୁଛନ୍ତି ହଜାର ହଜାର ସଂଖ୍ୟାରେ ଯାତ୍ରୀ । ହେଲେ ଏ ଦୁର୍ଘଟଣା ପରେ ବି ସେମିତି ବେପରୁଆ ଢଙ୍ଗରେ ଚାଲିଛି ଯାତ୍ରୀ ବୁହା । ଛୋଟ ପିଲାଙ୍କଠୁ ବୟସ୍କଙ୍କ ଯାଏଁ କାହା ଦେହରେ ଖଣ୍ଡେ ହେଲେ ଲାଇଫ୍ ଜ୍ୟାକେଟ୍ ନାହିଁ ।

Advertisment

ଏମିତିକି କୃଷ୍ଣପ୍ରସାଦ ବିଡିଓ ବି ନିଜେ ବିନା ଲାଇଫ୍ ଜ୍ୟାକେଟରେ ଡଙ୍ଗାରେ ବସି ଯାଉଥିବାର ଦେଖିବାକୁ ମିଳିଛି । ତେଣୁ ଏଠାରେ ପ୍ରଶ୍ନ ଉଠୁଛି, ଯେଉଁଠି ଖୋଦ୍ ପ୍ରଶାସନିକ ଅଧିକାରୀଙ୍କ ଅବସ୍ଥା ଏମିତି, ତାହାଲେ ସାଧାରଣ ଲୋକଙ୍କ କଥା ପଚାରେ କିଏ? ସେପଟେ ବର୍ଷ ବର୍ଷ ଧରି ଏଠାରେ ଡଙ୍ଗା ବ୍ୟବସାୟ କରୁଥିବା ଡଙ୍ଗା ମାଲିକଙ୍କ ମନରେ କିନ୍ତୁ ଯାତ୍ରୀଙ୍କୁ ସୁରକ୍ଷିତ ପାର କରାଇଦେବାର ପ୍ରବଳ ଆତ୍ମବିଶ୍ୱାସ ।

ସେପଟେ ଗତକାଲି କାଳିଜାଈ ନୌକା ଦୁର୍ଘଟଣା ପରେ ନିଖୋଜ ଥିବା ବାଲୁଗାଁ କୋଦପୁରର ରାଜକିଶୋର ଖୁଣ୍ଟିଆଙ୍କ ମୃତଦେହ ଉଦ୍ଧାର ହୋଇଛି । କାଲିଠୁ ଚିଲିକାସ୍ଥିତ ନାଭାଲ ସେଣ୍ଟର ପକ୍ଷରୁ ଦୁଇଟି ଟିମ୍ ଅହରହ ସର୍ଚ୍ଚ ଅପରସେନ୍ ଜାରି ରଖିଥିବା ବେଳେ ଆଜି ଦୁର୍ଘଟଣାସ୍ଥଳଠୁ ପ୍ରାୟ ୮ କିଲୋମିଟର ଦୂରରୁ ଠାବ ହୋଇଥିଲା ରାଜକିଶୋରଙ୍କ ଭାସମାନ ମୃତଦେହ । ପରେ ପୋଲିସ ଉପସ୍ଥିତିରେ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ କରାଯାଇ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି ।

ଦୁର୍ଘଟଣା ସମ୍ପର୍କରେ ତଦନ୍ତ କରି ରିପୋର୍ଟ ଦେବାକୁ ପୁରୀ ଜିଲ୍ଲାପାଳ ଚିଲିକା ତହସିଲଦାରଙ୍କୁ ନିର୍ଦ୍ଦେଶ ଦେବା ପରେ ଡଙ୍ଗାର ଲାଇସେନସ୍ ଓ ଅନ୍ୟ କାଗଜପତ୍ର ଯାଞ୍ଚ୍ କରୁଛନ୍ତି ତହସିଲଦାର । ସେପଟେ କାଳିଜାଇ ମନ୍ଦିର ନିକଟରେ ଏକ ଦୋକାନରେ କାମ କରୁଥିବା ରାଜକିଶୋର ଆଜିକୁ ୪୦ ବର୍ଷ ଧରି ଦୈନିକ ଡଙ୍ଗାରେ ଯାଆସ କରୁଥିଲେ । ତେବେ କାଲି କେଉଁ ପରିସ୍ଥିତିରେ ସେ ବୁଡିଗଲେ, ତାକୁ ନେଇ ଆଶ୍ଚର୍ଯ୍ୟା ହେବା ସହ ଶୋକରେ ବୁଡ଼ିଛି ରାଜକିଶୋରଙ୍କ ପରିବାର ।

ରିପୋର୍ଟର- ନୀଳକଣ୍ଠ ପ୍ରଧାନ, ଶକ୍ତି ମହାପାତ୍ର ଓ ବଳରାମ ଲେଙ୍କା

Chilika Boat Tragedies
Advertisment
Advertisment