• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ହାତୀଙ୍କ ବାଟ ଓଗାଳିବେ ମହୁମାଛି । ଗାଁରେ ପଶିବା ପୂର୍ବରୁ ମହୁମାଛିଙ୍କୁ ସାମ୍ନା କରିବେ ଜଙ୍ଗଲୀ ହାତୀ । ହାତୀ ଘଉଡାଇବାକୁ ବିଛାଯାଇଛି ଜାଲ । ଧାଡି ଧାଡି ହୋଇ ରହିଥିବା ବାକ୍ସରେ ରହିଛନ୍ତି ଶହ ଶହ ମହୁମାଛି । ଯାହାକୁ ଗାଁ ପ୍ରବେଶ ପଥରେ ରଖାଯିବ । ତାର ସାହାଯ୍ୟରେ ଗଛରେ ବାକ୍ସକୁ ଝୁଲାଇ ଦିଆଯିବ । ହାତୀ ପଲ ଗାଁ ଭିତରକୁ ପଶିବାକୁ ଉଦ୍ୟମ କଲେ ପ୍ରଥମେ ମୁହାଁମୁହିଁ ହେବେ ମହୁମାଛି ସହ ।

ମହୁମାଛିଙ୍କୁ ହାତୀ ଭୟ କରୁଥିବାରୁ ଏବଂ ସେମାନଙ୍କ ଗୁଣୁଗୁଣୁ ଶବ୍ଦ ବିରକ୍ତି କରୁଥିବାରୁ ଗାଁ ଭିତରକୁ ଆସିବାକୁ ହାତୀପଲ ଇଛା କରିବେନି । ଏହା ସତ୍ତ୍ୱେ ବି ଯଦି ହାତୀ ପଲ ଗାଁ ଭିତରକୁ ପଶିବାକୁ ଉଦ୍ୟମ କରନ୍ତି, ତେବେ ମହୁମାଛି ବାକ୍ସ ସଂସ୍ପର୍ଶରେ ଆସିବେ । ପରେ ବାକ୍ସ ଭିତରୁ ମହୁମାଛି ବାହାରି ହାତୀଙ୍କୁ ଆକ୍ରମଣ କରିବେ । ଫଳରେ ଗାଁକୁ ପଶିବା ପୂର୍ବରୁ ଭୟଭୀତ ହାତୀପଲ ଜଙ୍ଗଲକୁ ଫେରିଯିବେ । ହାତୀ ଉପଦ୍ରୁତ ଗାଁକୁ ସୁରକ୍ଷା ଦେବାକୁ ମହୁମାଛିଙ୍କୁ ନେଇ ଏଭଳି ଯୋଜନା କରିଛି ବନ ବିଭାଗ ଏବଂ ରାଜ୍ୟ ଖଦି ବୋର୍ଡ ।

ଆଠମଲ୍ଲିକ ଡିଭିଜନ୍‌ର ହଣ୍ଡପା ଏବଂ ଆଠମଲ୍ଲିକ ରେଞ୍ଜରେ ଆରମ୍ଭ ହୋଇସାରିଛି ପାଇଲଟ୍ ପ୍ରୋଜେକ୍ଟ । ହଣ୍ଡପା ରେଂଜ୍‌ର ଲକ୍ଷ୍ମୀପୁର ଏବଂ ଆଠମଲ୍ଲିକ ରେଂଜ୍‌ର ରଖିପୁର ଗାଁରେ ପ୍ରଥମ ପର୍ଯ୍ୟାୟରେ ୧୦୦ଟି ମହୁମାଛି ବାକ୍ସ ରଖାଯାଇଛି । ଏଥିପାଇଁ ଗାଁ ଲୋକଙ୍କୁ ପ୍ରଥମେ ମହୁମାଛି ପାଳନ ନେଇ ତାଲିମ ଦିଆଯାଇଥିଲା । ଏହାପରେ ଆରମ୍ଭ ହୋଇଛି ପାଇଲଟ୍ ପ୍ରକଳ୍ପ । 

ବନବିଭାଗର ଏହି ପ୍ରକଳ୍ପ ଚାଷୀଙ୍କୁ ସେମାନଙ୍କ ଫସଲ କ୍ଷୟକ୍ଷତିରୁ ବଂଚାଇପାରିବ ବୋଲି ଆଶା କରାଯାଉଛି । କେବଳ ସେତିକି ନୁହେଁ, ବର୍ଷ ବର୍ଷର ହାତୀ-ମଣିଷ ଲଢେଇରେ ବି ପୂର୍ଣ୍ଣଛେଦ ପଡିବା ସମ୍ଭାବନା ରହିଛି । ପାଇଲଟ ପ୍ରକଳ୍ପର ଉଦ୍ଦେଶ୍ୟ ସଫଳ ହେଲେ ରାଜ୍ୟର ଅନ୍ୟ ଅଞ୍ଚଳରେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ହାତୀଙ୍କ ରାସ୍ତା ଅବରୋଧ ପାଇଁ ଏବେ ବିରାଟ ଗାତ ଖୋଳାଯାଉଛି । ଯାହା ଅତ୍ୟନ୍ତ ଖର୍ଚ୍ଚାନ୍ତ ଏବଂ ସମୟ ସାପେକ୍ଷ । ତେଣୁ ବନ ବିଭାଗ ଆରମ୍ଭ କରିଛି ରି-ହ୍ୟାବ୍ ପ୍ରକଳ୍ପ । ପୂର୍ବରୁ କେରଳ ଏବଂ ଉତ୍ତର ଭାରତରେ ଏହି ଉଦ୍ୟମ ସଫଳ ହୋଇଥିବା ବେଳେ ଓଡ଼ିଶାରେ ଏହା କେମିତି କାମ କରୁଛି ତାଉପରେ ରହିଛି ନଜର ।

ରିପୋର୍ଟର- ବିରଜା ପ୍ରସାଦ ଦାଶ