• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଶ୍ରୀମନ୍ଦିର ଐତିହ୍ୟ କରିଡର ଶୀଘ୍ର ସାରିବାକୁ ହାଇକୋର୍ଟରେ ଦାଖଲ ହେଲା ରିଟ୍ ପିଟିସନ୍ । ASI ଓ ରାଜ୍ୟ ସରକାରଙ୍କୁ ପକ୍ଷଭୁକ୍ତ କରି ହାଇକୋର୍ଟରେ ଆବେଦନ କରାଗଲା । ରିଟ୍ ପିଟିସନ୍ ଦାଖଲ କରିଛନ୍ତି ଖୋଦ୍ ଶ୍ରୀମନ୍ଦିରର କିଛି ବରିଷ୍ଠ ସେବାୟତ । ବିଭିନ୍ନ ନିଯୋଗର ପଦ ପଦବୀରେ ଥିବା ଏହି ସେବାୟତମାନେ ହେଲେ ରଘୁନାଥ ଗୋଛିକାର, ହଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆ, ବିନାୟକ ଦାସମହାପାତ୍ର, ହରେକୃଷ୍ଣ ଖୁଣ୍ଟିଆ ଓ ବଟକୃଷ୍ଣ ମୁଦ୍ରା ।

ସେମାନେ ଦାଖଲ କରିଥିବା ରିଟ୍ ପିଟିସନରେ ଦର୍ଶାଇଛନ୍ତି ଯେ, କିଛି ମୁଷ୍ଟିମେୟ ବ୍ୟକ୍ତି ଓ ରାଜନୈତିକ ଦଳ ଏବେ ବିକାଶମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି, ଯାହାକି ଜନସ୍ୱାର୍ଥ ବିରୋଧୀ ଓ ସେବାୟତଙ୍କ ସୁରକ୍ଷାକୁ ଉପେକ୍ଷା । ଏଣୁ କୋର୍ଟ ଶୀଘ୍ର ଏଥିରେ ହସ୍ତକ୍ଷେପ କରି କରିଡର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ । ରାଜ୍ୟ ସରକାରଙ୍କୁ ASI ସହଯୋଗ କରିବାକୁ ବି କୋର୍ଟ ଆଦେଶ ଦେବାକୁ ନିବେଦନ କରିଛନ୍ତି ରିଟ୍‌ ପିଟିସନର୍‌ । ତାସହ କହିଛନ୍ତି ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ଜମି ଦାନ ଦେଇଛୁ ଯେତେବେଳେ କାମରେ କୌଣସି ବାଧା ନ ଉପୁଜୁ ।

ସେବାୟତଙ୍କ ପକ୍ଷରୁ ଦାଏର ରିଟ୍ ପିଟିସନ୍ ଉପରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ପ୍ରକଳ୍ପ ବିପକ୍ଷବାଦୀ । କହିଛନ୍ତି ଯେ ବିକାଶ କାମ ତ୍ୱରାନ୍ୱିତ ହେବା ନେଇ କାହାରି ବିରୋଧ ନାହିଁ, ତେବେ ସବୁ ନିର୍ମାଣ ଆଇନ୍ ଅନୁସାରେ ହେବା ଦରକାର । ରାଜ୍ୟ ସରକାରଙ୍କୁ ଯେଉଁମାନେ ପକ୍ଷଭୁକ୍ତ କରି ଆଜି ପ୍ରକଳ୍ପ ଶୀଘ୍ର ସାରିବାକୁ ରିଟ୍ ପିଟିସନ୍ କରିଛନ୍ତି, ସେମାନେ କେବେ ସରକାରଙ୍କୁ ପ୍ରକଳ୍ପ ପାଇଁ ଖନନ ପୂର୍ବରୁ ଜିପିଆରଏସ ହୋଇଛି କି ନାହିଁ ପଚାରିଥିଲେ କି? ଡିପିଆର ଅନୁମତି ପାଇଛି କି ନାହିଁ ଓ ଆମସାର ଆର ସଠିକ୍ ପାଳନ ହେଉଛି କି ନାହିଁ ଜାଣିବାକୁ ଚାହିଁଥିଲେ କି? ଯେଉଁ କାର୍ଯ୍ୟରେ ରେଗୁଲେଟେଡ୍ ଜୋନ୍‌ରେ ହେବା କଥା, ତାହା ପ୍ରୋହିବିଟେଡ୍ ଜୋନ୍‌ରେ ହେଉଥିବାବେଳେ ଏମାନେ କେଉଁଠି ଥିଲେ ବୋଲି ବି ପ୍ରଶ୍ନ ଉଠାଇଛନ୍ତି । ଯଦି ପ୍ରକଳ୍ପ ପାଇଁ ବେଆଇନ୍ ଖନନ ଯୋଗୁଁ ଶ୍ରୀମନ୍ଦିର ସୁରକ୍ଷା ବିପଦରେ ପଡ଼େ ତାହାଲେ ସେଥିପାଇଁ ଏମାନେ ଦାୟୀ ରହିବେ କି ବୋଲି ପଚାରିଛନ୍ତି ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ହାଇକୋର୍ଟରେ ମାମଲା ବିଚାରାଧୀନ ରହିଛି । ଆମସାର ଆକ୍ଟର ଉଲ୍ଲଂଘନ ସହ ବିନା ଜିପିଆରଏସ୍‌ରେ ଐତିହ୍ୟ ସ୍ଥଳର ଶହେ ମିଟର ନିଷିଦ୍ଧାଞ୍ଚଳରେ ବେଆଇନ୍ ଖନନ ଚାଲିଥିବାରୁ ଏହାକୁ ବନ୍ଦ ଲାଗି ପୂର୍ବରୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବିପକ୍ଷବାଦୀ । ଏହା ଉପରେ ଶୁଣାଣି କରି ଏଏସଆଇକୁ ବିସ୍ତୃତ ରିପୋର୍ଟ ମାଗିଛନ୍ତି । ଜୁନ୍ ୨୨ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି ।

ସେପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବାବଦରେ ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ସାକ୍ଷାତ କରି ବିଚାରବିମର୍ଶ କରିଛନ୍ତି ଗଜପତି ମହାରାଜା ।ଦିବ୍ୟସିଂହ ଦେବ ଆଜି ଅପରାହ୍ନରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ସହ ଗଜପତି, ଗୋବର୍ଦ୍ଧନ ପୀଠକୁ ଯାଇ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଥିଲେ ।

ଗତକାଲି ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ନେଇ କଡ଼ା ପ୍ରତିକ୍ରିୟା ରଖିଥିଲେ ଜଗତଗୁରୁ । ନିର୍ମାଣ ଆଗରୁ ପ୍ରଶାସନ ତାଙ୍କ ସହ ଆଲୋଚନା କରିବା ଆବଶ୍ୟକତା ଥିଲା ବୋଲି ଶଙ୍କରାଚାର୍ୟ୍ୟ କହିଥିଲେ । ଏହାପରେ ଆଜି ଗଜପତି ମହାରାଜା, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳ ଏକାଠି ଶଙ୍କରାଚାର୍ଯ୍ୟଙ୍କୁ ଭେଟିବାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ରିପୋର୍ଟର- ମଧୁସୂଦନ ମିଶ୍ର