• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପଡ଼ୋଶୀ ଆନ୍ଧ୍ରର ବିସ୍ତାରବାଦୀ ନୀତି ଆଗରେ ହାତରୁ ଖସିଯାଉଛି କୋରାପୁଟ ଜିଲ୍ଲାର ଓଡ଼ିଶା ସୀମାନ୍ତ । ଓଡ଼ିଶା ମାନଚିତ୍ରରେ ଥିବା କୋଟିଆ ଓ ସମ୍ବାଇ ପରେ ପଟାଙ୍ଗି ବ୍ଲକର ବାଙ୍ଗାରୁଗୁଡ଼ି ଗାଁକୁ ନିଜ୍ କବ୍ଜାକୁ ନେବାକୁ ଉଦ୍ୟମ କରୁଛନ୍ତି ଆନ୍ଧ୍ର ସରକାର । କାରଣ ଓଡ଼ିଶା ସରକାରଙ୍କ ବିକାଶମୂଳକ ଯୋଜନା ପାହାଡ଼ ଚଢ଼ି ପାରୁନଥିବାବେଳେ ଜଗନ୍ ସରକାର ଦେଇ ଚାଲୁଛନ୍ତି ସମସ୍ତ ପ୍ରକାର ମୌଳିକ ସୁବିଧା । ଅଥଚ ଓଡ଼ିଶା ସରକାରଙ୍କ ନିଦ ଭାଙ୍ଗୁନି । ଫଳରେ ଆନ୍ଧ୍ର ପ୍ରତି ଆକର୍ଷିତ ହେବାରେ ଲାଗିଛନ୍ତି ସୀମାନ୍ତ ଓଡ଼ିଆ।

ସୀମାନ୍ତ ଓଡ଼ିଆଙ୍କ ପ୍ରତି ଓଡ଼ିଶା ସରକାରଙ୍କ ଅଣଦେଖା ଏବେ ଓଡ଼ିଶା ଭୂଖଣ୍ଡ ପ୍ରତି ମହାବିପଦ ସାଜିଛି । ଓଡ଼ିଶା ମାଟି ପ୍ରତି ଆନ୍ଧ୍ରର ଲୋଲୁପ ଦୃଷ୍ଟିର ଆଉ ଏକ ସାଂଘାତିକ ନମୂନା ସାମ୍ନାକୁ ଆସିଛି । କୋଟିଆ ପରେ ଆନ୍ଧ୍ରର ଆଉ ଏକ ଟାର୍ଗେଟ । ଓଡ଼ିଶାରେ ଧସେଇ ପଶିଛି ପ୍ରାୟ ୧୩ କିଲୋମିଟର । ସରକାରୀ ଯୋଜନା ବାଣ୍ଟୁଛି, ଘର ତିଆରି କରୁଛି, ଓଡ଼ିଆ ପିଲାଙ୍କୁ ନିଜ ସ୍କୁଲରେ ତେଲୁଗୁ ପାଠ ପଢ଼ାଉଥିବାର ଦେଖିବାକୁ ମିଳିଛି । ପଟାଙ୍ଗି ବ୍ଲକ ତଳଗୋଲ୍ଲୁର ପଞ୍ଚାୟତ ବାଙ୍ଗାରୁଗୁଡ଼ି ଗାଁର ପାହାଡ଼ ସେପଟେ ରହିଛି ଆନ୍ଧ୍ର ସୀମାନ୍ତ । କିନ୍ତୁ ନିଜ ସୀମାନ୍ତରେ ଇନ୍ଦିରା ଆବାସ ତିଆରି କରି ତଳମୁଣ୍ଡରେ ଥିବା ଓଡ଼ିଆଙ୍କୁ ପ୍ରଲୋଭିତ କରୁଛି ଆନ୍ଧ୍ର ।

ଖାଲି ଘର ନୁହେଁ, ଗାଁରେ ରାସନ୍ କାର୍ଡ ମଧ୍ୟ ବାଣ୍ଟିଛି ଆନ୍ଧ୍ର ସରକାର । ବିଦ୍ୟୁତ୍ ସେବା ଜାରି ରହିଛି । ଖାଲି ବିଦ୍ୟୁତ ସେବା ନୁହେଁ, ଜଙ୍ଗଲ ଜମି ପଟ୍ଟା, ପ୍ରତି ଆଧାରକାର୍ଡଧାରୀଙ୍କୁ ଭତ୍ତା, ବାସଗୃହ ଓ ଆମ୍ମା ୱାଡି ଯୋଜନାରେ ଶିକ୍ଷା ସୁବିଧା ଯୋଗାଇଛି । ସେଠାରେ ରହୁଥିବା ଲୋକଙ୍କ ପାଖରେ ଉଭୟ ଆନ୍ଧ୍ର ଓ ଓଡ଼ିଶାର ପରିଚୟପତ୍ର ରହିଛି ।

 

ଏକଥା ସତ ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନାର ଏଠାରେ ପାଦ ପଡ଼ିଛି । ଯେମିତି ସରକାରୀ ସ୍କୁଲ ଯୋଜନା । ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବ ଯେ, ସ୍କୁଲରେ ନିୟୋଜିତ ଶିକ୍ଷକ ନିୟମିତ ଆସୁନଥିବା ବାଙ୍ଗାରୁଗୁଡ଼ି ବାସି ଅଭିଯୋଗ କରିଛନ୍ତି । ଯେଉଁ ପିଲାମାନେ ବାଙ୍ଗାରୁଗୁଡ଼ି ଗାଁରେ ଅଛନ୍ତି, ସେମାନଙ୍କ ମଧ୍ୟରୁ କିଏ ସ୍କୁଲ ବାରଣ୍ଢା ମାଡି ନାହାଁନ୍ତି ତ ଆଉ କିଏ ଗାଁଠୁ ପ୍ରାୟ ୧୫ କିଲୋମିଟର ଦୂର ଆନ୍ଧ୍ରର ପାଚିପେଣ୍ଟାକୁ ଯାଇ ପାଠ ପଢ଼ୁଛନ୍ତି ।

ଓଡ଼ିଆ ପିଲା ମାନେ ତେଲୁଗୁରେ ପାଠ ପଢ଼ି ଓଡ଼ିଆ ଭାଷାକୁ ଭୁଲିଯାଇଛନ୍ତି । ଜଣେ କି ଦୁଇ ଜଣ ନୁହଁନ୍ତି, ଗାଁର ପ୍ରାୟ ୨୫ ଜଣ ଛାତ୍ରଛାତ୍ରୀ ତେଲୁଗୁ ପାଠ ପଢୁଛନ୍ତି । ପିଲାଙ୍କ କହିବା କଥା, ସେଠି କୁଆଡ଼େ ପାଠ୍ୟପୁସ୍ତକ ସାଙ୍ଗକୁ ଖାଦ୍ୟ ମାଗଣାରେ ଦିଆଯାଉଛି ।

ମାନ୍ୟମ ଜିଲ୍ଲା ଗଠନ ପରେ ଆନ୍ଧ୍ର ଜାରି ରଖିଛି ତାର ବିସ୍ତାରବାଦୀ ନୀତି । କିନ୍ତୁ ଓଡ଼ିଶାର ଜନପ୍ରତିନିଧି ହୁଅନ୍ତୁ କିମ୍ବା କୋରାପୁଟ ଜିଲ୍ଲା ପ୍ରଶାସନ । ଓଡ଼ିଶାରେ କାହାକୁ ପୁରାଇ ଦିଆଯିବନି ବୋଲି କହି କେବଳ ଭୁରୁଡ଼ି ମାରୁଛନ୍ତି । ପରିଣାମ ସ୍ୱରୂପ କୋରାପୁଟ ଜିଲ୍ଲାର କୋଟିଆ ଓ ସମ୍ବାଇ ପରେ ଏବେ ସୀମାନ୍ତ ବାଙ୍ଗାରୁଗୁଡ଼ି ଗାଁରେ ଅନୁପ୍ରବେଶ କରି ଜବରଦଖଲ ଉଦ୍ୟମ କଲାଣି ଆନ୍ଧ୍ର । ତେବେ ପଟାଙ୍ଗି ବିଧାୟକ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଯୋଜନା ପହଞ୍ଚାଯାଉଛି । ଆନ୍ଧ୍ର ଜାଣିଶୁଣି ଅନୁପ୍ରବେଶ କରୁଛି । କୋଟିଆରେ ଯେଭଳି ବିରୋଧ କରାଯାଇଥିଲା ଏଠି ମଧ୍ୟ ବିରୋଧ କରାଯିବ ।

ଏବେ ଅପେକ୍ଷା, ସୀମାନ୍ତ ଓଡ଼ିଆଙ୍କ ପାଖରେ କେବେ ପାହାଡ଼ ଚଢ଼ି ପହଞ୍ଚୁଛି ଓଡ଼ିଶା ସରକାରଙ୍କ ଯୋଜନା ଏବଂ ଆନ୍ଧ୍ର ଉପରେ କେବେ ଲଗାଉଛି ଲଗାମ୍ ।