Advertisment

୭୦ ବର୍ଷ ବୟସରେ ମୁଣ୍ତ ଗୁଞ୍ଜିବା ପାଇଁ ମିଳୁନି ସରକାରୀ ସହାୟତା, ଉଇ ହୁଙ୍କା ଘରେ କଟିଲାଣି ୮ ବର୍ଷ

ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ। ୮ ବର୍ଷ ହେଲାଣି ଉଇ ହୁଙ୍କା ପରି ଘରେ ବିତୁଛି ଜୀବନ। ବଡ଼ବାବୁଙ୍କୁ ଗୁହାରି କରି କରି କେହି ଶୁଣିଲେନି କି ବୁଝିଲେନି। ଭିକ୍ଷାବୃତ୍ତି କରି କୋଉଦିନ ଦୁଇ ମୁଠା ଖାଉଛନ୍ତି ତ ଆଉ କୋଉଦିନ ଉପାସ ରହୁଛନ୍ତି । ଭୋଟ୍‌ ନେବାକୁ ସମସ୍ତେ ଆସିଲେ ହେଲେ ଘର ଖଣ୍ଡିଏ ବେଳକୁ ମୁହଁ ମୋଡ଼ିଲେ । ଦୁଃଖୀ ଦୁଃଖ ଶୁଣିବାକୁ କେହି ନାହାନ୍ତି।

author-image
Otv Khabar Bureau
ଅଦ୍ୟତନ ହୋଇଛି
Old Lady

Old Lady

ଉଇ ହୁଙ୍କା ପରି ଲାଗୁଥିବା ଘରେ ରହୁଛନ୍ତି ଜଣେ ବୃଦ୍ଧା । ତାଙ୍କ ଅବସ୍ଥା ଦେଖିଲେ ଆଖିରୁ ଲୁହ ଝରିଯିବ । ପୁଅ-ବୋହୂ କି ପରିବାରରେ କେହି ନଥିବାରୁ ୭୦ ବର୍ଷର ବୃଦ୍ଧା ଦୁଃଖ କଷ୍ଟ ଭିତରେ ଗତି କରୁଛନ୍ତି । ଦୁଃଖ କଷ୍ଚରେ ଜୀବନ କାଟୁଛନ୍ତି ବିଶି । କୁକୁଡ଼ା ଭାଡ଼ି ପରି ଦେଖାଯାଉଥିବା ଘରେ ରହୁଛନ୍ତି ଦୁଃଖ ଦେଇ । ୭୦ ବର୍ଷ ବୟସରେ ବି ୟାଙ୍କର ସାହା ଭରସା କେହି ନାହାନ୍ତି। ସେଇଥି ପାଇଁ ତ ଏଭଳି ପରିସ୍ଥିତିରେ ରହୁଛନ୍ତି ଦୁଃଖଦେଇ।

Advertisment

ଦୁଃଖଦେଇ ଅନେକ ବାର ଘର ଖଣ୍ଡିଏ ପାଇଁ ବଡ଼ବାବୁଙ୍କୁ ଗୁହାରି କରିଛନ୍ତି କିନ୍ତୁ କେହି ଶୁଣୁନାହାନ୍ତି। ଆଉ ଏ ବୟସରେ କଣ କରିବେ? କାହାକୁ କହିବେ? ନିଜ ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି ଦୁଃଖଦେଇ। ଦୁଃଖୀଙ୍କ ଘରଟି ରାସ୍ତା ଉପରକୁ ଏମିତି ତିଖ ପରି ରହିଛି ଯେ, ଘରକୁ ଯିବାକୁ ବି ଦୁଃଖୀଙ୍କୁ ଅନେକ କଷ୍ଟର ସାମ୍ନା କରିବାକୁ ପଡ଼େ। କିନ୍ତୁ ଉପାୟ ନଥିବାରୁ ଦୁଃଖୀ ବାଧ୍ୟ ହୋଇ ସେହି ଘରେ ରହୁଛନ୍ତି।

ପାଖରେ ପରିବାର ବୋଲି ତାଙ୍କର କେହି ନାହାନ୍ତି, ତେଣୁ ଭିକ ମାଗି ମାଗି ଦିନକୁ ଦୁଇବେଳା ରୋଷେଇ କରି ଖାଉଛନ୍ତି । ଆଉ ଯେତେବେଳେ ମାଗିଯାଚି ପାରୁନାହାନ୍ତି ଉପାସରେ ରହିଯାଉଛନ୍ତି। ସଜସଜ ପଞ୍ଚାୟତ ନିର୍ବାଚନ ଯାଇଛି। ଭୋଟ୍‌ ମାଗିବାକୁ ଗାଁରୁ ସରପଞ୍ଚଠୁ ୱାର୍ଡମେମ୍ବର ସମସ୍ତେ ଆସିଛନ୍ତି। କିନ୍ତୁ ଦୁଃଖୀଙ୍କ ଦୁଃଖ ବୁଝିବାକୁ ଯେମିତି କାହା ପାଖରେ ସମୟ ହିଁ ନାହିଁ।

Advertisment

ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସରକାର ଅନେକ ଯୋଜନା କରିଛନ୍ତି । କିନ୍ତୁ ପ୍ରକୃତରେ ତାହା କେତେ ସଫଳ ରୂପାୟନ ହେଉଛି ତାହା ଏହି ଘଟଣାରୁ ଜଳଜଳ ହୋଇ ଦିଶୁଛି। ସେପଟେ ଏନେଇ ସ୍ଥାନୀୟ ବିଡ଼ିଓ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି ।

ରିପୋର୍ଟର- କରୁଣାକର ବୁଡ଼େକ

Special Story Old Lady
Advertisment
Advertisment