• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏମିତି ସେମିତି ରାସ୍ତା ନୁହେଁ, ଆଜି ଆମେ ଆପଣଙ୍କୁ ଡାଇରେକ୍ଟ ଯମପୁର ଯିବାକୁ ଦେଖାଇବୁ ରାସ୍ତା । ୫ ବର୍ଷରେ ଏହି ରାସ୍ତାରେ ୭୧୪ ଦୁର୍ଘଟଣା ଘଟିଥିବା ବେଳେ ୪୦୧ ଜଣଙ୍କ ଜୀବନ ଗଲାଣି । ସେଥିପାଇଁ ଏହି ରାସ୍ତାକୁ ଯମଦ୍ୱାରକୁ ବାଟ ବୋଲି କୁହାଯାଉଛି । କାରଣ ଏଇ ରାସ୍ତାରେ ଦୁର୍ଘଟଣାର ମାତ୍ରା ଏତେ ଅଧିକ ଯେ ନ କହିବା ଭଲ । ତଥ୍ୟ ଅନୁସାରେ ଏଇ ରାସ୍ତାରେ ମାତ୍ର ୫ ବର୍ଷ ମଧ୍ୟରେ ୭୧୪ ଦୁର୍ଘଟଣା ହୋଇଛି । ଆଉ ସେଥିରେ ୪୦୧ ଜଣ ପ୍ରାଣ ହରାଇସାରିଲେଣି । ହେଲେ ଏବେ ବି ପ୍ରଶାସନ ଚୁପ୍‌ ବସିଛି । ଯାହାକୁ ନେଇ ସବୁଠି ଚର୍ଚ୍ଚା ।

ଆମେ କହୁଛୁ ଜାତୀୟ ରାଜପଥ ନମ୍ବର ୩୫୩ର କଥା । ନାଁ ବିଜୁ ଏକ୍ସପ୍ରେସ ୱେ । ହେଲେ ଏହି ରାସ୍ତାରେ ଗଲାବେଳେ କେତେବେଳେ କଣ ହେବ ସେନେଇ କାହା ପାଖରେ କିଛି ନିର୍ଦ୍ଧିଷ୍ଟ ସୂଚନା ନାହିଁ । କାରଣ କେତବେଳେ ଟ୍ରକକୁ ବସ୍‌ ତ ଆଉ କେତେବେଳେ ବସ୍‌କୁ ଟ୍ରକ୍‌ ପିଟୁଛି ଏହି ରାସ୍ତାରେ । ଆଉ ଘଟଣାସ୍ଥଳରେ ଚାଲିଯାଉଛି ନୀରିହଙ୍କ ଜୀବନ ।

ପ୍ରଶାସନ ପକ୍ଷରୁ ହସ୍ତଗତ ହୋଇଥିବା ସୂଚନା ଅନୁସାରେ, ୨୦୧୮ ମସିହାରେ ୧୫୯ଟି ଦୁର୍ଘଟଣାରେ ୮୮ ଜଣଙ୍କ ଜୀବନ ଯାଇଥିଲା । ସେହିଭଳି ୨୦୧୯ରେ ୧୩୭ଟି ଦୁର୍ଘଟଣାରେ ୭୭ ଜଣଙ୍କ ଜୀବନ ଯାଇଛି । ୨୦୨୦ରେ ୧୪୧ଟି ଦୁର୍ଘଟଣାରେ ୮୪ ଜଣଙ୍କ ଜୀବନ ଯାଇଥିବା ବେଳେ ୨୦୨୧ରେ ୧୭୩ଟି ଦୁର୍ଘଟଣାରେ ୯୨ ଜଣଙ୍କ ଜୀବନ ଯାଇଛି । ୨୦୨୨ ଅଗଷ୍ଟ ୩୦ ସୁଦ୍ଧା ୧୦୪ଟି ଦୁର୍ଘଟଣା ହୋଇଥିବା ବେଳେ ୬୦ ଜଣ ପ୍ରାଣ ହରାଇସାରିଲେଣି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଲକ୍‌ଡାଉନ୍‌ ଓ ସଟଡାଉନ୍‌ ସମୟରେ ଏହି ରାସ୍ତାରେ ସବୁଠୁ ଅଧିକ ଦୁର୍ଘଟଣା ହୋଇଛି ।

ଦିନକୁ ଦିନ ଏହି ରାସ୍ତାରେ ଦୁର୍ଘଟଣା ସଂଖ୍ୟା ବଢୁଥିବା କାରଣରୁ ଲୋକଙ୍କ ଚିନ୍ତା ବଢିଛି । ତେବେ ଦୁର୍ଘଟଣା ବଢୁଥିବାର କାରଣ ମୁଖ୍ୟତଃ ଓଭର ଲୋଡିଂ ଏବଂ ମଦ୍ୟପାନ କରି ଗାଡି ଚଳାଇବା ବୋଲି ଜଣାପଡିଛି । ସେପଟେ ଲୋକଙ୍କୁ ସଚେତନ କରାଇବାକୁ ପ୍ରଶାସନ ଅନେକ ପଦକ୍ଷେପ ନେଇଥିବା କହିଛନ୍ତି ଜିଲ୍ଲାପାଳ ।

 

(ରିପୋର୍ଟ- ମାୟାଧର ସରାଫ, ନୂଆପଡା)

OTV is now on Whatsapp

Join and get latest news update delivered to you via whatsapp

Join Now