• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ରାତି ପାହିଲେ ପଞ୍ଚୁକ ବ୍ରତ । ଶ୍ରୀକ୍ଷେତ୍ରରେ ୫ଦିନ ବ୍ୟାପି ହେବ ଅସମ୍ଭାଳ ଭିଡ଼ । ଏଭଳି ସ୍ଥିତିରେ ଜଗାଦର୍ଶନ ପାଇଁ ଶ୍ରଦ୍ଧାଳୁ ହିନସ୍ତା ହେଉଥିବାବେଳେ କ୍ରାଉଡ୍ ମ୍ୟାନେଜମେଣ୍ଟ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେଇଛି ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ । ଓଟିଭିରେ ଖବର ବାଜିବା ପରେ ସ୍ୱତନ୍ତ୍ର ବ୍ୟାରିକେଡ୍ ସହ ବରିଷ୍ଠ ନାଗରିକ ଏବଂ ମହିଳା ଶ୍ରଦ୍ଧାଳୁଙ୍କ ପାଇଁ ବିଶେଷ ଧ୍ୟାନ ଦେଇଛି ।

ସେଦିନ ଦୁନିଆ ଦେଖିଥିଲା ମା’ ଆଖିରୁ ଝରୁଥିବା ଲୁହ । ଜଗାଦର୍ଶନ ପାଇଁ ଆସି ପରିଣତ ବୟସରେ ସେ ଯେଉଁ ଯନ୍ତ୍ରଣା ଭୋଗିଥିଲେ, ସେହି ଯନ୍ତ୍ରଣାର ଚିତ୍ର ପୋଲ୍ ଖୋଲିଦେଇଥିଲା ଶ୍ରୀମନ୍ଦିର ପ୍ରଶାସନର । ଦର୍ଶନ ବ୍ୟବସ୍ଥାର ପ୍ରତିଟି ଅବ୍ୟବସ୍ଥିତ ଦୃଶ୍ୟ ଓଟିଭି ବି ପ୍ରସାରଣ କରିଥିଲା । ଆଉ ତା’ପରେ ଆଜି ବଦଳିଛି ଦୃଶ୍ୟପଟ୍ଟ । ଯେଉଁଠି ମହାପ୍ରଭୁଙ୍କ ଝଲକଟିଏ ପାଇବା ପାଇଁ ଅପେକ୍ଷାରତ ଶ୍ରଦ୍ଧାଳୁଙ୍କୁ ପାଣି ଟୋପାଏ ମିଳୁନଥିଲା, ଆଜି କିନ୍ତୁ ସ୍ୱତନ୍ତ୍ର ବ୍ୟବସ୍ଥା । ବରିଷ୍ଠ ନାଗରିକଙ୍କ ଭଲମନ୍ଦ ବୁଝିବା ପାଇଁ ଖୋଲାଯାଇଛି ସ୍ୱତନ୍ତ୍ର ପ୍ରକୋଷ୍ଠ ।

ଜନସମୁଦ୍ରକୁ ଦେଖି ଜଗା ଦର୍ଶନର ଆଶା ହରାଉଥିବା ଦିବ୍ୟାଙ୍ଗ ଏବଂ ବୟସ୍କ ଦର୍ଶନାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି । ଆଜି ଏଭଳି ଭାବେ ସହାୟତାର ହାତ ବଢ଼ାଇଛନ୍ତି ପୋଲିସ ଓ ସ୍ୱେଚ୍ଛାସେବୀ । ବାହାରୁ ଟେକି ଟେକି ନେଇ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଭିତରେ ଛାଡୁଛନ୍ତି । କିନ୍ତୁ ମନ୍ଦିର ଭିତରକୁ ଗଲାବେଳକୁ ଅସମ୍ଭାଳ ଭିଡ଼ରେ ଅଣନିଶ୍ୱାସୀ ହୋଇପଡୁଛନ୍ତି ଶ୍ରଦ୍ଧାଳୁ ।

ଦିଲ୍ଲୀରୁ ଆସିଥିବା ଜଣେ ଶ୍ରଦ୍ଧାଳୁ ଆଖପାଖରେ ଶୌଚାଳୟ ନଥିବାରୁ ହିନସ୍ତା ହୋଇଛନ୍ତି । ଦୋଳବେଦୀ କୋଣରେ ଯେଉଁ ଅସ୍ଥାୟୀ ଶୌଚାଳୟର ବ୍ୟବସ୍ଥା ରହିଛି, ତାହା କାଲିଠୁ ବ୍ୟବହାରଯୋଗ୍ୟ ହେବ । ତେବେ ଶ୍ରୀମନ୍ଦିରକୁ ଆସୁଥିବା ଲକ୍ଷ ଲକ୍ଷ ଭକ୍ତଙ୍କ ପାଇଁ ଏହି ୪ଟି ବାୟୋ ଟଏଲେଟ୍ ପର୍ଯ୍ୟାପ୍ତ ହୋଇପାରିବ ତ?

କାଲିଠାରୁ ଆରମ୍ଭ ହେବାକୁ ଯାଉଛି ପଞ୍ଚୁକ ବ୍ରତ । ଏହି ୫ଦିନ ଦାରୁ ଦେବତାଙ୍କର ୫ଟି ସ୍ୱତନ୍ତ୍ର ବେଶ କରାଯିବାର ପରମ୍ପରା ରହିଛି । ସେହି ବେଶ ଦର୍ଶନ ପାଇଁ ଆଜିଠୁ ଶ୍ରୀକ୍ଷେତ୍ରକୁ ଛୁଟିଲାଣି ଶ୍ରଦ୍ଧାଳୁଙ୍କ ସୁଅ । ତେଣୁ ସମ୍ଭାବ୍ୟ ଭିଡ଼କୁ ଦେଖି ଓ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ମରିଚିକୋଟ ଛକ ପର୍ଯ୍ୟନ୍ତ ବ୍ୟାରିକେଡ୍ ବ୍ୟବସ୍ଥା କରିଛି ପୁରୀ ଜିଲ୍ଲା ପ୍ରଶାସନ । ତା’ସହ ବଡ଼ଦାଣ୍ଡର ୨ ପାର୍ଶ୍ୱରୁ ଉଠାଦୋକାନୀ ଓ ସ୍ଥାୟୀ ଦୋକାନକୁ ବନ୍ଦ ରଖାଯାଇଛି । ତେବେ ଜୀବନ ଜୀବିକା ପାଇଁ ବିକଳ୍ପ ବ୍ୟବସ୍ଥା ନକରି ଏଭଳି ଦୋକାନ ବନ୍ଦ ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବ୍ୟବସାୟୀ ।

ସେପଟେ ପଞ୍ଚତୀର୍ଥ ଓ ମହୋଦଧିରେ ହବିଷ୍ୟାଳୀଙ୍କ ବୁଡ଼ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇଛି ପୋଲିସ । ଆଜି ସୁରକ୍ଷା ବ୍ୟବସ୍ଥା ସଂପର୍କରେ ପୋଲିସ କର୍ମଚାରୀଙ୍କୁ ବୁଝାଇଛନ୍ତି ପୁରୀ ଏସପି ଡାକ୍ତର କନୱର ବିଶାଲ୍ ସିଂ ।

ପ୍ରଶ୍ନ ଉଠୁଛି, ଜଗାଦର୍ଶନ ପାଇଁ ଯନ୍ତ୍ରଣାର ପୋଲ୍ ଖୋଲିବା ପରେ ଏବେ ତତ୍ପର ହୋଇଥିବା ପ୍ରଶାସନର ଏଭଳି ବ୍ୟବସ୍ଥା କେବଳ ପଞ୍ଚୁକ ପାଇଁ ନା ଆଗକୁ ବି ବଳବତ୍ତର ରହିବ? ଆଗକୁ ପୁଣି ନୂଆବର୍ଷ । ଏଭଳି ସ୍ଥିତିରେ ଅନ୍ୟ ୩ ଦୁଆର ଖୋଲିବାର ନାଁ ଧରୁନଥିବା ଶ୍ରୀମନ୍ଦିର ପ୍ରଶାସନ ଜଗା ଦର୍ଶନକୁ ବ୍ୟବସ୍ଥିତ କରିପାରିବ ତ ?

  • Reported by:
  • PRADEEP MAHANTY , MADHUSUDAN MISHRA